• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଗତକାଲି ବଲାଙ୍ଗିରରେ ଭାଇ-ଭଉଣୀଙ୍କ ସାପ କାମୁଡ଼ାରେ ମୃତ୍ୟୁ ପରେ ଆଜି ମୟୂରଭଞ୍ଜ ଶୁଳିଆପଦାରେ ସର୍ପାଘାତରେ ଯାଇଛି ବାପ-ପୁଅଙ୍କ ଜୀବନ। ଏଭଳି ଭାବେ ଗତ କିଛିଦିନ ହେଲା, ସାପକୁ ନେଇ ବଢ଼ିବାରେ ଲାଗିଛି ଆତଙ୍କ। ସାଧାରଣତଃ ବର୍ଷା ଦିନରେ ଏଭଳି ଘଟଣା ଅଧିକ ଘଟେ। ହେଲେ ସାପଠୁ କେମିତି ଦୂରେଇ ରହିବେ ? ସାପ କାମୁଡ଼ିଲେ କରିବେ କ’ଣ ?

Also Read

ଅଧିକ ପଢ଼ନ୍ତୁ: ଇ-ରେଜିଷ୍ଟ୍ରେସନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଟିପରେ ମିଳିପାରିବ ୧୮ ପ୍ରକାରର ସେବା

ବର୍ଷାଦିନରେ ସାପକୁ ସାବଧାନ୍ ! ହୁଏତ ଆପଣଙ୍କ ଶୋଇବା କୋଠରୀରେ ବି ରହିଥାଇପାରେ...ଆପଣଙ୍କ ବିଛଣା କଡ଼ରେ ଛପି ଥାଇପାରେ...ଆପଣଙ୍କ ଜୋତା ଭିତରେ ବି ଲୁଚି ଥାଇପାରେ...। ସେ ବିଷାକ୍ତ ହେଉ କି ବିଷହୀନ । ସେ ଛୋଟ ହେଉ କି ବଡ଼ । ସାପ ଦେଖିଲେ ଛାତି ଥରିବା ସୁନିଶ୍ଚିତ । ତା’କୁ ନ ଜଗିଲେ ଘାତକ ସାଜିବା ଥୟ । ମାତ୍ର ୧୩ ବର୍ଷର ଟିକି ଝିଅଟି । ନାଁ ରାଧା ସିଂ । ଘର ବାଲେଶ୍ବର ସୋରର ସିନ୍ଧୁଆ ଗାଁ । ବାପା, ମା’ଙ୍କ ଗହଣରେ ଶୋଇଥିବାବେଳେ କାମୁଡ଼ି ଦେଇଥିଲା ସାପ । ଦେହରେ ଯନ୍ତ୍ରଣା ହେବାରୁ ବାପା, ମା’ଙ୍କୁ କହିଥିଲା ସାପ କାମୁଡ଼ିଛି ବୋଲି । କିନ୍ତୁ କେହି ଶୁଣିଲେନି ତା’ କଥା । ବରଂ କହିଥିଲେ ସ୍ବପ୍ନ ଦେଖିଛୁ । କିଛି ସମୟ ପରେ ଗୁରୁତର ହେବାରୁ ତାକୁ ସୋର ମେଡ଼ିକାଲକୁ ନିଆଯାଇଥିଲା ସିନା, ସେତେବେଳକୁ କୁନି ଝିଅର ଚାଲିଯାଇଥିଲା ଜୀବନ।

