/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727100210.jpg)
Tribals Protest
ଜଙ୍ଗଲ ଜମି ଅଧିକାର ଆଇନକୁ ସଂପୂର୍ଣ କାର୍ଯ୍ୟକାରୀ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗଠନ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଜଙ୍ଗଲ ଜମି ଅଧିକାର ମଂଚ ଏବଂ ଜିନ୍ଦାବାଦ ସଂଗଠନର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ସଂଗଠନ ପକ୍ଷରୁ ୧୮ ଦଫା ଦାବିରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଆନ୍ଦୋଳନ କରାଯାଇଛି । ଏଥିରେ ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡର ଆଦିବାସୀ ସଙ୍ଗଠନରେ ସାମିଲ ହୋଇଥିଲେ ।
ଝାରସୁଗୁଡା ଜିଲ୍ଲା ଲଇକେରାରେ ତହସିଲ ଅଫିସ ଘେରାଉ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଶତାଧିକ ଗରିବ ଭୂମିହୀନ ଆଦିବାସୀ ମହିଳା ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ କଲେଜ ଛକରୁ ବାହାରିଥିଲେ । ସେମାନେ ତହସିଲ କାର୍ଯ୍ୟାଳୟରେ ପହଂଚି ପେସା ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଶତାଧିକ ଆଦିବାସୀ ପୁରୁଷ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଏଥିରେ ପରଜଙ୍ଗ, କଙ୍କଡାହାଡ଼ ଓ କାମାକ୍ଷାନଗର ବ୍ଲକର ଆଦିବାସୀ ମାନେ ସାମିଲ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)