• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପରିଣତ ବୟସରେ ହାର ମାନି ନାହାଁନ୍ତି ବୈଦ୍ୟରାଜ ଗୋଲେଖ ସାହୁ । ଚାକିରି ଛାଡି ସେବାକୁ ବ୍ରତ ଭାବେ ଆପଣେଇ ନେଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ରାଜ୍ୟ ତଥା ଦେଶରେ ସାଉଁଟିଛନ୍ତି ଅନେକ ପ୍ରଶଂସା । ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିଥାଏ । ଛୋଟରୁ ବଡ଼ ହେବାର ସ୍ୱପ୍ନ ଏବଂ ସମାଜ ପାଇଁ ତାଙ୍କର ସେବା କରିବାର ବ୍ରତ ତାଙ୍କୁ ନୂଆ ଏକ ସମ୍ଭାବନା ପ୍ରଦାନ କରିଛି ।

ଗାଲ ଶୁଖି ଗଲାଣି, ଚର୍ମ ଧୁଡୁ ଧୁଡୁ ହୋଇ ଗଲାଣି,କାନକୁ ଆଉ ଭଲ ଭାବରେ ଶୁଣା ଯାଉନି । କିନ୍ତୁ ନବେ ବର୍ଷ ବୟସରେ ବି ସେ ଫିଟ୍ । ଜଙ୍ଗଲୀ ଜାତ ଚେର ମୂଳରୁ ଗବେଷଣା କରି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି ନବେ ବର୍ଷୀୟ ଗୋଲେଖ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁର ନବେ ବର୍ଷୀୟ ବୃଦ୍ଧ ଗୋଲେଖ ସାହୁ । ବାପା ସ୍ୱର୍ଗତ ଦୁଃଖବନ୍ଧୁ ସାହୁ ଅଞ୍ଚଳର ଜଣେ ଜଣା ଶୁଣା ବୈଦ୍ୟରାଜ ଥିଲେ ।

ପୁରୁଷାନୁକ୍ରମେ ବୈଦ୍ୟରାଜ ବୃତ୍ତିକୁ ସେ ଆପଣେଇ ନେଇଥିଲେ । ତାଙ୍କ ପରେ ପୁଅ ଗୋଲେଖ ବାପାଙ୍କ ଠାରୁ ଶିକ୍ଷା ଲାଭ କରିବା ସହିତ ପୁରୁଣା ତାଳ ପତ୍ରରୁ ଜ୍ଞାନ ଆହୋରଣ ଏବଂ ବୈଦ୍ୟରାଜ ବୃତ୍ତିରେ ପ୍ରବୀଣ ହୋଇ ଲୋକଙ୍କ ସେବା କରିଥିଲେ । ଯଦିଓ ଶୈଶବ ଅତ୍ୟନ୍ତ କଷ୍ଟପୂର୍ଣ୍ଣ ଥିଲା ତଥାପି ସେ ହାର ମାନିନଥିଲେ ।

ମାତ୍ର ୧୫ ବର୍ଷ ବୟସରେ ସେ କାମାକ୍ଷାନଗର ତହସିଲ କାର୍ଯ୍ୟାଳୟରେ ପ୍ରଥମେ ଅଫିସର ବାବୁଙ୍କ ପଙ୍ଖା ଟାଣିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପରେ ସେ ସେଠାରେ ମାସିକ ୪୦ଟଙ୍କା ଦରମାରେ ଚପରାସୀ ଭାବେ କାର୍ଯ୍ୟ କରିଥିଲେ । ହେଲେ ବାପା ଦୁଃଖବନ୍ଧୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଚାକିରି ଛାଡି ବୈଦ୍ୟରାଜ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ବାପା ଦୁଃଖବନ୍ଧୁଙ୍କ ଦୁଃଖ ସିନା ବୁଝିଲେ ଗୋଲେଖ ହେଲେ ବାପାଙ୍କ ମୃତ୍ୟୁ ପରେ ଦୁଇ ପୁଅ ଗୋପାଳ ଏବଂ ଗୋକୁଳକୁ ବୈଦ୍ୟରାଜ କାର୍ଯ୍ୟରେ ସେ ଶିକ୍ଷା ପ୍ରଦାନ କରିଥିଲେ । ଯଦିଓ ସେତେବେଳେ ଅର୍ଥ ଅପେକ୍ଷା ସେବାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ତେବେ ଆଜି ସେହି ପରିଶ୍ରମରେ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟୁଛି ।

