• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗୁଜରାଟ ପରେ ଭୁବନେଶ୍ୱର ଟ୍ରାଫିକ ପୋଲିସ ମୁଣ୍ଡରେ AC ହେଲମେଟ୍‌ । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ସହ ଟାଣଖରା ସମୟରେ କିଭଳି ଟ୍ରାଫିକ ପୋଲିସ ତାଙ୍କର ଡ୍ୟୁଟି କରିପାରିବେ, ସେନେଇ କମିଶନରେଟ ପୋଲିସ ମଧ୍ୟ ଆପଣାଇଛି ଏହି ଅଭିନବ ଫଣ୍ଡା । ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଦ୍ୱାରା ଆଜି ପ୍ରଦାନ କରାଯାଇଛି ଏହି AC ହେଲମେଟ୍‌ । ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍‌ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ । ଥରେ ଚାର୍ଜ କଲେ ୮ ଘଣ୍ଟା ପର୍ଯ୍ୟନ୍ତ ହେଲମେଟ୍‌ ମଧ୍ୟରେ AC କାମ କରିବ । ଏହା ଶରୀରର ତାପମାତ୍ରାକୁ ଥଣ୍ତା ରଖିବାରେ ସାହାଯ୍ୟ କରେ ।

ଆମେ ଅଧିକାଂଶ ସମୟରେ ଦେଖିଥାଉ କି ପ୍ରଚଣ୍ଡ ଖରାରେ ମଧ୍ୟ ଟ୍ରାଫିକ୍‌ ପୋଲିସ୍‌ ନିଷ୍ଠାରେ ସହ ଦାୟିତ୍ୱ ତୁଲାଇଥାନ୍ତି। ଅସହ୍ୟ ଗରମରେ ସତ୍ତ୍ୱେ ଟ୍ରାଫିକ୍‌ ପୋଷ୍ଟରେ ଛିଡ଼ା ହୋଇ ଡ୍ୟୁଟି କରିଥାନ୍ତି ଟ୍ରାଫିକ୍‌ ପୋଲିସ୍‌ । ବାହାରେ ଯେତେ ଗରମ ହେଉନା କାହିଁକି, ଜ୍ୱଳନ୍ତ ସୂର୍ଯ୍ୟକୁ ସହି ସେମାନଙ୍କୁ କାମ କରିବାକୁ ହୁଏ । ତେବେ ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଗୁଜରାଟ ଟ୍ରାଫିକ୍‌ ପୋଲିସ୍‌ଙ୍କ ପାଇଁ ଆପଣାଇଥିଲା AC ହେଲମେଟ୍‌ର ବ୍ୟବସ୍ଥା । ଗୁଜରାଟ ପରେ ଏବେ ଭୁବନେଶ୍ୱରରେ ମଧ୍ୟ ଟ୍ରାଫିକ୍‌ ପୋଲିସ୍‌ AC ହେଲମେଟ୍‌ ପିନ୍ଧି ଡ୍ୟୁଟି କରିବେ ।

ତେବେ ଗୁଜୁରାଟର ଟ୍ରାଫିକ ପୋଲିସକୁ ଏସି ହେଲମେଟ୍ ବଣ୍ଟନ କରିବାରେ ଏହା ପ୍ରଥମ ଘଟଣା ନୁହେଁ । ଗତ ବର୍ଷ ଅହମ୍ମଦାବାଦ ଟ୍ରାଫିକ ପୋଲିସ ମଧ୍ୟ ନିଜର କର୍ମଚାରୀମାନଙ୍କ ପାଇଁ ଏସି ହେଲମେଟ୍ ଆଣିଥିଲା । ଏହି ପ୍ଲାଷ୍ଟିକ୍ ହେଲମେଟ୍ ଗୁଡିକ ଏକ ଇନ୍- ବିଲ୍ଟ ଫ୍ୟାନ୍ ପରି । ଏକ ବ୍ୟାଟେରୀ ଚାଳିତ ପ୍ୟାକ୍ ଟ୍ରାଫିକ୍ ପୋଲିସ୍‌ଙ୍କ ଅଣ୍ଟାରେ ବନ୍ଧାଯାଏ । ଗୋଟିଏ ଥର ଚାର୍ଜରେ ଏହା ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ ।

ସେପଟେ ଆଜି ବି ତାତିରେ ଆଉଟୁପାଉଟୁ ରାଜ୍ୟବାସୀ । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୩ ଟପିଛି ପାରଦ। ସାଢ଼େ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୩.୨, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୬ ଡିଗ୍ରୀ ତାତି ରେକର୍ଡ ହୋଇଛି। ହୀରାକୁଦରେ ୪୨.୬, ଚାନ୍ଦବାଲିରେ ୪୧.୪, ଭୁବନେଶ୍ୱରରେ ୪୦.୫ ଡିଗ୍ରୀ ତାତି ରେକର୍ଡ କରାଯାଇଛି ।