• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚଳିତ ବର୍ଷରୁ ରାଜ୍ୟରେ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଅନୁସୂଚିତ ଜାତି ଓ ଜନଜାତି ଛାଚ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ୧୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଛାତ୍ରଛାତ୍ରୀ । ଅଷ୍ଟମରୁ ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ରୋକିବାକୁ ମୋହନ ସରକାର ନୂଆ ଯୋଜନା ଆରମ୍ଭ କରିବେ ।

ସେପଟେ ଆଜି ବଜ୍ରପାତ ମୃତ୍ୟୁ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି। ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ । ଗତ ୫ ବର୍ଷରେ ୧୧୦୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟ ହୋଇ ବି ସେଠାରେ ବଜ୍ରପାତ ଜନିତ ମୃତ୍ୟୁ ଗତ ୫ ବର୍ଷରେ ମାତ୍ର ୫୪୨ । ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ବରରେ ବଜ୍ରପାତ ମୃତ୍ୟୁ ଅନ୍ୟ ଜିଲ୍ଲା ଠାରୁ ଅଧିକ ରହିଛି ।

ଗବେଷଣା ଅନୁଯାୟୀ ଓଡ଼ିଶାରେ ଖଣିଜ ପଦାର୍ଥ ଭରପୂର ଥିବାରୁ ବଜ୍ରପାତ ଅଧିକ ହେଉଛି । କାରଣ ଖଣିଜ ପଦାର୍ଥ ହେଲା ବିଦ୍ୟୁତ ସୁପରିବାହୀ । ଆଜି ଯାଏ କୌଣସି ଜ୍ଞାନ କୌଶଳ ଆସିନାହିଁ ଯେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ତାହା ଆକଳନ କରିହେବ । ଗତ ୫ ବର୍ଷରେ ଝାରସୁଗୁଡ଼ାରେ ୭୨ ଓ ବଲାଙ୍ଗିରରେ ୫୫ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ବଜ୍ରପାତ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି ସରକାର । ବଜ୍ରପାତ ପ୍ରସଙ୍ଗରେ ଗୃହରେ ଏହି ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଏହାସହ ସେ କହିଛନ୍ତି ୨୩ ଶହ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି । ସେଥିରୁ ୨୦୦ କୋଟି ଟଙ୍କା କ୍ଷତି ପୂରଣ ପାଇଁ ରଖିଛୁ । ପାଣ୍ଠି ଯଥେଷ୍ଠ ଅଛି । ରାଜ୍ୟ ବାହାରେ ବଜ୍ରପାତରେ ଓଡ଼ିଆଙ୍କ ମୃତ୍ୟୁ ହେଲେ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ସରକାର ବିଚାର ବିମର୍ଶ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now