• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କଥାରେ ଅଛି । କୃଷ୍ଣ ନାମେ କି ରସ ଅଛି, ଗାନକଲା ଲୋକ ସିନା ଜାଣିଛି । ସେମିତି ଜଣେ କୁନି ବାଳକ। ଦୁନିଆକୁ ଭଲକି ଜାଣିନି । କିନ୍ତୁ ଅଢ଼େଇ ବର୍ଷର ଶିଶୁ ଅନର୍ଗଳ ଗାଇଚାଲିଛି କୃଷ୍ଣ ନାମ । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନରେ ବ୍ୟସ୍ତ । ସେଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି । 

ନାଁ ତାଙ୍କର ସାଇରାଜ । ପାରାଦୀପ ନୂଆବଜାରରେ କୁନି କୃଷ୍ଣପ୍ରେମୀଙ୍କ ଘର । ଠିକ୍‌ରେ କଥା କହି ଶିଖି ନଥିଲେ ବି ଭଗବତ୍ ପ୍ରେମରେ ବୁଡ଼ି ରହିଛନ୍ତି ସାଇରାଜ । ଘରକୁ ଅତିଥି ଆସିଲେ ନମସ୍କାର ବଦଳରେ "ହରେକୃଷ୍ଣ" କହି ସଙ୍ଖୋଳି ନେଉଛନ୍ତି । ଗିନି ବଜାଇ ନାମ ଜପ କରୁଛନ୍ତି । ଚିତା ଚଇତନ କାଟି ପ୍ରତ୍ୟେକ ଦିନ ଠାକୁର ପୂଜା କରନ୍ତି ସାଇରାଜ । ଆଉ ବଡ ହେଲେ ସନ୍ନ୍ୟାସୀ ହେବେ, ବୃନ୍ଦାବନରେ ରହିବେ କୁହନ୍ତି ।

କୃଷ୍ଣ ଲୀଳା ଠାରୁ ଆରମ୍ଭ କରି ଅନେକ ସାଧାରଣଜ୍ଞାନ ମନେ ରଖିଛନ୍ତି ସାଇରାଜ । ଭଗବତ ଭଜନ ଓ ଶାସ୍ତ୍ର ପୁରାଣ କଥା ତାଙ୍କୁ ବେଶ୍‌ ଜଣା । ସାଇରାଜଙ୍କୁ ପାରାଦୀପରେ କୁନି ସନ୍ଥ ବୋଲି ଲୋକେ ଜାଣିଥିବା ବେଳେ ଏତେ ଛୋଟ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ତାଙ୍କ ନାମ ସ୍ଥାନ ପାଇବା ପରେ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଏତେ ଛୋଟ ବୟସରେ ପୁଅର କୃତିତ୍ୱକୁ ନେଇ ସାଇରାଜଙ୍କ ବାପାମାଆ ବେଶ ଖୁସି ଥିବା କହିଛନ୍ତି।

କୃଷ୍ଣ ଭକ୍ତିରେ ସଦାସର୍ବଦା ସାଇରାଜଙ୍କ ଜୀବନ ଆଧ୍ୟାତ୍ମିକତାରେ ଭରିଉଠୁ । ସେ ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ସହିତ ଅନନ୍ୟ ଉଦାହରଣ ହୁଅନ୍ତୁ ବୋଲି କହିଛନ୍ତି ପରିବାର ଲୋକ ।

OTV is now on Whatsapp

Join and get latest news update delivered to you via whatsapp

Join Now