Advertisment

Valentine's Day: ପ୍ରେମ ଦିବସରେ ଏମିତି କହିଲେ ପ୍ରେମିକ: ତୋ ଗୋଡ଼ ସିନା ଅଚଳ ହୋଇଗଲା, ମୋ ପ୍ରେମ କିନ୍ତୁ ତୋ ପାଇଁ ସଦା ସଚଳ

କଲେଜ ବଦଳିବା ପରେ ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ପ୍ରେମରେ ପଡ଼ିନଥିଲା ଭଟ୍ଟା। ବରଂ ଗଭୀର ହୋଇଥିଲା ପ୍ରେମ। ପ୍ରେମ ପକ୍ଷୀଟିଏ ପରି ଉଭୟ ସେଲ୍‌ଫି ଉଠାଉଥିଲେ ଓ ପ୍ରଜାପତିଟି ପରି ଏ ବଗିଚା ସେ ବଗିଚା ଉଡି ବୁଲୁଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Balasore

Balasore

ଆଜି ପ୍ରେମ ଦିବସ। ଭ୍ୟାଲେଣ୍ଟାଇନ୍‌ ଡେ’। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଏହି ଦିନଟି ଅତି ଖାସ୍‌। ପ୍ରେମିକାଙ୍କ ମନ ଜିଣିବା ପାଇଁ କିଏ କେମିତିକା ଢଙ୍ଗରେ ସେଲିବ୍ରେସନ୍‌ କରୁଛନ୍ତି। କିଏ ଉପହାର ଦେଇ ମନର ମାନସୀଙ୍କ ମନ ଜିଣୁଛନ୍ତି ତ ଆଉ କିଏ ବୁଲାଇ ନେଉଛନ୍ତି। ହେଲେ ପ୍ରେମର ଏହି ଦିବସରେ ବାଲେଶ୍ୱରରେ ଦେଖିବାକୁ ମିଳିଛି ନିଆରା ପ୍ରେମ। ଯେମିତି ଲାଗୁଛି ଜଣେ ଅନ୍ୟ ଜଣଙ୍କ ପାଇଁ ଗଢ଼ା ହୋଇଛନ୍ତି। ଜଣଙ୍କ ବିନା ଅନ୍ୟ ଜଣଙ୍କ ଜୀବନ ଅଧୁରା। ସେଥିପାଇଁ ପ୍ରେମିକରୁ ସ୍ୱାମୀ ହୋଇଥିବା ଶୁଭ୍ରାଂଶ କହୁଛନ୍ତି, ତୋ ଗୋଡ଼ ସିନା ଅଚଳ ହୋଇଗଲା। ହେଲେ ମୋ ପ୍ରେମ କିନ୍ତୁ ତୋ ପାଇଁ ସଦା ସଚଳ...।

Advertisment

ଔପଦା ଅଞ୍ଚଳର ଶୁଭ୍ରାଂଶୁ ମହାପାତ୍ର ସୋର ୟୁଏନ୍‌ କଲେଜରେ ପାଠ ପଢ଼ୁଥିଲେ। ଆଉ ତାଙ୍କ ଜୁନିୟର ଥିଲେ ରେମୁଣା ବ୍ଲକ୍‌ ବିରୁଗାଁର ଦେବସ୍ମିତା ପଣ୍ଡା। ପ୍ରଥମ ଦେଖାରେ ଉଭୟ ପରସ୍ପରର ନୀରବ ପ୍ରେମରେ ପଡ଼ିଥିଲେ। ଆଖିରେ ଆଖି ମିଶିଥିଲା। ପରବର୍ତ୍ତୀ ସମୟରେ ଉଭୟ ମନ ଦିଆନିଆ ହୋଇଥିଲେ। ପ୍ରେମ ପକ୍ଷୀଟିଏ ପରି ଏ ଡାଳରୁ ସେ ଡାଳ ଉଡି ବୁଲୁଥିଲେ। ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ। କେତେବେଳେ କେମିତି ୟୁଏନ୍‌ କଲେଜରେ ପାଠ ପଢ଼ା ସରିଗଲା, କେହି ଜାଣିପାରିଲେ ନାହିଁ। ପରେ ଶୁଭ୍ରାଂଶୁ ବାଲେଶ୍ୱର ଓ ଦେବସ୍ମିତା ପୁରୀ ଚାଲିଗଲେ। ନିଜ କ୍ୟାରିୟରକୁ ଅଧିକ ଫୋକସ୍‌ ଦେଉଥିଲେ। ହେଲେ ଉଭୟ ପ୍ରେମଠାରୁ ଦୂରେଇ ଯାଇନଥିଲେ।

କଲେଜ ବଦଳିବା ପରେ ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ପ୍ରେମରେ ପଡ଼ିନଥିଲା ଭଟ୍ଟା। ବରଂ ଗଭୀର ହୋଇଥିଲା ପ୍ରେମ। ପ୍ରେମ ପକ୍ଷୀଟିଏ ପରି ଉଭୟ ସେଲ୍‌ଫି ଉଠାଉଥିଲେ ଓ ପ୍ରଜାପତିଟି ପରି ଏ ବଗିଚା ସେ ବଗିଚା ଉଡି ବୁଲୁଥିଲେ। ଏହାରି ଭିତରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ନିଜ ନିଜ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ମଧ୍ୟ ବିବାହ ପାଇଁ ସମ୍ମତି ପ୍ରକାଶ କରିଥିଲେ। ଦେଖାଚାହାଁ ପରେ ୨୦୧୯ ମସିହା ଏପ୍ରିଲ୍‌ ୧୫ ତାରିଖ ନିର୍ବନ୍ଧ କରିବାକୁ ଲଗ୍ନ ଧାର୍ଯ୍ୟ ହୋଇଥିଲା।

