/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757079184.jpg)
Teachers’ Day in Odisha: CM Mohan’s Strong Note, Agitations Continue
ଗୁରୁ ହିସାବରେ ଗୁରୁ ଦିବସରେ ସିଏମ୍ ମୋହନଙ୍କ କଡ଼ା ଆଲେଖ୍ୟ । ଗୁରୁଜୀ ଥିବା ବେଳର ଅନୁଭୂତି ବଖାଣିଲେ, ପୂର୍ବ ବିଜେଡି ସରକାରକୁ ନିଶାନା କଲେ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି-କାନ୍ଥରେ ରଙ୍ଗମାରି ରୂପାନ୍ତରିକରଣର ପ୍ରଚାର, ବିଜେପି ସରକାରର ଲକ୍ଷ୍ୟ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ବିକାଶ ସହ ସେମାନଙ୍କର ଯତ୍ନ ହିଁ ହେବା ଦରକାର ଅସଲ କେନ୍ଦ୍ରବିନ୍ଦୁ । ଯେଉଁମାନେ ଓଡିଶାର ଭବିଷ୍ୟତ ଗଢିବାର ଏନ୍ତୁଡି ଶାଳର ବିନ୍ଧାଣୀ, ସେମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢାଯାଇ ପାରିବ। ନିଜ ଶିକ୍ଷକ ଜୀବନର ଅନୁଭୂତିକୁ ନେଇ ସମୃଦ୍ଧ ଓଡିଶାର ଆଧାର ଶୀର୍ଷକ ଆଲେଖ୍ୟରେ ଏମିତି କିଛି ବଖାଣିଥିବାବେଳେ ଆଜି ରାଜ୍ୟ ରାଜ୍ୟସ୍ତରୀୟ ଗୁରୁ ଦିବସରେ ଗୁରୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରି ବିଜେପି ସରକାରର ଲକ୍ଷ୍ୟ ଉପସ୍ଥାପନ କରିଥିଲେ।
କହିଥିଲେ ଡ୍ରପ ଆଉଟ୍ ହ୍ରାସ ତାଙ୍କ ସରକାରର ବଡ଼ ପଦକ୍ଷେପ। ଗୁଣାତ୍ମକ ଶିକ୍ଷାପାଇଁ ଶିକ୍ଷକ ଓ ଭିତ୍ତିଭୂମୀ ଉପରେ ଦିଆଯାଉଛି ସର୍ବାଧିକ ଗରୁତ୍ୱ। ଅଧାରୁ ପାଠ ଛାଡୁଥିବା ଆଦିବାସୀ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ମାଧୋସିଂ ହାତ ଖର୍ଚ୍ଚ ଯୋଜନାର ଉଲ୍ଲେଖ କରି ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବାରେ ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ମୋହନ ମାଝୀ...
ଗୋଟିଏ ପଟେ ଗୁରୁଙ୍କୁ ସମ୍ମାନ ତ ଅନ୍ୟପଟେ ଲୋୟର ପିଏମଜିରେ ଶିକ୍ଷକଙ୍କ ଗର୍ଜନ ସାଙ୍ଗକୁ ବେସରକାରୀ ପ୍ଲସ ଟୁ କଲେଜ ଆଗରେ ଶିକ୍ଷାଦାତାଙ୍କ କଳାଦିବସ ପାଳନ। ବେତନ ଓ ପେନସନ ଦାବିରେ ଲୋୟର ପିଏମଜିରେ ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି ୩୦ବର୍ଷ ଧରି ହକ୍ ପାଇଁ ଲଢ଼େଇ କରି ଆସୁଥିବା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ।
ସେପଟେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ବି ୧୯ ଦିନ ଧରି ପେନଡାଉନ ଆନ୍ଦୋଳନ ସାଙ୍ଗକୁ ଗୁରୁଦିବସକୁ କଳାଦିବସ ଭାବେ ପାଳୁଛି। ସପଟେ ଗଣଶିକ୍ଷାମନ୍ତ୍ରୀଙ୍କ ଅପିଲ୍- ଶିକ୍ଷକମାନେ ଆନ୍ଦୋଳନରୁ ଓହରି ଯାଆନ୍ତୁ। ପୂର୍ବ ସରକାରର ତ୍ରୁଟିକୁ ସୁଧାରି ମୋହନ ସରକାର ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଚେଷ୍ଟିତ ଅଛନ୍ତି।
ଗୁରୁ ଦିବସରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଆଲେଖ୍ୟ ମାଧ୍ୟମରେ ମାରିଥିବା ତେରଛା ବାଣକୁ କାଉଣ୍ଟର କରିଛି ବିଜେଡି । ଏବେ ଦେଖିବାର କଥା ମୋହନ ସରକାରରେ ଶିକ୍ଷକଙ୍କ ଦାବି କେତେ ପୂରଣ ହେଉଛି ଓ ଦେଶ ଭବିଷ୍ୟତଙ୍କୁ କେତେ ମିଳୁଛି ଗୁଣାତ୍ମକ ଶିକ୍ଷା।
ଭୁବନେଶ୍ବରରୁ ରଶ୍ମୀରଞ୍ଜନ ଦାସ, ସିମ୍ପୁଲ ନାୟକ ଓ ଜଗତସିଂହପୁରରୁ ମାନସ କାନୁନଗୋଙ୍କ ରିପୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)