• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କୁହାଯାଏ ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବରଷ । ଏ ଢ଼ଗ ଯେମିତି ଆମେ କହୁନୁ । କହୁଛି କଚ୍ଚା ରାସ୍ତା... ନୁଆଣିଆ ଝାଟିମାଟି ଘର... ଆଉ ଗରିବର ନୀରିହ ଆଖି । ସ୍ୱାଧୀନତାକୁ ୭୫ ବର୍ଷ ବିତିଛି । ରାଜ୍ୟରେ ୨୫ ବର୍ଷ ବିଜେଡି ସରକାରର ରହି ଏତେ ବଡ଼ ଶଙ୍ଖ ଭବନ ଛିଡ଼ା କରିସାରିଲଣି । ତଥାପି ଏ ନୁଖୁରା ମୁଣ୍ଡର ଲୋକଙ୍କ ପାଇଁ ନାଁ ଅଛି ଖଣ୍ଡେ ରାସ୍ତା । ନା ପହଞ୍ଚିଛି ସରକାରଙ୍କ ସମସ୍ତ ମୌଳିକ ସୁବିଧା । ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଯେମିତି ଆଖି ଠାରି ଏମାନଙ୍କୁ ପରିହାସ କରୁଛି ।

ନିର୍ବାଚନ ଆସିଲେ ଏଠି ନେତାଙ୍କ ପାଦ ପଡ଼େ । ପୁଳାପୁଳା ପ୍ରତିଶ୍ରୁତି ଆଉ ମିଠାମିଠା କଥା କହି ଭୋଟ ନେଇଯାଆନ୍ତି ନେତା । ହେଲେ ଭୋଟ ସରିଲେ ଆଉ ନେତାଙ୍କ ଦେଖା ମିଳେନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ମୁଦିପଡ଼ା ଗାଁରେ । ଗାଁରେ ପିଇବାକୁ ନାହିଁ ମୁନ୍ଦାଏ ପାଣିର ବ୍ୟବସ୍ଥା । ବିଜୁଳି ତ ଏମାନଙ୍କ ପାଇଁ ସାତ ସପନ । ପିଲାଙ୍କ ପାଠପଢ଼ା କଥା କହିଲେ ନସରେ । ଆଉ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡେ ବି ନାହିଁ । ଖବର ସଂଗ୍ରହ କରିବାକୁ ଯିବା ସମୟରେ ଆମ ପ୍ରତିନିଧିଙ୍କୁ ଏମିତି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା । ଆଉ ଏ ଗାଁ ରାସ୍ତା ଦେଇ ପ୍ରତିଦିନ ଯାଆଆସ କରୁଥିବା ଲୋକଙ୍କ କଥା ଆପଣ ବେଶ ଅନୁମାନ କରିପାରୁଥିବେ ।

ଦେଖନ୍ତୁ ଭିଡିଓ | ବିଞ୍ଚି ହେଉଛି ମୁଁ ବିଲ୍ ଦେବ ତମେ

ଖାଲି ମୁଦିପଡ଼ା ଗାଁ ନୁହେଁ, ଭାଡିମୁଣ୍ଡା, ପଖନତୁପା, ନୂଆସାହି, ଅସୁରଗଡ଼, ମାରଦିଶୁଖା ଭଳି ଆଖପାଖ ୧୦ରୁ ଅଧିକ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ରୋଗୀଟିଏ ପାଇଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାବେଳେ ଖଟିଆ ସାହାରା ସାଜୁଛି । ବର୍ଷା ଅସରାଏ ହୋଇଗଲେ ରାସ୍ତା ଭଲ ନ ଥିବାରୁ ପିଲାଙ୍କ ପାଠ ପଢ଼ାରେ ଡୋରୀ ପଡ଼ୁଛି । ଆଉ ମହିଳା ମାନଙ୍କୁ ଦେଖି ପିଇବା ପାଣିର ସମସ୍ୟା କେମିତି ରହିଥିବ, ଆପଣ ବେଶ୍‌ ବୁଝି ପାରୁଥିବେ । ତେବେ ବିକାଶର ନାରା ଦେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର କେତେ ବିକାଶ କରିଛନ୍ତି ଏହି ଚିତ୍ର ତା’ର ନିଚ୍ଛକ ଉଦାହରଣ ଭଳି ମନେ ହେଉଛି ।

  • Reported by:
  • DEEPAK KUMAR ADAR

OTV is now on Whatsapp

Join and get latest news update delivered to you via whatsapp

Join Now