Advertisment

ବିବାହକୁ ନେଇ ଶୁଭ୍ରାଂଶୁ ଓ ଦେବସ୍ମିତା ବେଶ୍‌ ଖୁସିରେ ଥିଲେ। ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଦେବସ୍ମିତା। ସ୍ନାୟୁଗତ ରୋଗରେ ସେ ପଡ଼ିଲେ। ମେରୁଦଣ୍ଡରୁ ଗୋଡ ପର୍ଯ୍ୟନ୍ତ କିଛି କାମ କଲାନି। ପରିବାର ଲୋକେ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏ କଥା ଶୁଣିବା ପରେ ପ୍ରେମିକାଙ୍କ ପାଖରେ ପହଞ୍ଚିଥିଲେ ଶୁଭ୍ରାଂଶୁ। ତାଙ୍କର ସେବା କରିବାରେ ଲାଗି ପଡ଼ିଲେ। ଦୀର୍ଘ ଦିନ ଧରି ଚାଲିଲା ଚିକିତ୍ସା। ପରେ ଦେବସ୍ମିତାଙ୍କ ଦେହ ସିନା ଠିକ୍‌ ହେଲା, ଗୋଡ କାମ କଲାନାହିଁ। ହ୍ୱିଲ୍‌ ଚେୟାର ହେଲା ସାହା ଭରସା। ନିଜର ଅସହାୟତା ଦେଖି ବିବାହ କରି ଘର ସାଂସାର ଗଢ଼ିବାକୁ ପରାମର୍ଶ ଦେଇଥିଲେ ଦେବସ୍ମିତା। ହେଲେ ଦେବସ୍ମିତାଙ୍କ ପ୍ରସ୍ତାବକୁ ମାନିନଥିଲେ ଶୁଭ୍ରାଂଶୁ।

ଆଉ ରୋକ୍‌ଠୋକ୍‌ ଶୁଣାଇଦେଇଥିଲେ ଶୁଭ୍ରାଂଶୁ। କହିଥିଲେ, ବାହାହେବି ତ ତୁମକୁ(ଦେବସ୍ମିତା)। ନହେଲେ ବାହା ହେବିନି। ତା’ପରେ ଦେବସ୍ମିତାଙ୍କ ସେବାରେ ଲାଗି ପଡ଼ିଥିଲେ। ଭଗବାନଙ୍କ ଆଶୀର୍ବାଦ ହେଉ ବା ଶୁଭ୍ରାଂଶୁଙ୍କ ସେବା, ଧୀରେ ଧୀରେ ଦେବସ୍ମିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲା। ୨୦୨୨ ମସିହାରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ଶୁଭ୍ରାଂଶୁ। ସେଥିପାଇଁ ବଧୂ ବେଶରେ ସଜେଇ ହେଲେ ଦେବସ୍ମିତା ଓ ବର ବେଶରେ ଆସିଥିଲେ ଶୁଭ୍ରାଂଶୁ। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ପଡ଼ିଥିଲା ହାତଗଣ୍ଠି। ଆଉ ଦେବସ୍ମିତାଙ୍କ ସିନ୍ଥିରେ ଶୁଭ୍ରାଂଶୁ ଭରିଥିଲେ ସିନ୍ଦୂର। ଦେବସ୍ମିତାଙ୍କୁ ପ୍ରେମିକାରୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ଶୁଭ୍ରାଂଶୁ।

ବାହାଘରକୁ ୩ ବର୍ଷ ବିତିଗଲାଣି। ଅନେକ ବାଧା ବିଘ୍ନ ପରେ ମଧ୍ୟ କେହି କାହାକୁ ଛାଡି ନାହାଁନ୍ତି। ପରସ୍ପର ହାତ ଧରି ଗୋଟିଏ ଛାତ ତଳେ ଅଛନ୍ତି ଓ ଭାବ ଦିଆନିଆ ହେଉଛନ୍ତି। ସକାଳେ ଉଠିବାଠାରୁ ଆରମ୍ଭ କରି ଶୋଇବା ପର୍ୟ୍ୟନ୍ତ ଦେବସ୍ମିତାଙ୍କ ଯତ୍ନ ନେଉଛନ୍ତି ଶୁଭ୍ରାଂଶୁ। ଏବେ ଉଭୟ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି। ସେଥିପାଇଁ ପ୍ରତ୍ୟେକ ଦିନ ଉଭୟ ଷ୍ଟୋରୀ ତିଆରି କରୁଛନ୍ତି ଓ ଅପ୍‌ଲୋଡ୍‌ କରୁଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି, ସେଥିରେ ଉଭୟ ଚଳୁଛନ୍ତି। ଭ୍ୟାଲେଣ୍ଟାଇନ୍‌ ଡେ’ରେ ଉଭୟଙ୍କୁ ଅନେକ ଅନେକ ଅଭିନନ୍ଦନ।

(ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନାଙ୍କ ରିପୋର୍ଟ)

Valentine's Day
Advertisment
Advertisment