• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ସାର ମତେ ଚଲେଇ ଦିଅନ୍ତୁ । ମୁଁ ବି ସ୍କୁଲ ଯିବି ପାଠ ପଢିବି, ଖେଳିବି, ବୁଲିବି, ଦୌଡ଼ିବି ।’ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏଭଳି କିଛି କରୁଣ ଶବ୍ଦ ଶୁଣିବାକୁ ମିଳିଥିଲା । ଜଣେ ଦିବ୍ୟାଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏଭଳି ନେହୁରା ହେଉଥିବା ସମସ୍ତଙ୍କୁ ହତବାକ କରିଥିଲା ।

ପାରାଦୀପ ଅଠରବାଙ୍କ ଅଞ୍ଚଳର ଦିବ୍ୟାଙ୍ଗ ଭାଇ ଶାନ୍ତନୁ ଓ ଭଉଣୀ ମାମାଲି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । ଆଉ ସେଇଠି ନିଜ ଇଚ୍ଛା ବ୍ୟକ୍ତ କରିଥିଲେ l ସେମାନଙ୍କ ପରିବାର କହିଲେ ବାପା ଶିବ ଶଙ୍କର ନାୟକ ଓ ମା’ ନିରୁପମା ନାୟକ ଓ ଦୁଇ ଦିବ୍ୟାଙ୍ଗ ଛୁଆ । ଜନ୍ମରୁ ସବୁ ଠିକ୍ ଥିଲା । ମାମାଲିକୁ ୩ ବର୍ଷ ଓ ଶାନ୍ତନୁକୁ ଦେଢ଼ ବର୍ଷ ହେବା ବେଳେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଲେ ଦୁଇଜଣ ।

ପଲ୍ଲୀରୁ ଦିଲ୍ଲୀ ବିଭିନ୍ନ ସ୍ଥାନରେ ବିଭିନ୍ନ ଡାକ୍ତରଖାନାରେ ପିଲାଙ୍କର ଚିକିତ୍ସା କରିବାକୁ ପଛାଇନାହାନ୍ତି ବାପା ମାଆ । ଘରର ସର୍ବସ୍ୱ ବନ୍ଧକ ରଖି ପିଲାଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦେଲେଣି । ହେଲେ ଫଳ ଶୂନ । ଏବେ ପାଖରେ ଆଉ ସମ୍ବଳ ନାହିଁ । ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ । ତେଣୁ ଏବେ ଆଶା ଆଶଙ୍କା ଓ ନିରାଶା ଭିତରେ ବାପା ମାଆଙ୍କ ଦିନ କଟୁଛି ।

ଏବେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଯେଉଁ ପ୍ରତିଶ୍ରୁତି ମିଳିଛି, ତାହା ଅସ୍ତଗାମୀ ପରିବାର ଭିତରେ ନୁଆ ଆଶା ସଂଚାର କରିଛି । ଆଉ ମାମାଲି ନିଜର ଅଚଳ ଗୋଡ଼ ପୁଣି ସଚଳ ହେବ, ଟ୍ରାଇସାଇକେଲ ଛାଡି ଚାଲିବ ବୁଲିବ ବୋଲି ମନରେ ଆଶା ବାନ୍ଧିଲାଣି । ଆଜିର ଏହି ଭେଟଘାଟ ଦିଶାହୀନ ପରିବାରକୁ ନୁଆ ଦିଶା ଦେଖାଇଛି l ସରକାର ଦୁଇ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ବିଭିନ୍ନ ବିଭାଗକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଅଭିଯୋଗ ପ୍ରକୋଷ୍ଠକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଆଗାମୀ ଦିନରେ RDC ସ୍ତରରେ ଅଭିଯୋଗ ଶୁଣାଣି ହେବ । ଅଭିଯୋଗ ଶୁଣାଣୀର ଆଜି ହେଉଛି ୨ୟ ଦିନ । ଆଉ ଦ୍ୱିତୀୟ ଦିନରେ ପାଖାପାଖି ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଛି । ସେଥି ମଧ୍ୟରୁ ୧୦୦୦ ରୁ ଅଧିକ ଅଭିଯୋଗ ଶୁଣାଣି ହୋଇଛି । ଶୁଣାଣୀରେ ୬ ମନ୍ତ୍ରୀ ସମେତ ୫ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଆମ ସରକାର ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଦେଉଛନ୍ତି ଏବଂ ଲୋକ କିଭଳି ନ୍ୟାୟ ପାଇବେ ସେଥିପାଇଁ ଆମେ ଚେଷ୍ଟିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now