Advertisment

କ୍ରିକେଟ୍ ପ୍ରେମୀଙ୍କୁ ଟିକେଟ୍ ଚଡ଼କ, OCA ଉପରେ ଦର୍ଶକଙ୍କ ଅସନ୍ତୋଷ !

ଆଖି ତରାଟିଲା ଭଳି କାହିଁକି ଟିକେଟ୍ ଦର ଏଭଳି ବୃଦ୍ଧି କରିଛି OCA ? ଓସିଏ ସଂପାଦକ କହିଛନ୍ତି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି।

author-image
Satyendu Shekher Mishra
undefined

Barabati Stadium

କ୍ରିକେଟ୍ ପ୍ରେମୀଙ୍କ ମୁଣ୍ଡରେ ପଡ଼ିଛି ଟିକଟ୍ ଚଡ଼କ। ପକେଟ୍‌କୁ ବାଧିବ ବାରବାଟୀ ମ୍ୟାଚ୍ । ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଦେଖିବା ପାଇଁ ଗଣିବାକୁ ହେବ ଦେଢ଼ଗୁଣା ଦାମ୍। ଆଗଭଳି ଆଉ ୬ ଶହ କି ୭ ଶହ ନୁହେଁ, ୭ ନମ୍ବର ଗ୍ୟାଲେରୀକୁ ଛାଡ଼ିଦେଲେ ୧ରୁ ୬ ନମ୍ବର ଗ୍ୟାଲେରୀ ଟିକେଟ୍ ଦାମ୍ ସିଧା ହଜାରେ ପାର୍। ୭ ନମ୍ବର ଗ୍ୟାଲେରୀ ଟିକେଟ୍ ଦର ୮ଶହ ରହିଛି। ଅନ୍ୟ ଗ୍ୟାଲେରୀଗୁଡ଼ିକର ଦାମ୍ ହଜାରେରୁ ୧୫ ଶହ ପର୍ଯ୍ୟନ୍ତ ରହିଛି। ଅର୍ଥାତ ବାରବାଟୀର ଗତ ମ୍ୟାଚ୍ ତୁଳନାରେ ଏଥର ପାଖାପାଖି ଦେଢ଼ଗୁଣା ବଢ଼ିଛି। ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା। କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମରି ଯାଇଛି ଦର୍ଶକଙ୍କ ଉତ୍ସାହ।

Advertisment

ଗତକାଲି ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ OCA ଦ୍ୱାରା ଧାର୍ଯ୍ୟ କରାଯାଇଛି ଟିକଟ ମୂଲ୍ୟ । ବାରବାଟୀରେ ଶେଷ ଦିନିକିଆ ୨୦୧୯ ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ସେତେବେଳେ ୧ ଏବଂ ୩ ନମ୍ବର ଗ୍ୟାଲେରୀ ଟିକଟ ଦାମ୍ ୬ଶହ ରହିଥିଲା, ଏବେ ତାହା ୧୨ ଶହରେ ପହଞ୍ଚିଛି। ସେହିପରି ୨ ଏବଂ ୪ ନମ୍ବର ଗ୍ୟାଲେରୀ ଦାମ ପୂର୍ବରୁ ୫ଶହ ଥିଲା, ତାହା ଏବେ ହଜାରେ ଟଙ୍କା ହୋଇଛି।

୬ ନମ୍ବର ଗ୍ୟାଲେରୀ ୪ ଶହରୁ ସିଧା ପହଞ୍ଚିଯାଇଛି ୧୨ ଶହ ଟଙ୍କାରେ। ସେହିପରି ସ୍ପେଶାଲ୍ ଏନକ୍ଲୋଜର ୩ରୁ ୭ ହଜାର, ନ୍ୟୁ ପାଭିଲିୟନ୍ ୫ରୁ ୧୦ ହଜାର, AC ବକ୍ସ ୫ରୁ ୯ ହଜାର, ଏବଂ କର୍ପୋରେଟ୍ ବକ୍ସ ଟିକଟ ୫ ହଜାରରୁ ସିଧା ୨୦ ହଜାର ଟଙ୍କାରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ଖେଳାଳି ରିହାତିକୁ ମଧ୍ୟ ଉଠାଇ ଦିଆଯାଇଛି। ଯାହାକୁ ନେଇ ପୂର୍ବତନ କ୍ରିକେଟ୍ ଖେଳାଳି ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପୁନର୍ବିଚାର ହେବା ଉଚିତ ବୋଲି କହିଛନ୍ତି।

Advertisment

ତେବେ ଆଖି ତରାଟିଲା ଭଳି କାହିଁକି ଟିକେଟ୍ ଦର ଏଭଳି ବୃଦ୍ଧି କରିଛି OCA ? ଓସିଏ ସଂପାଦକ କହିଛନ୍ତି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ମ୍ୟାଚ ପୂର୍ବରୁ ଷ୍ଟାଡିୟମର ରକ୍ଷଣାବେକ୍ଷଣ, ସାଜସଜ୍ଜା, ଦୁଇ ଦୁଇଟି ପିଚ୍ ନିର୍ମାଣ ସହ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଟିକେଟ ଦାମ୍ ଏଭଳି ଧାର୍ଯ୍ୟ ହୋଇଛି।

ଦୀର୍ଘଦିନର ବ୍ୟବଧାନ ପରେ ଆସନ୍ତା ଫେବୃୟାରୀ ୯ରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ବାରବାଟୀରେ। ଏଭଳି ସ୍ଥିତିରେ ଆକାଶଛୁଆଁ ଟିକଟ ଦାମକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ଓସିଏ ଏହାର ପୁନର୍ବିଚାର କରୁଛି ନା ନାହିଁ, ତା’କୁ ଅପେକ୍ଷା।

OCA Cricket Barabati Stadium
Advertisment
Advertisment