Advertisment

ଭକ୍ତି ଆଗରେ ହାର ମାନିଛି ଭୟ; ଗୋଟିଏ ଘରେ ଏକାଠି ରହୁଛନ୍ତି ମଣିଷ ଓ ସାପ...

ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଷାକ୍ତ ନାଗସାପ।

author-image
Sujit kumar Swain
ଅଦ୍ୟତନ ହୋଇଛି
Special Story

Special Story

ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା । ଯେକେହି ଦେଖିଲେ ଭୟରେ ଥରି ଉଠିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ, ଏମିତି ଏକ ଭୟଙ୍କର ସ୍ଥାନରେ ରହୁଛନ୍ତି ଗୋଟିଏ ପରିବାର। ଏହା ପଛରେ ରହିଛି ଗୋଟିଏ କାରଣ। ତାହା ହେଉଛି ଭକ୍ତି। ସେଇ ଭକ୍ତି ହିଁ ସମସ୍ତଙ୍କୁ ଭୟଶୂନ୍ୟ କରିଛି। ଫଳରେ ବର୍ଷ ବର୍ଷ ଧରି ଏମିତି ଏକ ସ୍ଥାନରେ ରହୁଛନ୍ତି ମଣିଷ ଓ ବିଷାକ୍ତ ନାଗସାପ । ସତେ ଯେମିତି ଭକ୍ତି ଆଗରେ ଡର ହାର ମାନିଛି । ବର୍ଷେ କି ଦୁଇ ବର୍ଷ ନୁହେଁ ୩୦ ବର୍ଷ ହେଲା ଘରେ ପୂଜା ପାଇ ଆସୁଛନ୍ତି ସର୍ପ ଦେବତା । ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଗୋପବନ୍ଧୁ ନଗରରେ । 

Advertisment

ବଲାଙ୍ଗିରର ଜୟନ୍ତୀ ବଗର୍ତ୍ତିଙ୍କ ଘରେ ପୂଜା ପାଉଛନ୍ତି ବାବା ଗୁପ୍ତେଶ୍ୱର । ଘର ଭିତରେ ରହିଛି ମାଳମାଳ ସାପ ହୁଙ୍କା ଯେଉଁଥିରେ ନାଗ ନାଗୁଣୀ ବାସ କରୁଥିବା କହିଛନ୍ତି ଜୟନ୍ତୀ । ତେଣୁ ନାଗମାତାଙ୍କର ମଧ୍ୟ ପୂଜା କରାଯାଏ। ଏଭଳି ବିଶ୍ୱାସ ଯୋଗୁ କେବେ ବି ଏହି ପରିବାରର କେହି ସର୍ପାଘାତର ଶିକାର ହୋଇନାହାଁନ୍ତି। ସତରେ ଏକଥା ଭାବିଲା ବେଳକୁ ଦେହ ଶୀତେଇ ଉଠୁଛି। କିନ୍ତୁ ଜୟନ୍ତୀ କୁହନ୍ତି, ସର୍ପ ଦେବତା ଏଠାରେ ବୁଲାବୁଲି କରୁଥିଲେ ମଧ୍ୟ କାହାର କିଛି କ୍ଷତି କରନ୍ତି ନାହିଁ। ସାହି ପଡ଼ିଶା ଲୋକେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। 

ଜୟନ୍ତୀ ଆହୁରି କହିଛନ୍ତ ଯେ, ଯେତେବେଳେ ତାଙ୍କ ପୁଅ ଛୋଟ ଥିଲା ସେବେଠାରୁ ତାଙ୍କ ସ୍ୱପ୍ନରେ ନାଗ ସାପ ଆସୁଥିଲା। ପରେ ଘରେ ଆପେ ଆପେ ସାପହୁଙ୍କା ଗଢି ଉଠିଥିଲା। ସେବେଠାରୁ ଏକ ଶିବଲିଙ୍ଗ ନିର୍ମାଣ କରିବା ସହ ନାଗ ଦେବତାଙ୍କ ପୂଜା କରୁଛନ୍ତି ତାଙ୍କ ପରିବାର। ଜୟନ୍ତୀ କୁହନ୍ତି, ସର୍ପଦେବତା ତାଙ୍କ ପରିବାରର ଜଣେ ସଦସ୍ୟ ପାଲଟି ଯାଇଛନ୍ତି। ସେ ସର୍ପ ଦେବତାଙ୍କୁ ପୂଜା କରି ନିଜକୁ ଧନ୍ୟ ମନେ କରୁଛନ୍ତି। 

Advertisment

ନାଗ ଦେବତାଙ୍କ ଲାଗି ପ୍ରତିଦିନ କ୍ଷୀର ଅର୍ପଣ କରାଯାଏ । ଅର୍ପଣ ସମୟ ହୋଇଗଲେ ସର୍ପଦେବତା ବାହାରକୁ ଆସି କ୍ଷୀରପାନ ପରେ ପୁଣି ହୁଙ୍କା ଭିତରକୁ ଚାଲିଯାଆନ୍ତି। ଏମିତି ଦୃଶ୍ୟ ଦୀର୍ଘ ୩୦ ବର୍ଷ ହେଲା ଦେଖିବାକୁ ମିଳୁଛି।  ହୁଙ୍କା ଭିତରୁ ସାପ ବାହାରି ଘରେ ବୁଲୁଥିବା ବେଳେ କେବେ କାହାରି କ୍ଷତି କରିନଥିବା କହିଛନ୍ତି ଅନେକ ଭକ୍ତ। ତେବେ ବର୍ତ୍ତମାନ ଶ୍ରାବଣମାସ ଚାଲିଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି। ତେଣୁ ଏହି ସ୍ଥାନରେ ବାବା ଗୁପ୍ତେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦାବି କରିଛନ୍ତି ଶ୍ରଦ୍ଧାଳୁ । 

OTV Special Story Special Story Snakes Humans
Advertisment
Advertisment