/odishatv-khabar/media/post_attachments/uploadimage/library/16_9/16_9_0/vigilance_1753422591.jpg)
vigilance
ଡେପୁଟି ରେଞ୍ଜରଙ୍କ ଘରେ ଟଙ୍କାର ପାହାଡ଼ । କୋଟିଏ କି ଦୁଇ କୋଟି ନୁହେଁ ଏକାବେଳେ ମିଳିଲା ଦେଢ କୋଟି ଟଙ୍କା କ୍ୟାସ୍ । ଜୟପୁର ଡେପୁଟି ରେଞ୍ଜର୍ ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ କୋଟିଏ ୪୪ ଲକ୍ଷ ଟଙ୍କା ଠାବ କରିସାରିଲାଣି ଭିଜିଲାନ୍ସ । ସିକ୍ରେଟ ଚାମ୍ବରରେ ବାବୁ ସାଇତି ରଖିଥିଲେ ଖାଲି ୫୦୦ ଆଉ ୨୦୦ ଟଙ୍କିଆ ନୋଟ୍। ଟଙ୍କା ଛଡ଼ା ସୁନା ବିସ୍କୁଟ୍ ଓ ବିପୁଳ ପରିମାଣର ସୁନା ଅଳଙ୍କାର ବି ଠାବ କରିଛି ଭିଜିଲାନ୍ସ। ୪ଟି ସୁନା ବିସ୍କୁଟ୍, ୧୬ଟି ଗୋଲ୍ଡ କଏନ୍ ଠାବ ହୋଇଛି । ପ୍ରତି ସୁନା କଏନର ଓଜନ ୧୦ ଗ୍ରାମ ଲେଖାଏଁ। ଏଥିସହ ଅଧ କେଜି ସୁନାକୁ ୨ କେଜି ରୂପା ବି ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।
ବାବୁଙ୍କର ଭୁବନେଶ୍ବରରେ ଗୋଟିଏ ଓ ଜୟପୁରରେ ରହିଛି ୩ଟି ଫ୍ଲାଟ୍। ଜୟପୁରରେ ୨ଟି ଜମି ଓ ଆଲିସାନ୍ ଘର ମଧ୍ୟ ରହିଛି। କଳା ସମ୍ପତ୍ତିକୁ ରଖିବାକୁ ଘରେ ସିକ୍ରେଟ୍ ଚାମ୍ବର ତିଆରି କରିଥିଲେ ନେପାକ। ଆସନ୍ତା କିଛି ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ତା ପୂର୍ବରୁ ଆଜି ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଚଢାଉ କରି ବାବୁଙ୍କ କଳା ଟଙ୍କାର ହିସାବ କରୁଛି ଭିଜିଲାନ୍ସ।
ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍ ହୋଇଥିଲା। କୋରାପୁଟର ଜୟପୁର ଟାଉନସ୍ଥିତ ପି.ଆର୍ ପେଟାରେ ଥିବା ବାସଭବନ, ଜୟପୁର ଟାଉନରେ ଥିବା ଗୋଲ୍ଡେନ ହାଇଟ୍ ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟରେ ଦୁଇଟି ଫ୍ଲାଟ, ଜୟପୁର ଟାଉନରେ ଥିବା ଶ୍ବଶୁର ଘର, ଜୟପୁର ବନଖଣ୍ଡ ଅଫିସ ଚଢାଉ, ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଘରେ ଚଢାଉ ଚାଲିଛି।
ଚଢାଉରେ ୬ DSP, ୫ ଇନ୍ସପେକ୍ଟର, ୬ ASI ସାମିଲ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ଡ଼ିସେମ୍ବରରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଅବସର ଗ୍ରହଣ କରିଥାନ୍ତେ। ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)