• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସ୍କୁଲ ଚିକ୍କଣ ହେଲା । କ୍ଲାସରୁମ୍ ବି ଦିଶିଲା ଚକାଚକ୍। ଡିଜିଟାଲ୍ କ୍ଲାସରୁମ ପାଇଁ ଆସିଲା ସ୍ମାର୍ଟବୋର୍ଡ, କଂପ୍ୟୁଟର, ଆହୁରି କେତେ କଣ ସରଞ୍ଜାମ। ପିଲାଏଁ ଭାବିଲେ ସ୍ମାର୍ଟ କ୍ଲାସରୁମରେ ପଢ଼ି ସ୍ମାର୍ଟ ବନିବେ। ହେଲେ ବିଡ଼ମ୍ବନା, ମାସ ମାସ ପରେ ବି ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ପାଠପଢ଼ା ଏବେବି ବହୁ ସ୍କୁଲରେ ସ୍ବପ୍ନ ହୋଇ ରହିଛି।

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ରୂପାନ୍ତରିତ ସ୍କୁଲର ବାସ୍ତବ ଚିତ୍ର ନ କହିବା ଭଲ । କେଉଁଠି ଅଚଳ ପଡ଼ିଛି କଂପ୍ୟୁଟର, ଆଉ କେଉଁଠି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି ଡିଜିଟାଲ୍ କ୍ଲାସରୁମ। କିଛି କ୍ଲାସରେ ସ୍ମାର୍ଟବୋର୍ଡ କାମ କରୁନଥିବାରୁ କଳାପଟାରେ ଶିକ୍ଷାଦାନ ଚାଲିଛି, ଆଉ କେଉଁଠି ସ୍ମାର୍ଟବୋର୍ଡ ଏଯାଏଁ କାନ୍ଥରେ ଲାଗିପାରିନି। ବାଂଶପାଳ ଟଣ ଗାଁରେ ଥିବା ପାଟେଶ୍ବରୀ ହାଇସ୍କୁଲ ହେଉ, ଅବା ମାଟିଆଗୁଡ଼ିର MBBR ହାଇସ୍କୁଲ । ସବୁଠି ଡିଜିଟାଲ୍ କ୍ଲାସରୁମ ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ବାରମ୍ବାର ବିଦ୍ୟୁତକାଟ୍ ଓ ଦୁର୍ବଳ ଇଣ୍ଟରନେଟକୁ ବି ଦାୟୀ କରିଛନ୍ତି ପ୍ରଧାନଶିକ୍ଷକ ।

କେବଳ ଯେ, ବିଭାଗୀୟ ଉଦାସୀନତା ପାଇଁ ସ୍ମାର୍ଟ କ୍ଲାସରୁମ୍ ଏଯାଏଁ ସ୍ମାର୍ଟ ବନିପାରିନାହିଁ, ତା ନୁହେଁ । ଅଭିଯୋଗ ହୋଇଛି, ମାଧ୍ୟମିକ, ଉଚ୍ଚମାଧ୍ୟମିକ, ହାଇସ୍କୁଲ ଓ ଆଶ୍ରମ ସ୍କୁଲ ସମେତ କେନ୍ଦୁଝର ଜିଲ୍ଲାର ପ୍ରାୟ ୩୫୦ ଶିକ୍ଷାନୁଷ୍ଠାନରେ ସ୍ମାର୍ଟ କ୍ଲାସରୁମ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍ଏଫ୍ରୁ ବିଭିନ୍ନ ପର୍ଯ୍ୟାୟରେ ମୋଟ୍ ୮୦ କୋଟି ୪୪ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁର ହୋଇଛି। ୮୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି, ଗ୍ଲୋବାଲ ଟେଣ୍ଡର ନଡାକି ଏକ ଘରୋଇ ସଂସ୍ଥାକୁ MOU ଭିତ୍ତିରେ କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି । 

ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ଟିସିଆଇଏଲ୍ ସହ ଏହି ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ ବୋଲି ସୂଚନା ମିଳିଛି । କଂପ୍ୟୁଟର, ସ୍ପିକର, ସ୍ମାର୍ଟ ବୋର୍ଡ, ୱେବ କ୍ୟାମେରା ଓ ମାଇକ୍ରୋଫୋନ୍ ଆଦି ଯୋଗାଇବାକୁ ଏହି MOU ହୋଇଥିଲା । ଏହି ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ଡିଜିଟାଲ କ୍ଲାସରୁମ ରକ୍ଷଣାବେକ୍ଷଣ କରିବ ବୋଲି ଚୁକ୍ତି ଥିଲେ ମଧ୍ୟ, ଏବେ ବହୁ ସ୍କୁଲରେ କାମ ସରିନଥିବା ଏବଂ ଆଉ କିଛି ସ୍କୁଲର ସରଞ୍ଜାମ ଅଚଳ ପଡ଼ିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସଂପୃକ୍ତ ଟିସିଆଇଏଲ୍ ସଂସ୍ଥାର ପ୍ରତିକ୍ରିୟା ମିଳିନଥିବା ବେଳେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି, ଖୁବଶୀଘ୍ର ଏହାର ସମାଧାନ କରିବାକୁ ପଦକ୍ଷେପ ନିଆଯାଇଛି । 

OTV is now on Whatsapp

Join and get latest news update delivered to you via whatsapp

Join Now