Matric Student Dies: ଅଧା ରହିଲା ମାଟ୍ରିକ ପରୀକ୍ଷା, କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

ମାଟ୍ରିକ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ମାଟ୍ରିକ ଛାତ୍ର ମୃତ୍ୟୁ

ଅଧା ରହିଗଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରୁ । ମୃତ ଛାତ୍ର ଗାଁର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଶେଖର ମାଝୀ । ସେ ସକାଳେ ପରୀକ୍ଷା ଦେବାକୁ ବାହାରୁଥିଲେ । ହେଲେ ହଠାତ୍ ତାଙ୍କର ପେଟ କାଟିଥିଲା । ସେ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ସୋର ମେଡିକାଲକୁ ନେଇଥିବାବେଳେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ...ଜଣେ ମୃତ, ଏକାଧିକ ଛାତ୍ରଛାତ୍ରୀ ଆହତ

ଶେଖର ତିନି ଦିନ ତଳେ ଜଣେ ପଡ଼ୋଶୀଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସେଦିନ ରାତିରେ ପେଟରେ ଯନ୍ତ୍ରଣା ହେବାରୁ ସୋର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ଘରକୁ ଫେରିଥିଲେ ଶେଖର । କିନ୍ତୁ ପେଟ ବ୍ୟଥା ସମ୍ପୂର୍ଣ୍ଣ କମି ନଥିଲା । ଆଜି ସକାଳେ ମାଟ୍ରିକ ପରୀକ୍ଷା ଦେବାକୁ ଯିବାକୁ ବାହାରିବା ବେଳେ ତଳେ ପଡ଼ି ଯାଇଥିଲେ ।

ପରିବାର ଲୋକେ ସଙ୍ଗେ ସଙ୍ଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶେଖରଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । 

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୬ରେ ପରୀକ୍ଷା ଶେଷ ହେବ । ପରୀକ୍ଷା ପୂର୍ବରୁ ଆଜି କେନ୍ଦ୍ରପଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ଛାତ୍ରୀ ଗୁରୁତର ହୋଇଥିବାବେଳେ ଆଉ କିଛି ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । 

ଅଧିକ ପଢ଼ନ୍ତୁ: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