• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମନ୍ଦିର ଭିତରୁ ଥାଟ ପଟାଳି ବାନ୍ଧି ବାହାରୁଛନ୍ତି ସେବକ । ସମସ୍ତଙ୍କ ହାତରେ ବାଉଁଶ ବେତା ବା ଝୁଡି । ଘଣ୍ଟ, ଛତା ଆଉ କାହାଳୀ ବି ଅଛି। କେହି କେହି ହାତରେ ମାଟି ଖୋଳିବାକୁ ଶାବଳ, କୋଦାଳ ବି ଧରିଛନ୍ତି । ଆଉ ପଟୁଆର ଯାଉଛି ସେଇ ବରଗଛ ମୂଳକୁ ଯେଉଁଠୁ ସଂଗ୍ରହ ହେବ ଦିବ୍ୟ ବିଭୂତି । ଯାହା ଅସାଧ୍ୟ ସାଧନ କରିବ ।

ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ବରାଳ ବାଲୁଙ୍କେଶ୍ୱରଙ୍କ ମନ୍ଦିର । ଯେଉଁଠି ପୂଜା ପାଆନ୍ତି ଭଗବାନ ଶ୍ରୀରାମଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱୟମ୍ଭୁ ଲିଙ୍ଗ ଶ୍ରୀ ଶ୍ରୀ ବାବା ବରାଳ ବାଲୁଙ୍କେଶ୍ୱର । କୁହାଯାଏ କି ବାବାଙ୍କ ବିଭୂତି ପ୍ରସାଦ ପାଇଲେ ଅସିଦ୍ଧ ସାଧନ ହୁଏ । ହେଉ ନ ଥିବା କାମ ଚୁଟକିରେ ହୋଇଯାଏ । ଖାସ ସେଇଥିପାଇଁ ସାରା ରାଜ୍ୟରେ ଏହି ପୀଠର ଅଲୌକିକତାର ପ୍ରସଙ୍ଗ ଚର୍ଚ୍ଚିତ ।

କିନ୍ତୁ ବିଭୂତି କଥା ଶୁଣି ଆପଣ ଟିକେ ବିଚିତ୍ର ବୋଲି ଭାବୁଥିବେ । ଶିବ ମନ୍ଦିରର ପାଦୁକା, ବେଲପତ୍ର କଥା ସମସ୍ତେ ଜାଣନ୍ତି । ହେଲେ ଏ ମନ୍ଦିରରେ ପ୍ରସାଦ ହେଉଛି ବିଭୂତି । ଲୋକକଥା ଆଧାରରେ ଏ କଥା ବି କୁହାଯାଏ କି କାଳେ ଏହି ବିଭୂତି କନ୍ୟା ସନ୍ତାନକୁ ପୁତ୍ରରେ ରୁପାନ୍ତରିତ କରିଥିଲା ।

ଏହି ବିଭୂତି ପାଇ ଅନେକ ଦୂରାରୋଗ୍ୟ ବ୍ୟାଧିରୁ ଅନେକ ଭକ୍ତ ବି ନିସ୍ତାର ପାଇଛନ୍ତି । ତେବେ ବାବା ବାଲୁଙ୍କେଶ୍ୱରଙ୍କ ବିଭୂତି କ’ଣ, କେଉଁଠୁ ଆଉ କେମିତି ସଂଗ୍ରହ ହୁଏ ଏହି ବିଭୂତି ? ସେବକମାନେ ବାହାରନ୍ତି ବିଭୂତି ଖୋଜି । ପୁରୀ ଜିଲ୍ଲା ସତ୍ୟବାଦୀର ପ୍ରସିଦ୍ଧ ଏହି ଶୈବ ପୀଠରେ ଅଶ୍ୱିନ ମାସ ଅମାବାସ୍ୟା ଦ୍ଵିତୀୟା ତିଥିରେ ଦେଖିବାକୁ ମିଳେ ଏହି ଦୁର୍ଲଭ ଦୃଶ୍ୟ ।

ମନ୍ଦିର ଭିତରେ ପୂଜାର୍ଚ୍ଚନା ପରେ, ବିଭୂତି ଖୋଲା ପାଇଁ ଯାତ୍ରା ଆରମ୍ଭ ହୁଏ । ସମସ୍ତ ସେବାୟତ ଏକାଠି ହୋଇ ମନ୍ଦିରଠାରୁ କିଛି ଦୂରରେ ଥିବା ବିଭୂତି ବାଟିକା ଅଭିମୁଖେ ଯାତ୍ରା କରନ୍ତି। ଏଠାରେ ଥିବା ବଟବୃକ୍ଷରେ ଠାକୁରଙ୍କ ଆଜ୍ଞାମାଳ ସ୍ଥାପନ ହୁଏ । ଆଉ ସେବାୟତ ମାନେ ଏଠାରେ ପରିକ୍ରମା କରିବା ପରେ ମାଟି ଖନନ କରିଥାନ୍ତି ।

ଏହି ମାଟିକୁ ସୁଦ୍ଧପୂତ ଭାବେ ଶୁଖାଇ ଗୁଣ୍ଡ କରି ରଖାଯାଏ । ଦଶହରା ଦିନ ଏହି ଶୁଖିଲା ମାଟିକୁ ଲିଙ୍ଗରେ ବୋଳି ଦିଆଯାଏ । ଏବଂ ଏହାକୁ ଲାଗି କଲାପରେ ଭକ୍ତମାନଙ୍କୁ ପ୍ରସାଦ ଭାବେ ଦିଆଯାଇଥାଏ ଏହି ବିଭୂତି ପ୍ରସାଦ ।

OTV is now on Whatsapp

Join and get latest news update delivered to you via whatsapp

Join Now