• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ କିଛି ଖାସ୍ ହାତୀଙ୍କୁ ମିଳୁଛି ହାଇଫାଇ ଖାତିରଦାରୀ । ସେମାନଙ୍କ ପାଇଁ ଅଛି ସ୍ୱତନ୍ତ୍ର ଖେଳପଡ଼ିଆ, କିଚେନ୍ ଓ ରେସ୍ତୋରାଁ । ସେଠି ଶୃଙ୍ଖଳିତ ଜୀବନ ଜିଇଁବାର କଳା ଶିଖୁଛନ୍ତି କିଛି ଜଙ୍ଗଲୀ ହାତୀ । ଦୁର୍ଘଟଣାବଶତଃ ଗୋଠରୁ ଅଲଗା ହୋଇଯିବା ପରେ ଅନାଥ ପାଲଟିଥିବା ହାତୀଙ୍କୁ କୋଳେଇ ନେଇ, କୁମ୍କି ଟ୍ରେନିଂ ଦେଉଛି ବନବିଭାଗ ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ... ଘଞ୍ଚ ଜଙ୍ଗଲ ଭିତର ଦେଇ ବେଶ୍ କିଛିବାଟ ଗଲେ, କୁମାରଖୁଣ୍ଟି ଠାରେ ରହିଛି ନିଆରା ପାଠଶାଳା । ତାହା ହେଉଛି 'ହାତୀଙ୍କ ପାଠଶାଳା' । ହଁ... ପୃଥିବୀର ସବୁଠୁ ବିଶାଳ ସ୍ଥଳଚର ଜୀବ, ଏଠି ଜଣେ ଜଣେ ଆଜ୍ଞାଧୀନ ଛାତ୍ରଛାତ୍ରୀ । ସୁନାପିଲା ଭଳି ମାହୁନ୍ତଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ।

କେତେବେଳେ ଶୁଣ୍ଢ ଟେକି ସଲାମ କରୁଛନ୍ତି, ତ ଆଉ କେତେବେଳେ ଶୁଣ୍ଢରେ ପରସ୍ପରର ଲାଞ୍ଜକୁ ଛନ୍ଦି ଧାଡ଼ିରେ ଚାଲୁଛନ୍ତି । କିଏ ଗୋଟିଏ ଛୋଟ ପଥର ଉପରେ ଠିଆ ହୋଇ ସନ୍ତୁଳନର ଦକ୍ଷତା ଦେଖାଉଛି, ତ ଆଉ କିଏ ପାଣିକୁଣ୍ଡର ସରୁ ଧାରରେ ଚାଲି ଦେଖାଉଛି ଅଜବ କାରନାମା ।

କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଏବେ ଅଛନ୍ତି ୬ଟି ଅନାଥ ହାତୀ । ମାମା, ଚନ୍ଦୁ, କାର୍ତ୍ତିକ, ଉମା, ମାଷ୍ଟର୍ ଜଗା ଓ ଦୁର୍ଦ୍ଦାନ୍ତ ଶଙ୍କର । ସେମାନଙ୍କୁ କୁମ୍କି ଟ୍ରେନିଂ ଦେଉଛନ୍ତି ଓଡ଼ିଶା ଓ ଆସାମର ପ୍ରଶିକ୍ଷିତ ମାହୁନ୍ତ । ପ୍ରତିଦିନ ସକାଳୁ ମର୍ଣ୍ଣିଂ ୱାକଠୁ ଏକ୍ସର୍ସାଇଜ୍, ଗାଧୁଆ ଓ ଖିଆପିଆ.. ହାତୀଙ୍କ ପାଇଁ ସବୁ କିଛି ସମୟ ନିର୍ଘଣ୍ଟ ଥିବା ବେଳେ, ଅତି ଶୃଙ୍ଖଳିତ ଭାବେ ପାଳନ କରନ୍ତି ସେମାନେ ।

