ଭୁବନେଶ୍ୱରରୁ ୨୦ରୁ ୨୫ କିଲୋମିଟର ଦୂର, ଖୋର୍ଦ୍ଧା, ପିପିଲି ଓ କଟକ ଯିବାକୁ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ। ଆଉ ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳି ଟଙ୍କା । ବଡ଼ କଥା ହେଲା ଏ ବାବଦରେ କେତେ ଖର୍ଚ୍ଚ ହୋଇଛି ସେ ହିସାବ ବି ସରକାରୀ ଖାତରେ ନାହିଁ। ତେଣୁ ଏହାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏପଟେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମାତ୍ର ୩ଟି ନିର୍ବାଚନ ମଣ୍ଡଳୀରେ ୧୮ଟି ହେଲିପ୍ୟାଡ୍ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଖର୍ଚ୍ଚ କରିଛି ୭୫ ଲକ୍ଷ ଟଙ୍କା।
ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ ! ହେଲିକପ୍ଟର ଉଡ଼ାଣ ଆଉ ହେଲିପ୍ୟାଡ୍ ନିର୍ମାଣ ବାବଦରେ କେତେ ହୋଇଛି ଖର୍ଚ୍ଚ ? ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ତ୍ତ ମନ୍ତ୍ରୀ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ଦେଉଥିଲା ଅନୁମତି ? କିଏ ନିର୍ମାଣ କରୁଥିଲା ? ଏଥି ପାଇଁ କେଉଁ ବିଭାଗ ଖର୍ଚ୍ଚ କରୁଥିଲା ? ଯଦି ବିଭାଗ ଖର୍ଚ୍ଚ କରୁଥିଲା ତାହେଲେ କାହିଁକି ସରକାରଙ୍କ ପାଖେ ତାର ତଥ୍ୟ ନାହିଁ ? ଏସବୁର ତଦନ୍ତ ହେବା ଆବଶ୍ୟକ ଅଛି ବୋଲି କହିଛନ୍ତି ମନ୍ତ୍ରୀ। ଆହୁରି ମଧ୍ୟ କହିଛନ୍ତି ଜଣେ ସଚିବ ସ୍ତରର ଅଧିକାରୀଙ୍କ ପାଇଁ ହେଲିକପ୍ଟର ବ୍ୟବହାର ପାଇଁ ଆଇନରେ ପ୍ରାବଧାନ ନଥାଇ ବି ପାଣ୍ଡିଆନ କେମିତି ହେଲିକପ୍ଟର ବ୍ୟବହାର କଲେ ? ଏଥି ପାଇଁ ଅନୁମତି କିଏ ଦେଇଥିଲା, ତାର ମଧ୍ୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ। କଂଗ୍ରେସ ମଧ୍ୟ ଦାବ କରିଛି ପାଣ୍ଡିଆନଙ୍କ ହେଲିକପ୍ଟର ଦୁର୍ନୀତି ସହ ପାନୀୟ ଜଳ ଏବଂ କୋଭିଡ୍ ଦୁର୍ନୀତିର ବି ତଦନ୍ତ ହେଉ। ବିଜେଡି କହିଛି କୌଣସି ଦୁର୍ନୀତି ହୋଇନି।
Also Read
କେମିତି ହେଲିକପ୍ଟରରେ ଦିନରାତି ଘିରି ଘିରି ବୁଲୁଥିଲେ ପାଣ୍ଡିଆନ। ଆଉ କେମିତି ନିର୍ବାଚନ ମଣ୍ଡଳୀଗୁଡିକରେ ଖେଳ ପଡିଆ ପରି ତିଆରି ହେଉଥିଲା ହେଲିପ୍ୟାଡ୍। ତାର ଏକ ପ୍ରମାଣ ଲାଗିଛି ଓଟିଭି ହାତରେ। ଏହା ମାତ୍ର ଭାତ ହାଣ୍ଡିରୁ ଗୋଟିଏ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ହେଉଛି ହେଲିପ୍ୟାଡ୍ ନିର୍ମାଣ ଖର୍ଚ୍ଚର। ରାଜଧାନୀକୁ ଲାଗିଥିବା କଟର ୩ଟି ନିର୍ବାଚନ ମଣ୍ଡଳୀରେ ୧୮ଟି ହେଲିପ୍ୟାଡ୍ ପାଇଁ କଟକ ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୭୫ ଲକ୍ଷ ଟଙ୍କା। ଗୋଟିଏ ଗୋଟିଏ ହେଲିପ୍ୟାଡ୍ ପାଇଁ ୩ରୁ ୪ ଲକ୍ଷ। ଯଦି ୩ଟି ନିର୍ବାଚନ ମଣ୍ଡଳୀରେ ୭୫ ଲକ୍ଷ ତାହା ପୁଣି ହେଲିପ୍ୟାଡ୍ ପାଇଁ ତାହେଲେ ୧୪୭ ନିର୍ବାଚନ ମଣ୍ଡଳୀ କଥା ଅନୁମାନ କରନ୍ତୁ। ବଡ କଥା ହେଲା ମାଲକାନାଗିରି କି କୋରାପୁଟ ନୁହେଁ, ଖୋର୍ଦ୍ଧା, ପିପିଲି ଯିବାକୁ ବି ପାଣ୍ଡିଆନଙ୍କ ପାଇଁ ଉଡୁଥିଲା ହେଲିକପ୍ଟର। ପୂର୍ବତନ ପ୍ରଶାସକଙ୍କ ମତରେ ଜଣେ ସଚିବ ଏକାକୀ ହେଲିକପ୍ଟର ବ୍ୟାବହାର କରିପାରିବେ ନାହିଁ।
ତଦନ୍ତ ଆଉ କାର୍ଯ୍ୟାନୁଷ୍ଠାନ ତ ପର କଥା, ହେଲେ କେତେ ଖର୍ଚ୍ଚ ହୋଇଛି ତାର ହିସାବ କାହିଁକି ସରକାରୀ ଖାତାରେ ନାହିଁ ? ସେ ତଥ୍ୟ କଣ ପୂର୍ବ ସରକାର ଉଡାଇ ଦେଇଛନ୍ତି, ନା ନୂଆ ସରକାରରେ କିଛି ଅଧିକାରୀ ତଥ୍ୟ ଲୁଚାଇ ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛନ୍ତି ?
#କଟକ_ଓ_ଖୋର୍ଦ୍ଧାକୁ_ବି_ହେଲିକପଟରରେ_ଉଡିଥିଲେ_ପାଣ୍ଡିଆନ୍
— ଓଟିଭି (@otvkhabar) August 11, 2024
ଭୁବନେଶ୍ୱରରୁ ୨୦ରୁ ୨୫ କିଲୋମିଟର ଦୂର, ଖୋର୍ଦ୍ଧା, ପିପିଲି ଓ କଟକ ଯିବାକୁ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ। ଆଉ ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳି ଟଙ୍କା। #Helicaptor #OdishaPolitics #Odisha #OTV pic.twitter.com/EUuDA4K20j
- Reported by:
- JAGDISH DAS , SOUMYA RANJAN SAHOO