ସଦ୍ୟ ଜାରି ପଞ୍ଚାୟତିରାଜ ବିଭାଗ ଗାଇଡ ଲାଇନ୍ ଅନୁଯାୟୀ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆଦିବାସୀ ବହୁଳ ଅଞ୍ଚଳକୁ ଦିଆଯିବ ସର୍ବୋଚ୍ଚ ପ୍ରାଥମିକତା। ଇଣ୍ଟିଗ୍ରେଟେଡ ଟ୍ରାଇବାଲ୍ ଡେଭଲପମେଣ୍ଟ ଏଜେନ୍ସି ଅଧିନରେ ଥିବା ବ୍ଲକରେ ଖର୍ଚ୍ଚ ହେବ ବଜେଟର ୪୦ ପ୍ରତିଶତ ବା ୪୦୦ କୋଟି। ଏହି ଅର୍ଥ ରାସ୍ତାଘାଟ, ବ୍ରିଜ୍, ଧାର୍ମିକସ୍ଥଳର ବିକାଶ, କମ୍ୟୁନିଟି ସେଣ୍ଟର, ରିଡିଂ ରୁମ୍, ବିଦ୍ୟାଳୟ ଆଧୁନୀକିକରଣ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ବାବଦକୁ ବ୍ୟୟ ହେବ। ଅର୍ଥାତ୍ ଏଇସବୁ ଉନ୍ନୟନ କାର୍ଯ୍ୟପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରୁ ଅର୍ଥ ଯୋଗାଇବେ ସରକାର।
ସେହିପରି ପୁରୁଣା ଅମଳରୁ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପର ଆବଶ୍ୟକତାକୁ ଦେଖି ମଧ୍ୟ ନୂଆ ସରକାର ପାଣ୍ଠି ଦେବେ, ତେବେ ଏଥିପାଇଁ ସର୍ତ୍ତ ଏୟା ରହିବ ଯେ ଏ ସବୁଥିରେ ୨୦ ପ୍ରତିଶତରୁ ଅଧିକ କାମ ସରିଥିବା ଜରୁରୀ। ପଞ୍ଚାୟତର ବିକାଶ ପାଇଁ ଗ୍ରାମସଭା ବସି ୫ ବର୍ଷିଆ ଯୋଜନାର ତାଲିକା ପ୍ରସ୍ତୁତ ହେବ। ଗାଁର ବିକାଶ ସରକାରଙ୍କ ଫୋକସ୍ ରେ ଥିବାରୁ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ଯାଏ ସମସ୍ତେ ସ୍ବାଗତ ଜଣାଇଛନ୍ତି।
ସେପଟେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା ପାଇଁ ମାର୍ଗଦର୍ଶିକା ଆସିବା ପରେ ତେଜିଛି ରାଜନୀତି। ଅଭିଯୋଗ ହେଉଛି, ନବୀନ ସରକାର ସମୟରେ ଆମ ଗାଁ, ଆମ ବିକାଶ ଯୋଜନା ଆରମ୍ଭ ହୋଇଥିଲେ ବି ତାହା କେବଳ ନବୀନ ବ୍ରାଣ୍ଡିଂ ପାଇଁ ଉଦ୍ଦିଷ୍ଟ ଥିଲା। ଏଇ ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲେ ବି ଏଥିରେ ଗ୍ରାମସଭାର ପ୍ରାବଧାନ ନଥିଲା। ଯେଉଁଥିପାଇଁ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା।
ଅନ୍ୟ ପକ୍ଷରେ ବିଜେଡିର ଯୁକ୍ତି, ମୋହନ ସରକାର କେବଳ ଆମ ଯୋଜନାର ନାଁ ବଦଳାଇଛନ୍ତି। କଂଗ୍ରେସ ବି ସମାଲୋଚନା କରି କହିଛି ପୂର୍ବ ସରକାର ଧାରାରେ ଏ ସରକାର ଚାଲିଛନ୍ତି, ବାସ୍ତବତାକୁ ଧ୍ୟାନ ଦିଆଯାଉନି। ତେବେ ପ୍ରତିକ୍ରିୟାରେ ବିଜେପି କହିଛି, ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ହିଁ ଗାଁର ପ୍ରକୃତ ବିକାଶ ହୋଇପାରିବ।
ଫେବୃଆରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପଞ୍ଚାୟତ ଫେବ୍ରୁୟାରୀ ୧୫ରେ ବ୍ଲକରେ ସେମାନଙ୍କ ତାଲିକା ଦାଖଲ କରିବେ। ୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ପରେ ୨୦ ତାରିଖ ସୁଦ୍ଧା ତାହା ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ। ଆଉ ଜିଲ୍ଲାପାଳଙ୍କ ଅନୁମୋଦନ ପରେ କାମ ଆଗକୁ ବଢିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)