Kalki Avatar Row: ବାବା-ଦରବାର-ବିବାଦ: ଆଶ୍ରମ ଭିତରେ ବସୁଥିଲା ଆସର, ସାମ୍ନାକୁ ଆସିଲା ଭିଡିଓ...

ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା ।

Kalki Avatar Row

ବିଶ୍ୱାସ ଆଉ ଗୁରୁଶିଷ୍ୟ ପରଂପରା ନାଁରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ଭାଣ୍ଡାମୀ ? ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା । ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ। ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା । କାଳେ ବୈକୁଣ୍ଠ ଧାମରେ ବସି ବାବା ସବୁ ଦୁଃଖ କଷ୍ଟ ଲୋକଙ୍କ ଦୂର କରି ଦେବେ ବୋଲି କହୁଥିଲେ ।  ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 

ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମିକୁ ମାଡ଼ିବସି ଏକ ସାମ୍ରାଜ୍ୟ ଛିଡ଼ା କରାଇବାକୁ ରଚାଯାଉଥିଲା କି ମସୁଧା ? ଆଜି ତୃତୀୟ ଦିନରେ ଆଶ୍ରମ ଜମିର ଖୋଳତାଡ଼ କରିଥିବା ପ୍ରଶାସନିକ ଅଧିକାରୀଙ୍କ ଏଭଳି ଇଙ୍ଗିତ ଏବଂ କିଛି ସାଧାରଣ ଜନତାଙ୍କ ସଂଗୀନ ଅଭିଯୋଗ ପରେ ଏବେ ଏମିତି ଆଶଙ୍କା କରାଯାଉଛି । କିନ୍ତୁ ଆଶ୍ରମ ପକ୍ଷରୁ ଆଜି ଆଉ କେହି ମୁହଁ ଖୋଲିନାହାନ୍ତି ।

ଅଧିକ ପଢ଼ନ୍ତୁ: ବାବାଙ୍କ ଉପରେ ଯୁବତୀଙ୍କ ସଙ୍ଗୀନ ଆରୋପ, ‘ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି’

ଏହାରି ଭିତରେ ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ଜମି ପ୍ରସଙ୍ଗରେ GA ବିଭାଗ ଯାହା ଆଶଙ୍କା କରୁଥିଲା, ତାହା ହିଁ ହେଲା । ସରକାରୀ ଜମିରେ ହିଁ ତିଆରି ହୋଇଛି ବୈକୁଣ୍ଠ ଆଶ୍ରମ । ବିଭାଗୀୟ ସହକାରୀ ନିର୍ଦ୍ଦେଶକ କହିଛନ୍ତି, ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଜିଏ ପକ୍ଷରୁ ମାପଚୁପ ପରେ ସ୍ପଷ୍ଟ ହୋଇଥିବା କହିଛନ୍ତି ସହକାରୀ ନିର୍ଦ୍ଦେଶକ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।

ନାବାଳକଙ୍କୁ ବାବା ସଜେଇବା ଘଟଣାରେ ଆଗକୁ ବଢିଥିଲା ତଦନ୍ତ ପ୍ରକ୍ରିୟା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୋରଦାର ହୋଇଥିଲା ଖୋଳତାଡ଼ । ଭୁବନେଶ୍ୱରର ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଗତକାଲି ପହଞ୍ଚିଥିଲା ସାଧାରଣ ପ୍ରଶାସନର ଟିମ୍ । ସାଧାରଣ ପ୍ରଶାସନ ସହ BDAର ୮ ଜଣିଆ ଟିମ୍‌ ଖୋଳତାଡ଼ ଆରମ୍ଭ କରିଥିଲେ । ବୈକୁଣ୍ଠଧାମ ଆଶ୍ରମର ଜାଗାକୁ ନେଇ ମଧ୍ୟ ମାପଚୁପ୍ କରାଯାଇଥିଲା । ଯେଉଁ ସ୍ଥାନରେ ଆଶ୍ରମ ଅଛି ତାହା ସରକାରୀ ଜମି ନା ସ୍ଥିତିବାନ ଜମି ସେ ନେଇ ୮ ଜଣିଆ ଟିମ୍‌ ପକ୍ଷରୁ ତଦାରଖ କରିଥିଲେ ।

ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତଦନ୍ତ କରାଯାଇଥିଲା । ଆଶ୍ରମରେ ତହସିଲ୍, ବିଡିଏ ଓ BMCର ମିଳିତ ୮ ଜଣିଆ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ସେପଟେ ବୈକୁଣ୍ଠ ଆଶ୍ରମ ନିକଟରେ ଆଉ ଏକ ତିନି ମହଲା ଘର ବି ଠାବ ହୋଇଛି । କୁହାଯାଉଛି ଏହି ଘରେ ବାହାରୁ ଆସୁଥିବା ଭକ୍ତ ଓ ଅନୁଗାମୀଙ୍କୁ ରଖାଯାଉଥିଲା। ବିଶେଷ ଭାବେ ବିଦେଶୀ ଭକ୍ତ ଏଠି ରହୁଥିଲେ ।

ସେପଟେ ବୈକୁଣ୍ଠଧାମ ଆଶ୍ରମରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନା ନାଁରେ ଯେଉଁ ଘଟଣା ସବୁ ଘଟୁଥିଲା, ତା’ର ଆଉ କିଛି ନୂଆ ଦିଗର ଅବତାରଣା କରି ଖଡଗହସ୍ତ କିଛି ମହିଳା । ତନ୍‌ଭୀ ନାମକ ଜଣେ ଯୁବତୀଙ୍କ ମୁହଁରୁ ଲୋକମୁଖରେ ଚର୍ଚ୍ଚିତ ସେହି ତଥାକଥିତ କଳ୍କୀ ବାବାଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ ।

ତନ୍‌ଭୀଙ୍କ ଅଭିଯୋଗ ହେଲା, ବାବା କୁଆଡ଼େ ପାଦରେ, ବେକରେ ଆଉ ମୁଣ୍ଡରେ ତୁଳସୀ ପକାଇ ଶ୍ରୀବୈକୁଣ୍ଠ ଧାମରେ ବସି ଲୋକଙ୍କ ଦୁଃଖସୁଖ ବୁଝୁଥିଲେ । ଏପରିକି ବାହାଘରଠୁ ସନ୍ତାନ ସନ୍ତତି ହେବା ଯାଏଁ କୁଆଡ଼େ ପ୍ରତିକାର ବି କରୁଥିଲେ । ଆଉ ଏହି ସେବା ବାବଦକୁ ଆଶ୍ରମ ପକ୍ଷରୁ ଆଦାୟ ହୁଏ ଲକ୍ଷ ଲକ୍ଷ ଟଙ୍କା । ତଥାକଥିତ କଳ୍କୀ ବାବା ପଟିଆ ଅଞ୍ଚଳରେ କାଫେରେ ଝିଅ ମାନଙ୍କ ସହ ବସା ଉଠା କରନ୍ତି ତ ଆଉ କେବେ ଟଙ୍କା ଉଡ଼ାଉଥିବା ତନ୍‌ଭୀ ନିଜେ ଦେଖିଥିବା କହିଛନ୍ତି । ଏଣେ ବାବା ଓ ଆଶ୍ରମର କାର୍ଯ୍ୟକଳାପ ସଂପର୍କରେ ଏଭଳି ନାନା ଅଭିଯୋଗ ଭିତରେ ଆଶ୍ରମରେ ପହଞ୍ଚି ଗେଟରେ ଥିବା ‘ଶ୍ରୀ’ ଲେଖାକୁ କାଦୁଅ ବୋଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କିଛି ମହିଳା ।

ଅଧିକ ପଢ଼ନ୍ତୁ: ବାଲି ଯାତ୍ରାରେ ମିଳୁଛନ୍ତି ସ୍ୱାମୀ-ସ୍ତ୍ରୀ !! ଦର ୪୦ ହଜାର ..