• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନାଁ ତାଙ୍କର କନକଲତା । ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି । ଆଉ ସ୍ୱାମୀ ବିଚରା ଅସହାୟ.... ପତ୍ନୀଙ୍କୁ ଏପରି ଅବସ୍ଥାରେ ଦେଖି ସ୍ୱାମୀ ଆଖିରୁ ବହିଯାଉଛି ଲୁହର ଧାର ।

ସୁନାର ସଂସାରକୁ ନେଇ କେତେ କଣ ସ୍ୱପ୍ନ ଦେଖିଥିଲେ ହେଲେ ପିତ୍ତକୋଷରେ ହୋଇଥିବା କ୍ୟାନସର ଜୀବନକୁ କରିଦେଇଛି ସଂଘର୍ଷମୟ । ଭଦ୍ରକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗାଁର ଗଦାଧର ମହାରଣାଙ୍କ ପତ୍ନୀ କନକଲତା ମହାରଣାଙ୍କର କଥା । ଡାକ୍ତର ଏବେ କ୍ୟାନସର ଅପରେସନ ପାଇଁ କହୁଛନ୍ତି । ଅପରେସନ କଲେ ସୁସ୍ଥ ହେବାର ଆଶା ଅଛି ବୋଲି ଡାକ୍ତର ଜଣାଇଛନ୍ତି । ହେଲେ ଆର୍ଥିକ ସ୍ଥିତି ଖରାପ ଥିବାରୁ ଚିନ୍ତାରେ ପରିବାର ।

ଦେଢ଼ ବର୍ଷ ପୂର୍ବରୁ କନକ ଲତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପ୍ରଥମ କଟକ ମେଡିକାଲ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଅଧିକ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ସମସ୍ତ ପରୀକ୍ଷା ପରେ ପିତ୍ତକୋଷରେ କ୍ୟାନସର ହୋଇଥିବା କଥା କହିଥିଲେ ଡାକ୍ତର ।

ଏକଥା ଶୁଣିବା ପରେ ସ୍ୱାମୀ ଗଦାଧରଙ୍କ ପାଦତଳୁ ମାଟି ଖସିଯାଇଥିଲା । ପୁଅ ଦୁଇଟାଙ୍କୁ ମଣିଷ କରିବା ପାଇଁ ଯାହା ମୂଲ ଲାଗି ରଖିଥିଲେ ସେସବୁ ମେଡିକାଲରେ ସାରିଦେଇଥିଲେ । ଏପରିକି ଗାଁ ଲୋକଙ୍କ ଠାରୁ ହାତ ଉଧାରି ଓ ସ୍ୱାସ୍ଥ୍ୟ ବୀମା କାର୍ଡରେ ଯାହା ସମ୍ଭବ ତାକୁ କରିଥିଲେ । ଏବେ ଡାକ୍ତର ଅପରେସନ ପାଇଁ କହୁଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ପତ୍ନୀଙ୍କ ଯତ୍ନ ପାଇଁ ଗଦାଧର ଆଉ କାମକୁ ଯାଇପାରୁନଥିବା ବେଳେ ବଡ଼ ପୁଅ ପାଠପଢାରେ ଡୋରି ବାନ୍ଧି ମୂଲ ଲାଗିବାକୁ ବାଧ୍ୟ ହୋଇଛନ୍ତି । ସେଥିରୁ ଯାହା ଆସୁଛି ସେଥିରେ ମାଆର ମେଡିସିନ ସହ ଘର ଚଳୁଛି । ଏନେଇ ଆମେ ଧାମନଗର ମେଡିକାଲ ଇନଚାର୍ଜଙ୍କୁ ଭେଟିବା ପରେ ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜୀବନ ଶହ ସଂଘର୍ଷ କରୁଥିବା କନକଲତାଙ୍କ ପରିବାରକୁ ସରକାରୀ ସ୍ତରରେ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ତାଙ୍କ ଚିକିତ୍ସା ହୋଇପାରନ୍ତା ।

OTV is now on Whatsapp

Join and get latest news update delivered to you via whatsapp

Join Now