• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆକାଶ ଜଳୁଛି... ମାଟି ବି ଜଳୁଛି... ମଝିରେ ସନ୍ତୁଳି ହେଉଛି, ତାତିରେ ଆଉଟୁପାଉଟୁ ମଣିଷ । ଗରମ ଓ ଗଳୁଗୁଳି ବଢ଼ିବା ସହ ନାନାଦି ସମସ୍ୟା ବି ବଢ଼ୁଛି ଗାଁରୁ ସହର... ଉପାନ୍ତରୁ ଆଭ୍ୟନ୍ତର ଯାଏଁ । କେଉଁଠି ପିଇବା ପାଣି ପାଇଁ ଛଟପଟ ଗରିବଗୁରୁବା, ତ ଆଉ କେଉଁଠି ସେଚ ଅସୁବିଧାକୁ ନେଇ ତାତିଲେଣି ଚାଷୀକୁଳ ।

ଯେଉଁ ପାଣିରେ ହୁଏତ ଆପଣ ମୁହଁ ଧୋଇବାକୁ ନାକ ଟେକିବେ, ସେଭଳି ଗୋଳିଆ ପାଣିକୁ ନିଇତି ପିଉଛନ୍ତି ଲୋକେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ନିଲଡିକିଆ ଓ ପାଙ୍ଗୁଲି ଗାଁରେ । ଏଠି ନଳକୂଅ ନ ଥିବାରୁ ଘରଠୁ ଏକ କିଲୋମିଟର ଚାଲିଚାଲି ଆସନ୍ତି ମହିଳା । ଆଉ କୂଅରୁ ଗରା ବାଲଟିରେ ବୋହି ନିଅନ୍ତି ଏହି ଗୋଳିଆ ପାଣି । ହେଲେ ବିଡ଼ମ୍ବନା, ଏକଥା ବିଡିଓଙ୍କୁ ପଚାରିବାରୁ ସେ କହିଲେ- ମୁଁ ଜାଣିନି, ଜେଇଙ୍କୁ ପଚାରି ବୁଝିବି।

ସେହିପରି ନବରଙ୍ଗପୁର ଜିଲ୍ଲାର ଉମରକୋଟ। ନିଦାଘ ଆସିବା ଆଗରୁ ଚାଷଜମି ଶୁଖି ଧାନ ଓ ମକା ଫସଲ ନଷ୍ଟ ହେବା ପରେ, ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଭାସ୍କେଲ ଜଳ ଭଣ୍ଡାରରୁ ପାଣି ଛାଡ଼ିବା ଓ କେନାଲ ସଫେଇ ଦାବିରେ ଦୁର୍ଗାଗୁଡ଼ାଠାରେ ଅବରୋଧ କରିଛନ୍ତି ରାଜ୍ୟ ରାଜପଥ । ଉଠା ଜଳସେଚନ ବିଭାଗ ଏସଡିଓ ସନ୍ଧ୍ୟା ସୁଦ୍ଧା କେନାଲରେ ପାଣି ଛଡ଼ାଯିବା ନେଇ ପ୍ରତିଶ୍ରୁତି ଦେବା ପରେ, ଆନ୍ଦୋଳନ ହଟିଛି ।

ଉମରକୋଟ ଆନ୍ଦୋଳନକୁ ନେଇ ବିଭାଗୀୟ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ, ପୁରୀ ସତ୍ୟବାଦୀରେ ରୋଚକ ସ୍ଥିତି । ମିଡିଆ ବୁମ୍ ଦେଖି ପଳାଇଲେ ବିଭାଗୀୟ ଯନ୍ତ୍ରୀ । ଏଠି ବସୁଧା ଯୋଜନା ପାଣିଟାଙ୍କି ମୁଣ୍ଡ ଟେକିଥିଲେ ବି; ନଦୀ, କେନାଲ ଓ ପୋଖରୀ ଭରସାରେ ଅଧିକାଂଶ ସାରଙ୍ଗଯୋଡ଼ି ଓ ବଳପୁର ପଞ୍ଚାୟତ ବାସିନ୍ଦା । ସୁଆଣ୍ଡୋ ବ୍ରିଜ ନିକଟରେ ଶିଉଳି ଭର୍ତ୍ତି ଜରାଜୀର୍ଣ୍ଣ ପାଣିଟାଙ୍କିକୁ ଦେଖାଇ, ଏଠି ସରକାରୀ ଯୋଜନା ପ୍ରହସନ ପାଲଟିଥିବା କହିଛନ୍ତି ଲୋକେ । ତେବେ ପ୍ରତିକ୍ରିୟା ଦେବାକୁ ମନା କରିବା ସହ, କାମ ସରିଲେ ପାଣି ମିଳିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।