ସେହିପରି ରାତିରେ ଶୋଇଥିବାବେଳେ ସାପ କାମୁଡ଼ାରେ ଲିଭିଗଲା ଦୁଇ ଦୁଇଟି ଜୀବନ ଦୀପ । ଦୁଃଖର କଥା ହେଉଛି ଏମାନେ ପୁଣି ଭାଇ-ଭଉଣୀ । ବଲାଙ୍ଗିର ସହର ମାଲାଗୋଦାମ ପଡ଼ାର ଦୁଃଖିଶ୍ୟାମ ଏବଂ ମେହକ୍ । ଉଭୟଙ୍କୁ ସାପ କାମୁଡ଼ିଥିବା ଦେଖିଛୁ ବୋଲି ପ୍ରତ୍ୟକ୍ଷଦର୍ଶୀ ଥିବା ଅନ୍ୟ ପିଲା କହିଥିଲେ ପରିବାର ଲୋକଙ୍କୁ । କିନ୍ତୁ ଛୋଟ ପିଲାଙ୍କ କଥାକୁ ଅଣଦେଖା କରି ଅବିଶ୍ବାସ କରିଥିଲେ । ଶେଷରେ ଦୁଇ ସନ୍ତାନଙ୍କୁ ଏକାସଙ୍ଗେ ହରାଇବାକୁ ପଡ଼ିଲା ବାପା ଅବଦୁଲ୍ ରେହମାନଙ୍କୁ ।

କେବଳ ସୋର କି ବଲାଙ୍ଗିର ନୁହଁ । ମୟୁରଭଞ୍ଜ ବାଘଡ଼ା ଗାଁରେ ସାପ କାମୁଡ଼ାରେ ଆଜି ବାପ-ପୁଅଙ୍କ ଜୀବନଯାଇଛି । ରାତିରେ ପ୍ରଥମେ ପୁଅର ବାନ୍ତି ହୋଇଥିଲା । ତାକୁ ମେଡ଼ିକାଲ ନେଉଥିଲେ ସାପ କାମୁଡ଼ାର ଶିକାର ବାପା । ତାହାରି ଭିତରେ ମେଡ଼ିକାଲରେ ପୁଅର ମୃତ୍ୟୁ ହେବାର କିଛି ସମୟ ପରେ ବାପାର ବି ମୃତ୍ୟୁ ହୋଇଥିଲା । ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ତଥ୍ୟ କହୁଛି, ରାଜ୍ୟରେ ପ୍ରତିବର୍ଷ ସାପ କାମୁଡାରେ ଏଭଳି ହାରାହାରି ହଜାରେ ଜୀବନ ଯାଉଛି ।

୨୦୨୩-୨୪ରେ ୧୧୫୦ ଏବଂ ୨୦୨୪-୨୫ରେ ୭୦୯ ଜଣଙ୍କ ପ୍ରାଣହାନୀ ହୋଇଛି । ହେଲେ କାହିଁକି ସାପ ସାଜୁଛି ଘାତକ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଲୋକଙ୍କ ଅସାବଧାନତା, ଅସଚେତନତା ଏବଂ ଚିକିତ୍ସାରେ ଅହେତୁକ ବିଳମ୍ବ । ସାପ କାମୁଡାର ପ୍ରଥମ ୩-୪ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ । ସେହି ସମୟରେ ଯଦି ମେଡ଼ିକାଲ୍ ନିଆଯାଏ ଏବଂ ଆଣ୍ଟିଭେନମ୍ ଦିଆଯାଏ, ତା’ହେଲେ ମୃତ୍ୟୁମୁଖରୁ ଫେରି ଆସିପାରିବେ ରୋଗୀ । କିନ୍ତୁ, ସାପ କାମୁଡ଼ା ରୋଗୀଙ୍କୁ ଚଲାଇ ଚଲାଇ ନୁହେଁ, ବରଂ କୌଣସି ଗାଡ଼ିରେ ଜଣଙ୍କ ସହାୟତାରେ ସିଧା ବସାଇ ଡାକ୍ତରଖାନା ନେଇଯିବେ ଗୋଲଡେନ୍ ପିରିୟଡ ଭିତରେ । ବର୍ଷାଦିନେ ଯତ୍ନବାନ ହେବା ଆବଶ୍ୟକ । କାରଣ ଏହି ସମୟରେ ଜନବସତି ଅଞ୍ଚଳ କିମ୍ବା ଘରଦ୍ବାରକୁ ସାପ ଆସି ଆଶ୍ରୟ ନେଇଥାନ୍ତି ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ

ଓଟିଭି ବିଜ୍ଞାପନ