ଟ୍ରେନିଂ ସରିଲେ ଏହି ହାତୀଙ୍କୁ ବଡ଼ ଆୟୁଧ କରିବ ବନବିଭାଗ । ଜନବସତିରେ ଉତ୍ପାତ କରୁଥିବା ବଣୁଆ ହାତୀଙ୍କୁ ପୁଣି ଜଙ୍ଗଲକୁ ଘଉଡ଼ାଇବା ପାଇଁ ଏମାନଙ୍କୁ ବ୍ୟବହାର କରାଯିବ । ବେଶ୍ କିଛି ସମୟ ଟ୍ରେନିଂ ପରେ ଆସେ ହାତୀଙ୍କର ସବୁଠୁ ଫେଭରିଟ୍ ଟାଇମ୍ । ଗାଧୋଇବାଠୁ ବଳି ଖୁସି ହାତୀ ପାଇଁ ଆଉ କଣ ବା ହୋଇପାରେ?

କୁମାରଖୁଣ୍ଟିର ଗେଲବସର ରାଜକୁମାର ଜଗା । କେତେବେଳେ ମାମା ହାତୀ ସହ ଖେଳରେ ମାତୁଛି, ତ ଆଉ କେତେବେଳେ କୁନି ଶୁଣ୍ଢକୁ ହଲାଇ ଏଣେ ତେଣେ ଧାଉଁଛି ଓ ପାଣିରେ ପଶି ଦଳ ଘାଣ୍ଟୁଛି । କି ସାନ, କି ବଡ଼... କୁମାରଖୁଣ୍ଟି ଡ୍ୟାମର ପାଣି ଗୋଳିଆ ନହେବା ଯାଏଁ କାହାର ବି ଏଠି ମନ ପୂରେନି ।

ଗାଧୁଆପାଧୁଆ ସରିଲା, ଏବେ ପେଟପୂଜା ପାଳି । ସେଠାରେ ଅଛି ଏଲିଫ୍ୟାଣ୍ଟ ରେସ୍ତୋରାଁ । ହାତୀଙ୍କ ପାଇଁ ଅଛି- ଯେ'ଯାହାର ନାଁ ଲେଖାଥିବା ରିଜର୍ଭଡ ସିଟ୍, ଆଉ ଟେଷ୍ଟି ମେନ୍ୟୁ । ତେବେ ଆପଣ ଜାଣନ୍ତି କି ଗୋଟିଏ ହାତୀ ମଧ୍ୟାହ୍ନ ଭୋଜନରେ କଣ ଖାଏ ? ଗହମ ୬ କେଜି, ଚାଉଳ ୫ କେଜି, ମୁଗ ୧ କେଜି, କୋଳଥ ୧ କେଜି, କିଛି ମାଣ୍ଡିଆ, ୨-୩ କେଜି ପରିବା, ୪ଟି ନଡ଼ିଆ, କିଛି କଦଳୀ, ଆଉ ତା ସହ ଗୁଡ଼ ୫ଶହ ଗ୍ରାମ୍ ।

ସ୍ୱତନ୍ତ୍ର କିଚେନରେ ଶସ୍ୟ ଗୁଡ଼ିକ ସିଝାଇବା ପରେ ସେଥିରେ ଫଳ, ପରିବା ଓ ଗୁଡ଼ ଆଦି ମିଶାଇ ତାକୁ ବଲ୍ ଭଳି ଗୁଳା କରି ଖୁଆଇଦିଅନ୍ତି ସେମାନଙ୍କ ମାହୁନ୍ତ । ଭୁରିଭୋଜନ ପରେ ହାତୀମାନେ ବନିଯାଆନ୍ତି ରୋନାଲ୍ଡୋ ଓ ମେସି ।

ଅପରାହ୍ଣରେ ଚାଲେ ଫୁଟବଲ୍ ଖେଳ । ବେଶ୍ କିଛି ସମୟ ବଲ୍ ଉପରେ ପାରଦର୍ଶିତା ଦେଖାଇ ହାଲିଆ ହୋଇଯିବା ପରେ, ସେମାନେ ବିଶ୍ରାମ ନେବାକୁ ଯାଆନ୍ତି ନିଜ ନିଜ ସେଡ୍‌କୁ, ଆଉ ସରିଯାଏ ସେଦିନର ତାଲିମ କାର୍ଯ୍ୟକ୍ରମ ।

OTV is now on Whatsapp

Join and get latest news update delivered to you via whatsapp

Join Now