ଦୁଃଖି ଭକ୍ତଟିଏ ଯେବେ ଭଗବାନଙ୍କ ନିକଟକୁ ଆସେ । ଦେଖିବାକୁ ମିଳେ କିଛି ଭକ୍ତିଭରା ଚିତ୍ର । ପାଦ ନାହିଁ ଚାଲିବାକୁ ଶକ୍ତି ବି ନାହିଁ । କିନ୍ତୁ କାଳିଆର ଡ଼ୋରୀ ଏମିତି ଟାଣି ଆଣିଛି ଯେ, ସବୁ ଅକ୍ଷମତାକୁ ଭୁଲିଯାଇ ଦୌଡ଼ି ଆସିଛନ୍ତି ଚକା ଆଖିରେ ଟିକିଏ ଚର୍ମ ଚକ୍ଷୁକୁ ମିଶାଇବାକୁ । ରତ୍ନସିଂହାସନରେ ଦିଅଁଙ୍କୁ ଦେଖି ଦୁଇ ଟୋପା ଲୁହ ଝରାଇ ଦେବାକୁ । ଆଉ ସତେ ଯେମିତି ସବୁ ଦୁଃଖ କଷ୍ଟକୁ ଛାତି ଭିତରେ ଚାପିରଖି ତା’ ନାଲି ଅଧରର ସେ ମିଠା ହସକୁ ଟିକିଏ ଆଖି ପୂରାଇ ଦେଖି ନେବାକୁ ।
ଭକ୍ତ ଯେମିତି କହୁଛି, ତୋର ପାଦ ନାହିଁ । ମୋର ବି ପାଦ ନାହିଁ । ତୁ ବରଷକରେ ଥରେ ଏମିତି ଗୁରୁଣ୍ଡି ଗୁରୁଣ୍ଡି ଝୁଲି ଝୁଲି ବଡ଼ ଦାଣ୍ଡକୁ ଆସୁ । ଭକ୍ତଙ୍କ ଗହଣରେ ଟାହିଆ ହଲାଇ ନାଚି ସବୁ ଦୁଃଖକୁ ଭୁଲେଇ ଦେଉ । ମୁଁ ବି ଠିକ୍ ସେମିତି ଆଜି ତତେ ଆଉ ତୋ ଭାଇ ଭଉଣୀଙ୍କୁ ଦେଖିବାକୁ ଗୁରୁଣ୍ଡି ଗୁରୁଣ୍ଡି ଆସିଛି । ତୋ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବି ଆଉ ତତେ ଆଖି ପୂରାଇ ଦେଖିବି । ନା ତୁ ତୋ ଭକ୍ତ ପାଖକୁ ଆସିବାକୁ ଟିକିଏ କୁଣ୍ଠା ବୋଧ କରୁ ନା ମୁଁ ତୋ ପାଖକୁ ଆସିବାକୁ ଟିକିଏ କଷ୍ଟ ଆନୁଭବ କରୁଛି । ତୋ ପାଇଁ ମୋର ସବୁ ଦୁଃଖ କଷ୍ଟ ହଜିଯାଇଛି । ସବୁ ଲୁଚି ଯାଇଛି ।
Also Read
ଏହି ବ୍ୟକ୍ତି ଜଣଙ୍କ ନାଁ ହେଉଛି ଜାମାନ ବାଲକୃଷ୍ଣ ଦୋରା । ଘର ତାଙ୍କର ଦିଗପହଣ୍ଡିରେ । ଦିନେ ମୁମ୍ବାଇ ବୁଲିବାକୁ ଯାଇଥିବା ସମୟରେ ଟ୍ରେନରୁ ପଡିଯାଇଥିଲେ । ଏବଂ ତାଙ୍କର ଦୁଇଟିଯାକ ଗୋଡ କଟିଯାଇଥିଲା । ସେବେଠୁ ସେ ଅକ୍ଷମ ହୋଇଯାଇଛନ୍ତି । ହେଲେ ସେ ଏବେ ମହାପ୍ରଭୁଙ୍କ ଦର୍ଶନ କରିବାବୁ ଆସିଛନ୍ତି ।
ଚାଲିବାକୁ ସିନା ଭଗବାନ ଅକ୍ଷମ କରିଛନ୍ତି । ହେଲେ ମନରେ କାଳିଆ ପ୍ରତି ବାଲକୃଷ୍ଣଙ୍କ ରହିଛି ଅଗାଢ଼ ବିଶ୍ବାସ । ସେଇଥି ପାଇଁ ତ ଆଜି ସେ ସିଂହଦ୍ୱାରରୁ କାଳିଆକୁ ମନେ ମନେ ରଡ଼ି କରି ଡାକୁଛନ୍ତି । ଟିକିଏ ଦେଖିବା ପାଇଁ ଏତେ ସବୁ କଷ୍ଟ କରିଚାଲିଛନ୍ତି ।