• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ? କେଉଁ ଭକ୍ତ କେମିତି ଯିବେ ? ତାକୁ ନେଇ ଉତ୍କଣ୍ଠା ଭିତରେ ସାମ୍ନାକୁ ଆସିଛି ଡାଇଗ୍ରାମ୍ । ଯେଉଁଥିରେ ଗରୁଡ଼ ଖମ୍ବ ସ୍ପର୍ଶରୁ ଭକ୍ତ ବଞ୍ଚିତ ହେବା ସହ ଭିତର କାଠ ଦର୍ଶନ ଗୁରୁତ୍ୱହୀନ ହୋଇଯିବା ନେଇ ଉଠିଛି ଶଙ୍କା ।

ବାଧା ବିହୀନ ଜଗା ଦର୍ଶନ ପାଇଁ ବ୍ଲୁ ପ୍ରିଣ୍ଟ । ଶ୍ରୀମନ୍ଦିର ଭିତରେ ଆଉ ହେବନି ଠେଲାପେଲା, କି ରହିବନି ଭିଡ଼ ଝମେଲା । ସାମ୍ନାକୁ ଆସିଲା ନାଟ ମଣ୍ଡପରେ ପ୍ରସ୍ତାବିତ ବ୍ୟାରିକେଡ୍ ଡାଇଗ୍ରାମ୍‌ର ନକଲ ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି- ଭକ୍ତ କେଉଁଠୁ ଲାଇନ୍ ଧରିବେ ? କେଉଁ ବାଟେ ଯାଇ କେଉଁଠି ଛିଡ଼ା ହୋଇ ଠାକୁର ଦର୍ଶନ କରିବେ ?

ଦର୍ଶନ ସାରି କେଉଁବାଟେ ପ୍ରସ୍ଥାନ କରିବେ ? ଶ୍ରୀମନ୍ଦିର ପରିଚାଳନା କମିଟିର ୨ଜଣିଆ କମିଟି, ଦର୍ଶନ ବ୍ୟବସ୍ଥାର ପ୍ରସ୍ତାବିତ ରୂପରେଖ ପ୍ରସ୍ତୁତ କରି ଛତିଶା ନିଯୋଗରେ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ସାତପହାଚ ବାଟ ଦେଇ ଭକ୍ତ ନାଟମଣ୍ଡପକୁ ପ୍ରବେଶ କରିବା ପରେ, ଗରୁଡ଼ ଖମ୍ବ ଆଗରେ ୪ଟି ଧାଡ଼ିରେ ଯିବେ ।

ଗୁରଡ଼ ଖମ୍ବର ଅତି ପାଖ ଧାଡ଼ିଟି କେବଳ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ । ତାପାଖକୁ ଗ୍ୟାଲେରୀ ୱାନ୍‌ରେ ବରିଷ୍ଠ ନାଗରିକ ଓ ଗ୍ୟାଲେରୀ ଟୁ ଏବଂ ଥ୍ରୀରେ ସାଧାରଣ ଭକ୍ତଙ୍କୁ ଛଡାଯିବ । ମହିଳା ଓ ଶିଶୁ ମାନେ ଲାଇନ୍‌ରେ ବାହାର କାଠ ସାମ୍ନା ଦେଇ ଠାକୁର ଦର୍ଶନ କରିବେ ଓ ଘଣ୍ଟି ଦ୍ୱାର ବାଟେ ବାହାରିବେ ।

ସେମିତି ବାକି ତିନି ଲାଇନ୍ ଗରୁଡ଼ ଖମ୍ବ ଓ ପଣ୍ଡା ଖୁଣ୍ଟି ମଝିରେ ରହିବ, ସବୁଥିରେ କାଠ ରାମ୍ପ ବ୍ୟବସ୍ଥା ରହିବ । ଗ୍ୟାଲେରୀ-ୱାନ୍ ରାମ୍ପର ଉଚ୍ଚତା ୬ ଇଞ୍ଚରୁ ୧ ଫୁଟ୍, ଗ୍ୟାଲେରୀ-ଟୁ ର ୧୨ ଇଞ୍ଚରୁ ୨ ଫୁଟ୍ ଓ ଗ୍ୟାଲେରୀ-ଥ୍ରୀର ଉଚ୍ଚତା ଅଠର ଇଞ୍ଚରୁ ୩ ଫୁଟ୍ ମଧ୍ୟରେ ରହିବ । ସେମିତି ଗ୍ୟାଲେରୀ ୧ରୁ ୩ର ଦର୍ଶନାର୍ଥୀ ଗାରଦ ଦ୍ୱାର ବାଟେ ପ୍ରସ୍ଥାନ କରିବେ ।

ଶ୍ରୀମନ୍ଦିର ଭିତରେ ଏଭଳି ୬ ଥାକିଆ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ପୂର୍ବରୁ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିବା ବେଳେ ଗତକାଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ କାର୍ତ୍ତିକ ମାସ ସରୁ ସରୁ ଏ ନୂଆ ପ୍ରକ୍ରିୟା ଲାଗୁ କରିବାକୁ ଯୋଜନା ରହିଥିବା କହିଛନ୍ତି । ତେବେ କାର୍ତ୍ତିକ ମାସ ପରେ ପ୍ରସ୍ତାବିତ ନାଟମଣ୍ଡପ ଦର୍ଶନ ଡାଇଗ୍ରାମ୍ ଯଦି କାର୍ଯ୍ୟକାରୀ ହୁଏ, ତାହାଲେ ଭକ୍ତ ଗରୁଡ଼ ଖମ୍ବ ସ୍ପର୍ଶ ଅଧିକାରରୁ ବଞ୍ଚିତ ହେବା ସହ ସେଠୁ ଥାଇ ଆଉ ଠାକୁର ଦର୍ଶନ ପାଇବେନି ।

ଏଥିସହ ଭିତର କାଠ ଦର୍ଶନ ସୁଯୋଗ ବି ହରାଇବେ । ଯାହାକୁ ନେଇ ଉଠିଲାଣି ଆପତ୍ତି । ଖୋଦ୍ ମହାପ୍ରଭୁଙ୍କ ସେବକଙ୍କଠାରୁ ଆରମ୍ଭ କରି ଭକ୍ତ ଓ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ସମସ୍ତେ, ଏଭଳି ଦର୍ଶନ ବ୍ୟବସ୍ଥା ଲାଗୁ ପୂର୍ବରୁ ବିସ୍ତୃତ ଆଲୋଚନା କରି ପଦକ୍ଷେପ ନେବାକୁ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ନିବେଦନ କଲେଣି ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ଚାରିଦ୍ୱାର ଖୋଲିବା ପରଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ମିଳିଛି, ହେଲେ ମନ୍ଦିର ଭିତରେ ଦର୍ଶନ ଶୃଙ୍ଖଳିତ ହୋଇପାରିନି । ତେଣୁ ଆଗକୁ ପ୍ରସ୍ତାବିତ ନାଟମଣ୍ଡପ ବ୍ୟାରିକେଡ୍ ଓ ରାମ୍ପ ବ୍ୟବସ୍ଥା ଲାଗୁ ପୂର୍ବରୁ ପ୍ରଶାସନ ଯତ୍ନବାନ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।

  • Reported by:
  • PRADEEP MAHANTY , MADHUSUDAN MISHRA

OTV is now on Whatsapp

Join and get latest news update delivered to you via whatsapp

Join Now