• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇଏ ପ୍ରକୃତିର ଓଢ଼ଣୀ... ଯୁଆଡ଼େ ଚାହିଁବେ ସବୁଜବନାନୀ । ପାହାଡ଼ ଆଉ ଗଛଲତାରେ ଭରପୂର ଏ ସ୍ଥାନ । କଳା ମଚମଚ ପଥରରେ ଅଚ୍ଛାଦିତ ହୋଇଛି ପାହାଡ଼ର ଛାତି । ଯାହା ପ୍ରକୃତିପ୍ରେମୀଙ୍କୁ ଏଠାକୁ ଟାଣି ଆଣୁଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲରେ ରହିଛି ଏହି ଡୁଙ୍ଗଲେଇ ପାହାଡ଼ ।

ଯାହାର ସୌନ୍ଦର୍ଯ୍ୟ ଏବେ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଠ କରୁଛି । ଆଉ ସେଇଥିପାଇଁ ପ୍ରତ୍ୟେକଦିନ ଶହଶହ ପର୍ଯ୍ୟଟକଙ୍କ ଏଠାରେ ଭିଡ଼ ଜମୁଛି । ଖାଲି ଏହି ଆଖପାଖ ଅଞ୍ଚଳର ଲୋକ ନୁହଁନ୍ତି, ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡରୁ ବି ପର୍ଯ୍ୟଟକ ମାନେ ଆସି ଏଠାର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।

ଏହି ସ୍ଥାନକୁ ସୁନ୍ଦରଗଡ଼ର କାଶ୍ମୀର ବୋଲି କୁହାଯାଉଛି । ଚାରିଟି ପାହାଡ଼ର ସମ୍ମିଳନୀରେ ହୋଇଛି ଏହି ସ୍ଥାନ । ଉଚ୍ଚତା ପ୍ରାୟ ୩ଶହ ମିଟରରୁ ଅଧିକ । ତେବେ ପର୍ଯ୍ୟଟକଙ୍କ ପାଇଁ ଏହି ପାହାଡ଼ ଚଢ଼ିବାକୁ ସେମିତି କିଛି ବ୍ୟବସ୍ଥା ନାହିଁ । ଫଳରେ ପାହାଡ଼ ଚଢ଼ିବା ବେଳେ କେତେବେଳେ ବି କିଛି ଅଘଟଣ ଘଟିପାରେ ।

ତେଣୁ ଡୁଙ୍ଗଲେଇ ପାହାଡ଼କୁ ସରକାରଙ୍କ ପକ୍ଷରୁ ସୌନ୍ଦର୍ଯ୍ୟକରଣକରି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଡୁଙ୍ଗଲେଇ ପାହାଡ଼କୁ ପର୍ଯ୍ୟଟନ ମାନ୍ୟତା ଦେବା ନେଇ ସରକାରଙ୍କୁ ଅବଗତ କରାଇବେ ବୋଲି କୁତ୍ରା ବିଡିଓ କହିଛନ୍ତି ।

ତେବେ ସବୁଜବନାନୀ ଡୁଙ୍ଗଲେଇ ପାହାଡ଼କୁ ସରକାର କେବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି ଏବଂ ଏହାର ସୁରକ୍ଷା ପ୍ରତି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now