• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ଚକ୍ରାନ୍ତ ? ଭୁବନେଶ୍ବର ସ୍ଥାନାନ୍ତର ପାଇଁ ସରି ଯାଇଥିଲା କି ଆନୁସଙ୍ଗିକ ପ୍ରକ୍ରିୟା ? ନିଜ ସ୍ବାର୍ଥ ପାଇଁ ବିଜେଡି ସରକାର ଅମଳରେ ଜଣେ IPS ଅଫିସର୍ କରିଥିଲେ କି ଏ ଫନ୍ଦି ? କଟକ ସିଡିଏ କୃଷକ ବଜାରରେ ଥିବା ଅବକାରୀ ନିର୍ଦ୍ଦେଶାଳୟ ଅଧୀନସ୍ଥ ବିଭାଗୀୟ କମିଶନରଙ୍କ କାର୍ଯ୍ୟାଳୟକୁ ନେଇ ଏମିତି ମାଳ ମାଳ ପ୍ରଶ୍ନ ଭିତରେ, ଗତକାଲି ସ୍ଥାନୀୟ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ହଠାତ୍ ସେଠାକୁ ଯାଇ କରିଥିଲେ ଅନୁସନ୍ଧାନ । ଭିତରର ସ୍ଥିତି ଦେଖି ଚକିତ ହୋଇ ଯାଇଥିଲେ ବିଧାୟିକା । ବାରଣ୍ଡାରେ ଅତି ଦୟନୀୟ ଅବସ୍ଥାରେ ଥୁଆ ହୋଇଛି, ଅତି ଦରକାରୀ ଶହ ଶହ ପୁରୁଣା ଫାଇଲ୍ । କେଉଁଟିରେ ନାଲି ଫିତା ବନ୍ଧା ହୋଇଛି, ତ କେଉଁଟି ଫିମ୍ପି ମାରି ଯାଇଛି।

ଏମିତିକି ନିଜ ପରିଦର୍ଶନ ସମୟରେ ଜଣେ ବି ବରିଷ୍ଠ ଅଧିକାରୀଙ୍କୁ ଦେଖିବାକୁ ପାଇନଥିଲେ ବିଧାୟିକା । ଅଭିଯୋଗ ଆଣିଥିଲେ, କଟକରୁ ଏ ଅତି ପୁରାତନ ଅଫିସ୍ ଭୁବନେଶ୍ବର ଉଠାଇନେବାକୁ ଚକ୍ରାନ୍ତ ହୋଇଛି, କିନ୍ତୁ ତାକୁ କେବେ ବି ସଫଳ ହେବାକୁ ଦିଆଯିବନି । ବିଜେପି ମଧ୍ୟ ସୋଫିଆଙ୍କ ସନ୍ଦେହ ସତ ବୋଲି କହିଛି । ପୂର୍ବତନ ମନ୍ତ୍ରୀ ସମୀର ଦେ ସିଧାସଳଖ ଏଥିପାଇଁ ପୂର୍ବ ବିଜେଡି ସରକାର ଅମଳରେ ଅବକାରୀ କମିଶନର ଦାୟିତ୍ବରେ ଥିବା ଜଣେ ଗେହ୍ଲା ଆଇପିଏସ୍ ଅଫିସରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତାଙ୍କ ସୁବିଧା ପାଇଁ ସେ ଏ ପ୍ଲାନ୍ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ସମୀର । ତାଙ୍କ ବିରୋଧରେ ମୋହନ ସରକାର ଆକ୍ସନ ନେବାକୁ ସେ ଦାବି କରିଛନ୍ତି । ସେପଟେ କଟକ ମେୟର କହିଛନ୍ତି- ଯେଉଁ ଅଫିସର ଏ ଚକ୍ରାନ୍ତ କରିଥିବେ ତାଙ୍କ ବିରୋଧରେ ରାଜ୍ୟ ସରକାର ଆକ୍ସନ ନିଅନ୍ତୁ।

ଏଠି ପ୍ରଶ୍ନ ବିଜେଡି ସରକାର ଅମଳର କିଏ ସେ ଗେହ୍ଲା ଅଫିସର ? ଯିଏ ନିଜ ସ୍ବାର୍ଥ ପାଇଁ କଟକରୁ ଭୁବନେଶ୍ବରକୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ କରିଥିଲେ ଫନ୍ଦି ? ଯଦି ତଥ୍ୟ ଖୋଜାଯାଏ ତାହାଲେ ୨ବର୍ଷ ତଳେ ଅବକାରୀ କମିଶନର ଦାୟିତ୍ବରେ ଥିଲେ ଆଇପିଏସ୍ ଆଶିଷ ସିଂ। ସେ ଗୁଇନ୍ଦା ବିଭାଗ ଡିଆଇଜି ସହ ଅବକାରୀ କମିଶନର ବି ଥିଲେ । ଆଉ ସବୁ ଘଟଣାର ପୋଲ୍ ଖୋଲିଛି ଏ ଚିଠି। ୨୦୨୨ ମେ ୯ ତାରିଖରେ ରାଜ୍ୟ ଅବକାରୀ ଡେପୁଟି କମିଶନରଙ୍କୁ ଇପିକଲ୍ ଲେଖିଛି- ଯେ ଅବକାରୀ ବିଭାଗର ଆବଶ୍ୟକ ମୁତାବକ ଭୁବନେଶ୍ବରରସ୍ଥିତ ଇପିକଲ୍ ମୁଖ୍ୟ ବିଲଡିଂର ଚତୁର୍ଥ ମହଲାରେ ୱେଲ ଫର୍ନିସିଂ ଅଫିସ୍ ପ୍ରସ୍ତୁତ ହୋଇସାରିଛି ।

ପ୍ରଶ୍ନ ଉଠୁଛି- ଯେହେତୁ ଭୁବନେଶ୍ବରରେ ଗୁଇନ୍ଦା ବିଭାଗ ଅଫିସ୍ ରହିଛି, ତେଣୁ ସେଇଠୁ ଥାଇ ଦୁଇଟି ଯାକ ବିଭାଗ କାମ କିପରି ସୁବିଧାରେ ତୁଲାଇବେ, ସେଥିପାଇଁ ଭୁବନେଶ୍ବରକୁ ଅବକାରୀ କମିଶନର ଅଫିସ ଆଣିବାକୁ ଚାହିଁଥିଲେ କି ଆଶିଷ ସିଂ? ଏନେଇ ଆଶିଷ ସିଂଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଏବେକାର ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି- କଟକରୁ ଅବକାରୀ କମିଶନର ଅଫିସ ସ୍ଥାନାନ୍ତରର ପ୍ରସ୍ତାବ ନାହିଁ’। ରାଜସ୍ବ ପର୍ଷଦ କୋଠାରୁ ୧୯୯୯ରେ ଅଲଗା ହେବା ପରେ ବି ଅଫିସ ସେଇଠି ଚାଲିଥିଲା । କଟକରେ ସ୍ଥାନାଭାବରୁ ୨ ବର୍ଷ ତଳେ କେବଳ ଲ୍ୟାବ୍, ଗୋଦାମ ଓ ଫ୍ଲାଇଂ ସ୍କ୍ବାଡ୍ ଅଫିସ ଭୁବନେଶ୍ବର ଆସିଥିଲା। କିନ୍ତୁ କମିଶନର ଅଫିସ ଏବେ ବି କଟକରେ ଅଛି ।

  • Reported by:
  • DEBASHISH MOHANTY , RASHMIRANJAN DAS

OTV is now on Whatsapp

Join and get latest news update delivered to you via whatsapp

Join Now