ବର୍ତ୍ତମାନ ପ୍ରସବ କହିଲେ ଯେମିତି ସିଜରିଆନ୍। ସଂଖ୍ୟା ଏତେ ଯେ, ପଛରେ ପଡିଲାଣି ନର୍ମାଲ ଡେଲିଭରି। ରାଜ୍ୟରେ ସରକାରୀ ହସପିଟାଲ୍ ତୁଳନାରେ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଘରୋଇ ହସପିଟାଲରେ ୮୧ ପ୍ରତିଶତରୁ ଅଧିକ ଡେଲିଭରି ଅସ୍ତ୍ରୋପଚାରଜନିତ।
ରାଜ୍ୟରେ ଘରୋଇ ହସପିଟାଲରେ ଡେଲିଭରି କହିଲେ ଯେମିତି ଖାଲି ସିଜରିଆନ୍। କାଁ ଭାଁ ନର୍ମାଲ ହେଉଛି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦର୍ଶାଇଛନ୍ତି ଯେ, ଘରୋଇ ହସପିଟାଲରେ ୨୦୨୩-୨୪ରେ ଅପରେସନଜନିତ ପ୍ରସବ ହାର ୮୧.୦୬ ପ୍ରତିଶତ ରହିଛି। ଗତବର୍ଷ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ପ୍ରସବ ହୋଇଥିବା ବେଳେ ସେଥିରୁ ୧ଲକ୍ଷ ୧୩ ହଜାର ୫୯୮ ସିଜରିଆନ୍ ଡେଲିଭରି। ସେପଟେ ସରକାରୀ ହସ୍ପିଟାଲ କଥା ଦେଖିଲେ ୨୦୨୩-୨୪ରେ ୫ ଲକ୍ଷ ୯୧ହଜାର ୧୮୫ ପ୍ରସବ ହୋଇଥିଲା। ସେଥିରୁ ୧ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାରଜନିତ ପ୍ରସବ। ଯାହାର ହାର ୩୩.୦୮%। ଅର୍ଥାତ୍ ରାଜ୍ୟରେ ସରକାରୀ ହସପିଟାଲ ତୁଳନାରେ ଘରୋଇ ହସପିଟାଲରେ ଢେର୍ ଅଧିକ ସିଜରିଆନ୍ ଡେଲିଭରି ହେଉଛି।
ଅଧିକ ପଢ଼ନ୍ତୁ: ଦୁର୍ନୀତିଖୋର୍ଙ୍କୁ ସରକାରୀ ଛାଟ, ୫ ବର୍ଷରେ ୧୫୯ ବାବୁ ବିଦା
ପ୍ରଶ୍ନ ଉଠୁଛି, ଘରୋଇ ହସପିଟାଲରେ ସିଜରିଆନ୍ ଡେଲିଭରି ସଂଖ୍ୟା ଏତେ ଅଧିକ କାହିଁକି ? ପ୍ରସୂତୀ ମହିଳା ନିଜ ଆଡୁ ଡାକ୍ତରଙ୍କୁ ଅପରେସନ ପାଇଁ ଚାପ ପକାଉଛନ୍ତି କି? ନା, ଡାକ୍ତର ପରାମର୍ଶ ଦେଉଛନ୍ତି ଅସ୍ତ୍ରୋପଚାର ପାଇଁ? ଏଥିପାଇଁ ଘରୋଇ ହସପିଟାଲ କର୍ତ୍ତୃପକ୍ଷଙ୍କ ରହିଥାଏ କି ଭୂମିକା? ଅପରେସନ୍ ହେଲେ ପ୍ରସୂତୀ ଅଧିକ ଦିନ ହସପିଟାଲରେ ରହିବା, ତା ଅନୁସାରେ ବେଡ୍ ଚାର୍ଜ, ଡାକ୍ତର ଫି ଏବଂ ଅନ୍ୟାନ୍ୟ ସେବା ବାବଦ ଖର୍ଚ୍ଚ ଥିବାରୁ, ବଢୁଛି କି ସିଜରିଆନ୍ ଡେଲିଭରି? ଜାଣିଶୁଣି ଏଥିପାଇଁ ପ୍ରୋତ୍ସାହନ ଦିଆଯାଉଛି କି? ସେପଟେ ସାମାଜିକ କର୍ମୀ ଓ ରୋଗୀଙ୍କ ସଂପର୍କୀୟ କହିଛନ୍ତି, ଘରୋଇ ହସପିଟାଲଗୁଡ଼ିକର ଲାଭଖୋର ମନୋବୃତ୍ତି ଯୋଗୁ ସିଜରିଆନ୍ ଡେଲିଭରି ସଂଖ୍ୟା ବଢୁଛି।
ଡାକ୍ତରଙ୍କ କହିବା ହେଉଛି, ବର୍ତ୍ତମାନ ଅଧିକାଂଶ କ୍ଷେତ୍ରରେ ପ୍ରସୂତୀଙ୍କ ବୟସ ଅଧିକ। ତେଣୁ ଗର୍ଭବତୀ ଏବଂ ପରବର୍ତ୍ତୀ ଡେଲିଭରି ବେଳେ ସମସ୍ୟା ଦେଖାଦେଇଥାଏ। ତେଣୁ ଅନେକାଂଶରେ ଗର୍ଭବତୀଙ୍କ ପ୍ରଥମ ଚଏସ ଥାଏ ଅପରେସନ। କିଛି କ୍ଷେତ୍ରରେ ନର୍ମାଲ ଡେଲିଭରିରେ ଅଧିକ ଯନ୍ତ୍ରଣା ଥିବାରୁ ଗର୍ଭବତୀମାନେ ଅପରେସନ୍ ପାଇଁ ନିଜ ଆଡୁ ବି କହୁଛନ୍ତି। ଏଥିସହ ଡେଲିଭରି ପାଇଁ ନିଜ ଆଡୁ ତାରିଖ ସ୍ଥିର କରିବା ଏବଂ ଚିହ୍ନା ପରିଚୟ ଡାକ୍ତର ଓ ହସପିଟାଲ ବି ଅସ୍ତ୍ରୋପଚାରଜନିତ ପ୍ରସବର ପ୍ରମୁଖ କାରଣ ପାଲଟିଛି। ଏଥିପାଇଁ ପ୍ରସୂତୀମାନଙ୍କୁ କାଉନସେଲିଂର ଆବଶ୍ୟକତା ରହିଛି ବୋଲି କହଛନ୍ତି ବିଶେଷଜ୍ଞ।