/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724237866.jpg)
Trucks Carrying Potatoes
ଓଡ଼ିଶାକୁ ପଶିଲା ପଶ୍ଚିମବଙ୍ଗ ଆଳୁ ଗାଡ଼ି । ପଶ୍ଚିମବଙ୍ଗ ସରକାରଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ଆଜି ଓଡ଼ିଶା ସୀମାରେ ଅଟକି ରହିଥିବା ଆଳୁ ଗାଡ଼ି ଓଡ଼ିଶାରେ ପ୍ରବେଶ କରିଛି । ମୟୂରଭଞ୍ଜର ଜାମଶୋଳା ଏବଂ ଚକଶୁଳିଆପଦା ଫାଟକ ଦେଇ ଓଡ଼ିଶାକୁ ଆଳୁ ଟ୍ରକ ପ୍ରବେଶ କରିଛି । ସେହିପରି ବାଲେଶ୍ୱର ଲକ୍ଷ୍ମଣନାଥ ଗେଟ୍ ଦେଇ ମଧ୍ୟ ଆଳୁ ଗାଡି ପ୍ରବେଶ କରିଛି ।
ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଆଳୁ କେଜି ପ୍ରତି ୨୫ ଟଙ୍କା ଉପରକୁ ନବିକିବାକୁ ବ୍ୟବସାୟୀ ମାନିନେଇଥିବା ଜଣାପଡିଛି। ପଶ୍ଚିମବଙ୍ଗରେ ଆଳୁ କୁଇଣ୍ଟାଲ ପ୍ରତି ୨୨ ଶହ ଟଙ୍କାରେ କିଣା ଯାଇଥିବା ବେଳେ ବାରିପଦାରେ ଖୋଲା ବଜାରରେ କୁଇଣ୍ଟାଲ ପ୍ରତି ୨ ହଜାରରୁ ୨୪ ଶହ ଟଙ୍କା ରହିବ ବୋଲି ମୟୂରଭଞ୍ଜ ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ବଢିଲା ମଧ୍ୟାହ୍ନ ଭୋଜନ ସହାୟତା ରାଶି; ଆଉ ମିଳିବନି ପାଣିଆ ଡାଲି !
କିଛି ଦିନ ଧରି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଏଯାଏ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ପୁରା ସ୍ବାଭାବିକ ହୋଇନି । ତେବେ ଆଳୁ ସଙ୍କଟ ଦୂର ପାଇଁ ଗତ ଅଗଷ୍ଟ ୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟେଲିଫୋନ ଯୋଗେ ମମତାଙ୍କ ସହ ଆଲୋଚନା କରି ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ଦିଲ୍ଲୀରେ ନୀତି ଆୟୋଗ ବୈଠକ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା। ମାତ୍ର ଏହାର କିଛି ଦିନ ପରେ ପୁଣି ଆଳୁ ଯୋଗାଣ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଏବଂ ଶୀତଳଭଣ୍ଡାର ମାଲିକମାନେ ପ୍ରସ୍ତାବିତ ଧର୍ମଘଟରୁ ଓହରିଥିବା ସୂଚନା ମିଳିଛି। ଫଳରେ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)