Advertisment

‘ଦାନା’ ଯିବା ପରେ ପୁଣି ଖୋଲିଲା ଶିମିଳିପାଳ, ପ୍ରକୃତିର ମଜା ଉଠାଇବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ବାତ୍ୟା "ଦାନା"ପାଇଁ ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିଲେ କର୍ତ୍ତୃପକ୍ଷ।

author-image
Sonali Ojha
similipala

similipala

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ବାତ୍ୟା "ଦାନା"ପାଇଁ ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିଲେ କର୍ତ୍ତୃପକ୍ଷ। ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି।

Advertisment

ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରୁ ଶିମିଳିପାଳ ବନ୍ଦ ହୋଇ ନଭେମ୍ବର ପହିଲାରେ ଖୋଲିଥାଏ । ତେବେ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଗତ ବର୍ଷ ଅକ୍ଟୋବର ୧୪ରୁ ଖୋଲିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ମାତ୍ର ବାତ୍ୟା ଦାନା ପାଇଁ ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଥିଲା।

ତେବେ ଗତକାଲି ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି । ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା ଗୋଟିଏ ବାଘୁଣୀ ।ଅଢ଼େଇ ବର୍ଷର ବାଘୁଣୀକୁ ଧରି ଗତକାଲି ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିଲେ । ଏହାପରେ ଶିମିଳିପାଳ କୋର୍ ଏରିଆରେ ବାଘକୁ ଛଡ଼ାଯାଇଛି । ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।

Advertisment

ଶିମିଳିପାଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି । ଯେଉଁଥିପାଇଁ ଏହା ଭାରତର ବାଘ, ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀଙ୍କ ବାସସ୍ଥଳୀ ହୋଇପାରିଛି । ଏଥିସହିତ ଏହି ଜୈବମଣ୍ଡଳରେ ଏକ ହଜାରରୁ ଅଧିକ ପ୍ରଜାତିର ସପୁଷ୍ପକ ଉଦ୍ଭିଦ ସହିତ ୧୦୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରେ ।

ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍‌‌ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି । ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଙ୍ଗର ସୁବିଧା କରାଯାଇଛି । ରାତ୍ରିରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ, ବରେହିପାଣି ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାମ୍ୱୋ କଟେଜ୍ ବ୍ୟବସ୍ଥା ମଧ୍ୟ ରହିଛି ।

Tourists Similipal National Park
Advertisment
Advertisment