ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଖରା ବଢିବା ସହ ବଢିଲାଣି ପାଣି ଚିନ୍ତା । କେଉଁଠି ନଳକୂପ ନାହିଁ ତ ଆଉ କେଉଁଠି ବ୍ୟବହାର ଯୋଗ୍ୟ ପାଣି ଆସୁନି । ଏଭଳି ସ୍ଥଳେ ଗାଁ ଲୋକଙ୍କୁ ପାଣି ଟିକିଏ ପାଇଁ ପାହାଡ ଚଢିବାକୁ ପଡୁଛି । ଝରଣା ଓ ଚୁଆରୁ ପାଣି ଛାଣି ଆଣିଲେ ଶୋଷ ମେଣ୍ଟୁଛି । ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଏବେଠୁ ଜଳ ସଂକଟ ଉତ୍କଟ ହେଲାଣି ।
ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଅଟାଙ୍ଗମେରା ଗାଁରେ ପଥର ଉପରେ ଚଢି, ପାହାଡ଼ ଡେଇଁ ପ୍ରତିଦିନ ଚାଲୁଛି ଜଳ ଯୁଦ୍ଧ । ଛୁଆକୁ କାଖେଇ, ଡେକ୍ଚି ମୁଣ୍ଡେଇ, ପାଣି ଟିକେ ପାଇଁ ପାହାଡ଼ିଆ ରାସ୍ତାରେ ମହିଳାମାନେ ପ୍ରାୟ ଦେଢ କିଲୋମିଟର ଚାଲୁଥିବା ଦେଖିବାକୁ ମିଳୁଛି । ଏହି ଗ୍ରାମରେ ଝରଣାରୁ ପାଣି ଛାଣି ଆଣିଲେ ଶୋଷ ମେଣ୍ଟିବା ସହ ରୋଷେଇ ହୋଇଥାଏ । କେବଳ ଖରାଦିନ ନୁହେଁ, ବର୍ଷା ଆଉ ଶୀତ ଦିନରେ ମଧ୍ୟ ଏଠି ସମାନ ସ୍ଥିତି ଦେଖିବାକୁ ମିଳେ ।
Also Read
ଗାଁରେ କୌଣସି ନଳକୂପ କିମ୍ବା କୂଅ ନଥିବାରୁ ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ଆହୁରି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । କେହି ଗୁହାରୀ ଶୁଣୁନଥିବାରୁ ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କାଲଟା ପଞ୍ଚାୟତ ତୋଡା ଭୂୟାଁ ବସ୍ତିରେ ଜଳ ସଂକଟ ଉତ୍କଟ ହେଲାଣି । ପାନୀୟ ଜଳ ପାଇଁ ଏକମାତ୍ର ଭରସା ସାଜିଛି ପାହାଡ଼ି ନଦୀ । ଗରା , ବାଲ୍ଟି ଧରି ପ୍ରତିଦିନ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ ।
ବସ୍ତିରେ ସୋଲାର ପମ୍ପ ଓ ନଳକୂପ ଥିଲେ ବି ସେଥିରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ନୁହେଁ । ସେଥିପାଇଁ ଲୋକମାନେ ଦୁଃଷିତ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ଏବେଠୁ ଆରମ୍ଭ ହୋଇଗଲାଣି ଗ୍ରୀଷ୍ଣ ପ୍ରକୋପ । ଆଗକୁ ଅତିପ୍ରବଳ ଖରା ସହ ଜଳ ସଂକଟ ବଢିବା ଆଶଙ୍କା ରହିଛି । ଏଣୁ ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନପାଇଁ ଦାବି ହେଉଛି ।