Advertisment

ଅଗଷ୍ଟ ୧୫ରେ ମିଳିବା କଥା ନୂଆ ଡ୍ରେସ୍, ହେଲେ ଏଯାଏଁ ମିଳିନି ! କାହିଁକି..?

ପୁରୁଣା ୟୁନିଫର୍ମ ପିନ୍ଧି ପାଠ ପଢିବାକୁ ଆସିଛନ୍ତି ପିଲା । ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ: ଗଣଶିକ୍ଷା ମନ୍ତ୍ରୀ  ।

author-image
Satyendu Shekher Mishra
School Uniform

School Uniform

ଶିକ୍ଷା ବର୍ଷ ଆସି ଅଧା ହେଲାଣି କିନ୍ତୁ ଏବେଯାଏ ପିଲାଙ୍କୁ ମିଳିନି ନୂଆ ୟୁନିଫର୍ମ । କେବେ ମିଳିବ ୟୁନିଫର୍ମ, ଉଠିଲା ପ୍ରଶ୍ନ । ନୂଆ ଶିକ୍ଷାବର୍ଷରେ ପୁରୁଣା ୟୁନିଫର୍ମ ପିନ୍ଧି ପାଠ ପଢିବାକୁ ଆସୁଛନ୍ତି ପିଲା। ନା ଅଛି ପାଦରେ ଜୋତା ନା ଦେହରେ ନୂଆ ୟୁନିଫର୍ମ । ନିୟମ କହୁଛି ଅଗଷ୍ଟ ୧୫ ସୁଦ୍ଧା ପ୍ରଥମରୁ ୧୦ମ ଯାଏଁ ପିଲାଙ୍କୁ ମିଳିବ ମାଗଣା ସରକାରୀ ସ୍କୁଲ ୟୁନିଫର୍ମ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ।

Advertisment

କୋରାପୁଟ ଜିଳ୍ଲା ଜୟପୁର ସହରର ଉଚ୍ଚବିଦ୍ୟାଳୟ କଥା ଯଦି କହିବା, ଶିକ୍ଷାବର୍ଷ ଅଧା ହେବାକୁ ବସିଲାଣି କିନ୍ତୁ ପିଲା ପାଇପାରି ନାହାନ୍ତି ନୂଆ ୟୁନିଫର୍ମ। ସେହିପରି ନାରାୟଣପାଟଣା ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ବି ଅବସ୍ଥା ସମାନ। ପୁରୁଣା ପୋଷାକରେ ଚାଲିଛି ସ୍କୁଲ, ବିତିଲାଣି ଦିନ, ମାସ। କେବେ ମିଳିବ ପୋଷାକ, ଉତ୍ତର କାହାପାଖେ ନାହିଁ।

ତେଣେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ବି ସମାନ ଅବସ୍ଥା । କିଏ ଘରପିନ୍ଧା ପୋଷାକ, କାହା ପାଦରେ ଚପଲ ତ ଆଉ କିଏ ଖାଲି ପାଦରେ ସ୍କୁଲ ଆସୁଛି। ଜିଲ୍ଲାର ୧୮୦୫ଟି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଥିବାବେଳେ ମୋଟ୍ ଏକ ଲକ୍ଷ ୯୭ ହଜାର ୯୯୩ ପିଲା ପାଠ ପଢୁଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ ଯୋଗାଇବାର ପ୍ରସ୍ତାବ ରହିଛି।

Advertisment

ଏଥିପାଇଁ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରୁ ୧୧ କୋଟି ୮୭ ଲକ୍ଷ ୯୫ ହଜାର ୮୦୦ ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି । ତେବେ ଏବେଯାଏ ଅନୁଦାନ ଅର୍ଥ ମିଳିନଥିବା ସୂଚନା ମିଳିଛି। ପୁଣି ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ସ୍କୁଲ ୟୁନିଫର୍ମ ଏସଏଚଜି ସଂସ୍ଥା ଯୋଗାଇବେ ବୋଲି ନିର୍ଦ୍ଦେଶ ହୋଇଛି। 

ଜିଲ୍ଲାରେ ମାତ୍ର ୨ରୁ ୩ଟି ଏଭଳି ସଂସ୍ଥା ଥିବାବେଳେ କେତେ ଶୀଘ୍ର କାମ ତ୍ୱରାନ୍ୱିତ ହେବ, ତାକୁ ନେଇ ଦେଖାଦେଇଛି ସନ୍ଦେହ। ଅନ୍ୟପଟେ ଘଟଣାକୁ ଜିଲ୍ଲା ଶିକ୍ଷାଧିକାରୀ ସ୍ୱୀକାର କରିଥିବାବେଳେ ତୁରନ୍ତ ପ୍ରକ୍ରିୟା ଶେଷ କରି ପୋଷାକ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ତେଣେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Advertisment