• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାକ୍ଷୀ ଆସିଲେ ମନେ ପଡ଼େ ଭାଇ ଭଉଣୀଙ୍କ ଅନାବିଳ ସ୍ନେହ କଥା । କିନ୍ତୁ ଦୁନିଆରେ ଏପରି ବି କିଛି ଲୋକ ଅଛନ୍ତି, ଯାହାଙ୍କ ପାଖରେ ଏ ସବୁ ସୁଖ ନାହିଁ । ଏ ଦୁନିଆ ପାଇଁ ସେମାନେ ଅନାଥ, ଏ ଦୁନିଆ ପାଇଁ ସେମାନେ ବେସାହାରା । ରାକ୍ଷୀ ଆସିଲେ ଆସେ ଆଖିରେ ଲୁହ । ଅନାଥଙ୍କର ମୁକ୍ତାଶ୍ରୟ କେନ୍ଦ୍ର ଏବେ ପାଲଟିଛି ସାହାରା । କାହାର ଭାଇ ନାହିଁ ତ କାହାର ଭଉଣୀ ନାହାଁନ୍ତି ।

ସେଥି ପାଇଁ ରାକ୍ଷୀ ଆସିଲେ ଆଖି ଜକେଇ ଆସେ । ଆଉ ଏହି ପବିତ୍ର ଦିନରେ ସମସ୍ତଙ୍କ ଆଖିରୁ ଲୁହ ଠୋପା ଠୋପା ହୋଇ ନିଗିଡି ପଡେ । ଭଦ୍ରକ ଜିଲ୍ଲାର ଆସିୟାନା ମୁକ୍ତାଶ୍ରୟ କେନ୍ଦ୍ରରେ ପ୍ରାୟ ୨୭ ଜଣ ରହୁଛନ୍ତି । ଅନେକ ବେସାହାରା । ତେଣୁ ରାକ୍ଷୀ ପୂର୍ଣ୍ଣମୀରେ ଭାଇ କିମ୍ବା ଭଉଣୀର ସ୍ନେହ, ଭଲପାଇବା ଓ ପବିତ୍ର ବନ୍ଧନ ସେମାନଙ୍କ ପାଇଁ ସାତ ସପନ ।

କିନ୍ତୁ ଆଜି ମଧ୍ୟ ରାକ୍ଷୀ ବନ୍ଧନ ପାଳନ ହେଉଛି । ଏହି କେନ୍ଦ୍ରରେ ଭାଇ ଭଉଣୀ ଭଳି ରହୁଥିବାରୁ ଆଜି ପରସ୍ପରକୁ ରାକ୍ଷୀ ବାନ୍ଧୁଛନ୍ତି, କିନ୍ତୁ ମନର ଭାବନା ନିଜ ରକ୍ତର ଭାଇକୁ ଖୋଜୁଛି ଆଉ ଆଖିର ଲୁହ ଅମାନିଆ ହୋଇ ବହି ଯାଉଛି । ଆଉ ଏହି ଭାଇ ଆଉ ଭଉଣୀ ସିନା ରକ୍ତର ନୁହେଁ କିନ୍ତୁ ପବିତ୍ର ସୂତା ଖଣ୍ଡିଏରେ ସାରା ଜୀବନ ପାଇଁ ଭାଇ ଭଉଣୀର ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ଆଉ ଏହି ରାକ୍ଷୀର ବନ୍ଧନ ମଧ୍ୟ ହୃଦୟର ସୂତାରେ ତିଆରି । କାରଣ ଆସିୟାନାର ଏହି ଭଉଣୀ ମାନେ ତିନି ଦିନ ହେବ ରାକ୍ଷୀ ତିଆରି କରିଛନ୍ତି । ରାକ୍ଷୀ ପାଇଁ ଆବଶ୍ୟକ ଥିବା ସାମଗ୍ରୀ ଯୋଗାଇ ଦେଇଛନ୍ତି ମୁକ୍ତାଶ୍ରୟ କର୍ତ୍ତୃପକ୍ଷ । ଆଉ ଭଉଣୀ ମାନେ ନିଜ ଅନ୍ତେବାସୀ ଭାଇଙ୍କ ପାଇଁ ନିଜ ମନ ପସନ୍ଦର ରାକ୍ଷୀ ତିଆରି କରିଛନ୍ତି ।

ମୁଣ୍ଡରେ ଚନ୍ଦନ ଟିପା ଲଗାଇ ଅରୁଆ ଚାଉଳ, ଦୁବ ପକାଇ ଓ ଫୁଲ ପକାଇ ଦୀପରେ ବନ୍ଦାପନା କରିଛନ୍ତି ଭାଇଙ୍କୁ । ରାକ୍ଷୀ ବାନ୍ଧି ମିଠା ଖୁଆଇ ଆଶୀର୍ବାଦ କାମନା କରିବା ସହ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ମଧ୍ୟ ପାଇଛନ୍ତି । ଆଉ ହାତ ତିଆରି ରାକ୍ଷୀକୁ ଆଖିର ଲୁହ ଯେମିତି ନୂଆ ଏକ ବନ୍ଧନ ତିଆରି କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now