/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723018616.jpg)
Divyang Children
ଥାଳିରେ ଭାତ । ଆଉ ଗିନାରେ ଡାଲି । ସେହି ଭାତ ଡାଲିକୁ ଗୋଳାଇ ଗୋଳାଇ ବଡ଼ ଝିଅକୁ ଖୁଆଇ ଦେଉଛି ମା’ । ବଡ଼ ଝିଅ ଖାଇସାରିଲା ପରେ ସାନ ପୁଅକୁ ବି ଏମିତି ବୁଝାଇ ସୁଝାଇ ଖୁଆଇ ଦେବ । ଆଉ ତା’ ପରେ ପୂରା ପରିବାର ଖାଇବେ । ଯେଉଁ ବାପା-ମା’ ଦାରିଦ୍ର୍ୟର ନିଆଁରେ ପ୍ରତିଟି ମୁହୂର୍ତ୍ତରେ ଜଳିଜଳି ବଞ୍ଚୁଥା’ନ୍ତି ସେମାନେ ଅବା କେମିତି ନିଜ ପିଲାମାନଙ୍କ ଚିକିତ୍ସା କରାଇପାରିବେ । ସେଇଥିପାଇଁ ତ ଆଜି ତାଙ୍କର ଦୁଇ ପିଲା ପାଲଟିଯାଇଛନ୍ତି କଥା କୁହା କଣ୍ଢେଇ ।
ଜଗତସିଂହପୁର ଜିଲ୍ଲା ଫୁଲାହାର ଗାଁର ମୁରଲୀଧର ବିଶ୍ୱାଳ । ମୂଲପାତି ଲାଗି ପରିବାର ଚଳାନ୍ତି । ବଡ଼ଝିଅ ସୋନାଲିକା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ହଠାତ ଶଯ୍ୟାଶାୟୀ ହୋଇଗଲା । ହାତ ଗୋଡ଼ ଅଚଳ ହୋଇଯିବା ସହ କଥା କହିବା ମଧ୍ୟ ବନ୍ଦ କରିଦେଲା । ଧାର କରଜ କରି ବହୁ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ଫଳରେ ଏବେ ୧୮ବର୍ଷର ଝିଅ ୫ ବର୍ଷ ହେଲାଣି ଶଯ୍ୟାଶାୟୀ ହୋଇ ପଡିଛି । ସେହିପରି ପୁଅ ହିମାଂଶୁ ପ୍ରଥମ ଶ୍ରେଣୀରେ ପାଠ ପଢିବା ସମୟରେ ତା’ର ମଧ୍ୟ ହଠାତ ଗୋଡ଼ ହାତ ବଙ୍କା ହୋଇଯିବା ସହ ଆଉ ପାଟି ଫିଟିଲାନାହିଁ । ତେଣୁ ଗରିବ ପରିବାର ପକ୍ଷରୁ ସମ୍ବଳ ନଥିବାରୁ ଏମିତି କଟୁଛି ଜୀବନ ।
ଦୁଇ ପିଲା ଅସୁସ୍ଥ ହେବା ପରେ ନିଜେ ମଧ୍ୟ ନିଜର ନିତ୍ୟକର୍ମ କରିପାରୁନାହାନ୍ତି । ମା’ ଚାରୁଲତା ଉଭୟ ପିଲାଙ୍କର ଯତ୍ନ ନେଉଛନ୍ତି । ଏମାନଙ୍କ ଚଳିବା ପାଇଁ ଭିନ୍ନକ୍ଷମ ଭତ୍ତା କି ହୁଇଲ ଚେୟାରଟିଏ ମଧ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇନାହିଁ । ଏଥିପାଇଁ ଅନେକ ଥର ନେତା ଓ ଅଫିସର ବାବୁଙ୍କୁ ଗୁହାରି ଜଣାଇ ସାରିଲେଣି ବାପା ମାଆ । ହେଲେ କେହିବି ଏମାନଙ୍କ ଦୁଃଖ ଶୁଣୁନାହାଁନ୍ତି ।
ତେବେ ଏ ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗଯୋଗ କରିବାରୁ ସେ ଏହି ପରିବାର ବାବଦରେ ଅବଗତ ଅଛନ୍ତି, ଖୁବଶୀଘ୍ର ସେମାନଙ୍କୁ ହୁଇଲ ଚେୟାର ଓ ଭିନ୍ନକ୍ଷମ ଭତ୍ତା ଯୋଗାଇ ଦିଆଯିବା ସହିତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଆଉ କେତେ ଦୁଃଖ ଯନ୍ତ୍ରଣା ଭୋଗିବା ପରେ ଏହି ଦୁଇ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଖରେ ପ୍ରଶାସନ ପହଞ୍ଚିବ, ତାହା କେବଳ ଦାୟିତ୍ବରେ ଥିବା ସରକାରୀ ବାବୁମାନଙ୍କୁ ହିଁ ଜଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)