/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727068279.jpg)
District Council Meeting
ସଭା ଭିତରେ ରୋକଠୋକ କହିଲେ । ଯଦି ଜନପ୍ରତିନିଧି ହୋଇ ଆମ ଅଂଚଳର କାମ କରିପାରିବୁ ନାହିଁ । ହେଉଥିବା କାମର ତଦାରଖ କରିପାରିବୁ ନାହିଁ, କେବଳ ମିଟିଂକୁ ଆସି ଦସ୍ତଖତ କରିବୁ, ତାହେଲେ କଣ ପାଇଁ ମିଟିଂରେ ବସିରହିବୁ ? ବାସ୍, ଏତକ କହି ବୈଠକରୁ ଉଠି ଆସିଥିଲେ ୨୫ ଜଣ ବିଜେଡି ଜିଲ୍ଳା ପରିଷଦ ସଭ୍ୟ । ଉପରୁ ତଳକୁ ଓହ୍ଳାଇ ଆସିଲେ ଜିଲ୍ଳା ପରିଷଦ ସଭ୍ୟ ସଭ୍ୟା । ବାସ୍, ଏତିକି ବେଳେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର ଆସି ବୁଝାସୁଝା କଲେ । କିଛି ସମୟର ଆଲୋଚନା ପରେ ପୁଣି ସିଡି ଚଢି ସଭାକୁ ଗଲେ ବିଜେଡି ସଭ୍ୟସଭ୍ୟା । ଆଲୋଚନା ପରିବର୍ତ୍ତେ ନିଜ ନିଜ ଅଂଚଳର ସମସ୍ୟାକୁ ନେଇ ହୋ...ହା...ଘୋ...ଘା...ହେଲା । ଏମିତି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ ।
ଜିଲ୍ଳା ପରିଷଦ ଅଧ୍ୟକ୍ଷା ମଧ୍ୟ ଜିଲ୍ଳା ପ୍ରଶାସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ । ଗଣତାନ୍ତ୍ରିକ ପ୍ରକିୟାରେ ଜିଲ୍ଳା ପରିଷଦ ଗଠନ ହୋଇଥିଲେ ବି, ଜିଲ୍ଳା ପ୍ରଶାସନ କୌଣସି ସହଯୋଗ କରୁନଥିବା ଅଧ୍ୟକ୍ଷା କହିଛନ୍ତି । ଯାହାର ଜବାବ ମଧ୍ୟ ରଖିଛନ୍ତି ଜିଲ୍ଳାପାଳ ।
ଗତ କିଛି ମାସ ହେବ, କୌଣସି ବୈଠକକୁ ଗଣମାଧ୍ୟମକୁ ଛାଡୁନାହାନ୍ତି ଜିଲ୍ଳା ପ୍ରଶାସନ । ଗତକାଲି ବୈଠକରେ ବି ଗଣମାଧ୍ୟମକୁ ଛଡାଯାଇନଥିଲା । ସରକାର ବଦଳିଗଲା ପରେ ବି, ଗଣମାଧ୍ୟମକୁ ବାରଣ କରିବାର ନୀତି ବଳବତ୍ତର ରହିଛି । ହେଲେ କବାଟ କିଲା ଆଲୋଚନା ଭିତରେ ଜୋରସୋର ପାଟିତୁଣ୍ଡ ହୋଇଥିଲା ।
ବାହାରେ ଅପେକ୍ଷା କରିଥିବା ଗଣମାଧ୍ୟମର ପ୍ରତିନିଧି ବି ଜାଣିପାରିଥିଲେ ବିଜେଡିର ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ କଣ୍ଟାବାଂଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ଭିତରେ କଥାରେ କଟାକଟି ଚାଲିଛି । ଆଉ ଏସବୁ ଭିତରେ ସଭାରୁ ବାହାରି ଆସି, ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ, ସାଂସଦ ନିରଂଜନ ବିଶି, ଲକ୍ଷ୍ବଣ ବାଗଙ୍କୁ ଅକ୍ଷେପ କରି କହିଥିଲେ ବିଧି ନଜାଣି ବିଧାୟକ ହୋଇଛନ୍ତି ଲକ୍ଷ୍ମଣ ବାଗ । ଏପରିକି ବିଧାୟକ ପାଠ ପଢି ଆସନ୍ତୁ ବୋଲି କହିଥିଲେ ନିରଂଜନ । ଏହାର ଜବାବ ରଖିଥିଲେ ବିଧାୟକ ଲକ୍ଷ୍ମଣ ବାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)