ପରିବାରର ସମସ୍ତ ସଦସ୍ୟ ଏହି ବୈଦ୍ୟରାଜ ବୃତ୍ତିରେ ଲାଗି ପଡିଛନ୍ତି । ଗୋଲେଖଙ୍କ ପାଖରେ ପ୍ରାୟ ୧୫ଶହରୁ ଅଧିକ ପ୍ରକାରର ଚେର ମୂଳ ଔଷଧ ଏବେ ବି ମହଜୁଦ ହୋଇ ରହିଛି । ବିଭିନ୍ନ ପ୍ରକାର ରୋଗର ଉପଶମ ପାଇଁ ବେଶ ଉପଯୋଗୀ ହେଉଛି ଏହି ଚେରମୂଳି ଔଷଧ ।

ଯାହା କରୋନା ସମୟରେ ଲୋକଙ୍କର ଅନେକ କାମରେ ଆସିଛି । ଆଜି ବି ରାଜ୍ୟର କୋଣ ଅନୁକୋଣରୁ ଅନେକ ଲୋକ ଗୋଲେଖଙ୍କ ପାଖକୁ ଆସୁଛନ୍ତି । କେବଳ ଓଡିଶା କାହିଁକି ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଆଦିରୁ ଅନେକ ରୋଗୀଙ୍କ ସାଥି ସାଜିଛନ୍ତି ଗୋଲେଖ ।

ତାଙ୍କର ଏହି ସେବା ତାଙ୍କୁ ଅନେକ ସମ୍ମାନର ଅଧିକାରୀ କରି ପାରିଛି । ଗୋଲେଖଙ୍କ ଦୁଇ ପୁଅ ଗୋପାଳ ଏବଂ ଗୋକୁଳ ସେମାନେ ମଧ୍ୟ ବାପାଙ୍କର କାର୍ଯ୍ୟକୁ ସୁଚାରୁରୂପେ ତୁଲାଉଛନ୍ତି । ଗୋପାଳ ଆଖ ପାଖ ଅଂଚଳର ବିଭିନ୍ନ ହାଟକୁ ଯାଇ ମଧ୍ୟ ଏହି ଚେର ମୂଳି ଔଷଧକୁ ବିକ୍ରୟ କରୁଛନ୍ତି ।

ତେବେ ନବେ ବର୍ଷ ବୟସରେ ଲୋକଙ୍କ ସେବାକୁ ବ୍ରତ ଭାବରେ ଗ୍ରହଣ କରିଛନ୍ତି ଗୋଲେଖ । ନବେ ବର୍ଷରେ ମଧ୍ୟ ସେ ଫିଟ୍ ରହିଛନ୍ତି, ଅନ୍ୟମାନଙ୍କୁ ଫିଟ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଜିର ଅତ୍ୟାଧୁନିକ ସମାଜରେ ଯେଉଁଠି ବିଜ୍ଞାନ ଓ ଡାକ୍ତରୀ ବିଦ୍ୟା କ୍ଷେତ୍ରରେ ଆମେ ବହୁତ ଆଗରେ ଅଛନ୍ତି ।

ତଥାପି ଆୟୁର୍ବେଦର ଚାହିଦା ଆଜି ବି ସବୁଠି ଦେଖିବାକୁ ମିଳିଛି । ଏ ନେଇ ସରକାରଙ୍କ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଗୋଲେଖଙ୍କ ସେବା ତାଙ୍କୁ ଅଂଚଳରେ ନୂଆ ଏକ ପରିଚୟ ଦେଇ ପାରିଛି ।

ସମାଜରେ ଗୋଲେଖଙ୍କ ଅବଦାନ ଏବଂ ସେବା କରିବାର ସ୍ପୃହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ପରିଣତ ବୟସରେ ବି ତାଙ୍କର ସେବା, ଉତ୍ସର୍ଗୀକୃତ ଅବଦାନ ଏବଂ କର୍ତ୍ତବ୍ୟବୋଧତା ସମାଜ ପାଇଁ ବଡ଼ ନିଦର୍ଶନ ।

OTV is now on Whatsapp

Join and get latest news update delivered to you via whatsapp

Join Now