ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବାକୁ ହେବାକୁ ଯାଉଛି ବାଧା ବିହୀନ ଜଗା ଦର୍ଶନ ବ୍ୟବସ୍ଥା । ବ୍ୟାରିକେଡ୍ ଓ ରାଂପ୍ ଦର୍ଶନ ବ୍ୟବସ୍ଥା କିଭଳି ହେବ, ସେ ନେଇ ଛତିଶା ନିଯୋଗ ଓ ବିଭିନ୍ନ ପକ୍ଷଙ୍କ ପରାମର୍ଶ ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଦର୍ଶନ ବ୍ୟବସ୍ଥା ସହ ଆନନ୍ଦ ବଜାରରେ ମଧ୍ୟ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।
Also Read
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା । ଜାନୁଆରୀ ପହିଲାରୁ ଲାଗୁ ହେବ ନାଟମଣ୍ଡପରେ ବ୍ୟାରିକେଡ୍ ଓ ରାଂପ୍ ସିଷ୍ଟମ । ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଦିବ୍ୟାଙ୍ଗ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ପୁରୁଷ ଭକ୍ତଙ୍କ ପାଇଁ ରହିବ ଅଲଗା ଅଲଗା ଲାଇନ୍ । ତେବେ କେମିତି ଓ କେଉଁଠୁ ଆରମ୍ଭ ହେବ ବ୍ୟାରିକେଡ୍ ? ଏ ନେଇ ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କୁ ଅବଗତ କରାଯିବା ସହ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଓବିସିସି କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ସବିଶେଷ ଆଲୋଚନା ସରିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶା ନିଯୋଗରର ପରାମର୍ଶ ଆଧାରରେ ଅସ୍ଥାୟୀ ବ୍ୟାରିକେଡ୍ ବ୍ୟବସ୍ଥା ନିର୍ମାଣ ଦ୍ବାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଚାଲିବ । ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ମଧ୍ୟ ଉଦ୍ୟମ ଚାଲିଛି ।
ଅଧିକ ପଢ଼ନ୍ତୁ: ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୨୨ ପରେ ପାଗରେ ପରିବର୍ତ୍ତନ
ଓବିସିସି ଦ୍ବାରା ଡାଇଗ୍ରାମ କରାଯାଇଥିବା ରାଂପ୍ ବ୍ୟବସ୍ଥା ନୂଆବର୍ଷ ପୂର୍ବରୁ ନିର୍ମାଣ ଶେଷ କରାଯିବ । ଯଦିଓ ନୂଆ ଦର୍ଶନ ବ୍ୟବସ୍ଥାର ପୂର୍ଣ୍ଣ ଚିତ୍ର ଆସିନାହିଁ, ତେବେ ସୂଚନା ଅନୁସାରେ ୬ ଲେନ୍ ବିଶିଷ୍ଟ ବ୍ୟାରିକେଡ୍ ନିର୍ମାଣ ହେବ । କାଠରେ ବ୍ୟାରିକେଡ୍ ଓ ରାଂପ୍ ତିଆରି ହେବ । ପ୍ରଥମ ଲେନରେ ଦିବ୍ୟାଙ୍ଗମାନେ ଯିବେ । ଦ୍ବିତୀୟ ଲେନ୍ରେ ଶିଶୁ ଓ ମହିଳାମାନେ ଯିବେ । ଏହା ପର ଲେନ୍ରେ ବରିଷ୍ଠ ନାଗରିକମାନଙ୍କୁ ଛଡ଼ାଯିବ। ବଳକା ତିନି ଲେନ୍ରେ ପୁରୁଷମାନେ ଯିବେ । ତା ସହିତ ଯେଉଁ ମହିଳାମାନେ ଚାହିଁବେ ସେମାନେ ବି ଏହି ତିନି ଲେନ୍ରେ ଯାଇପାରିବେ । ଅନ୍ୟପକ୍ଷରେ ଗରୁଡ଼ ସ୍ତମ୍ଭ ପଛ ପାଖରେ ଯେଉଁମାନେ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ରାଂପ ନିର୍ମାଣ କରାଯାଉଛି । ଅନ୍ୟପକ୍ଷରେ ରାଂପ୍ ଓ ବ୍ୟାରିକେଡ୍ ବ୍ୟବସ୍ଥାର ରୂପରେଖ କିଭଳି ରହିବ, ଉଚ୍ଚତା କେତେ ଫୁଟ୍ ରହିବ, କିଭଳି ଏହାକୁ ତୁରନ୍ତ କଢା ଯାଇପାରିବ ଏବଂ ଭୋଗମଣ୍ଡପ କରାଯିବ ତା ଉପରେ ବିସ୍ତୃତ ଆଲୋଚନା କରାଯିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ।
ସେହିପରି ASIର ପକ୍ଷରୁ ଚାଲିଥିବା ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି-NGRI ରିପୋର୍ଟ ଆଧାରରେ ଭଣ୍ଡାର ଘର ମରାମତି କାମ ଚାଲିଛି । ଯେଉଁମାନେ ମରାମତି ସମୟରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏଏସଆଇ ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ । ସେମିତି ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଏକ କମିଟି ଗଠନ ହୋଇଛି ଓ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ସେନା ନିବୃତ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଥିବାରୁ ସେଠି ଅଧିକ ଶୃଙ୍ଖଳା ଆସିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।