• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜନ୍ମକଲା ମା’ କୁହୁଛି... ଚାବି ଖୋଲିଦେ ମୁଁ ଥାନାକୁ ଯିବି । ମୁଁ ଆଉ କେତେ ନିର୍ଯାତନା ସହିବି... ମତେ ଆଉ କେତେ ଦୁଃଖ ଦେବୁ । କେତେ ଚାବି ପକେଇ ରଖିବୁ । ଏ ଜଣେ ଏମିତି ସେମିତି ମା’ ନୁହଁନ୍ତି... ତିନି ତିନିଟା ପୁଅକୁ ଅନ୍ତଚିରି ଜନ୍ମ ଦେଇଛନ୍ତି । ସ୍ୱାମୀ ବି ଥିଲେ ଜଣେ ଶିକ୍ଷକ । ଗତ ୧୦ ବର୍ଷ ହେଲା ପରପାରିକୁ ସ୍ୱାମୀ ଚାଲିଯିବାରେ ବନ୍ଦୀ ଜୀବନ କାଟୁଛନ୍ତି ବୃଦ୍ଧା ମା’ ।

କୁହାଯାଏ ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ବିନା ଚଳିବା ଏହା ପକ୍ଷେ ପ୍ରାୟ ଅସମ୍ଭବ । ସମାଜ ପରିବାରକୁ ନେଇ ମଣିଷ ବଞ୍ଚିବା ଜାଣେ । ସାମାଜିକ ମୂଲ୍ୟବୋଧ ତଥା ସମାଜ ପାଇଁ କର୍ତ୍ତବ୍ୟ ସେ ବୁଝିପାରେ । ତେବେ କେତେ ନିଷ୍ଠୁର ହୋଇପାରେ ପରିବାର? ଜନ୍ମକଲା ମାଆ ପ୍ରତି କେତେ କଠୋର ହୋଇପାରେ? ଏପରି ଏକ ଘଟଣା ଆପଣଙ୍କୁ ବିଚଳିତ କରିପାରେ ।

ଆପଣ ନିଜେ ନିଜକୁ ପ୍ରଶ୍ନ ବି କରିପାରନ୍ତି... ଆମେ କଣ ସତରେ ସଭ୍ୟ ସମାଜର ମଣିଷ ! ଆମେ କ’ଣ ନିଜକୁ ମଣିଷ କହିବାକୁ ଯୋଗ୍ୟ । ଲୁହାର ସିଡି ଉପରେ ଅସହାୟ ମା’ଟା ରାହା ଟିକେ ପାଇଁ ସାହାରା ଖୋଜୁଛି । ହେଲେ ସମସ୍ତେ ଯେମିତି ପାଲଟିଯାଇଛନ୍ତି ନିଷ୍ଠୁର । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗାଁର । ଆଉ ଏ ଦୁଃଖୀ ମା’ର ନାଁ ହେଉଛି ଶଶୀ ବିଷୋୟୀ । ବୟସ ୭୫ ବର୍ଷ ଟପିଲାଣି ।

ସ୍ୱାମୀଙ୍କ ମୃତ୍ୟୁ ପରେ ଶଶୀ ତିନି ପୁଅଙ୍କ ପାଖରେ ପାଳି କରି ଏକ ମାସ ଲେଖାଏଁ ରହିଆସୁଥିଲେ । ଆଉ ଏହାରି ଭିତରେ ବଡ଼ ପୁଅର ମଧ୍ୟ ମୃତ୍ୟୁ ହୋଇଯିବାରୁ ଯେମିତି ବଢ଼ିଯାଇଛି ବୃଦ୍ଧା ମା’ ଶଶୀ ବିଷୋୟୀଙ୍କ ଦୁଃଖ । ଦୁଃଖରେ କଟୁଛି ଏ ଦୁଃଖିନୀ ମା’ର ଜୀବନ । ବର୍ତ୍ତମାନ ବଡ଼ ବୋହୂ ଓ ନାତିଙ୍କ ପାଖରେ ଶଶୀ ବିଷୋୟୀ ରହୁଛନ୍ତି । କିନ୍ତୁ ବୋହୂ ଓ ନାତିଙ୍କ ଅକଥନୀୟ ଅତ୍ୟାଚାର ବଳି ପଡିଛି ବୃଦ୍ଧା ଶଶୀଙ୍କ ଉପରେ ।

ଖାଇବା-ପିଇବା ନଦେଇ ଘର ପଛପଟ ଏକ ଲୁହାଗ୍ରୀଲ୍‌ ରୁମରେ ତାଲା ପକାଇ ରଖିଛନ୍ତି ବୋହୂ ଓ ନାତି । ସାନ ପୁଅ ଜାଣିବା ପରେ କିଛି ପଡୋଶୀଙ୍କ ସାହାଯ୍ୟରେ ଘର ଉପରପଟୁ ଖାଇବା ଦେଇଛନ୍ତି ବୃଦ୍ଧା ମା’ଙ୍କୁ । ଆଉ ପୁଅର ଟିକିଏ ସାହାରା ପାଇ ବୃଦ୍ଧା ମା’ କହୁଛନ୍ତି ମୋତେ ଏଠାରୁ ବାହାର କରିଦେ ।

ମୁଁ ଥାନାକୁ ଯିବି ନ୍ୟାୟ ମାଗିବି । ମୋତେ ଏଠାରେ ମାରିଦେବେ ଏମାନେ । ଏ ମା’ର ଏ ଭଳି କୋହଭରା କଣ୍ଠ ଯେମିତି ତା’ ପ୍ରତି ହୋଇଥିବା ଅତ୍ୟାଚାର ସବୁକୁ ବର୍ଣ୍ଣନା କରୁଛି । ଖାଇବା ପିଇବା ଠିକ୍ ରେ ନଦେଇ ଏକ ବନ୍ଦ ଘର ଭିତରେ ତାଙ୍କୁ ଏମିତି ଅବସ୍ଥାରେ ରଖିଥିବା ସେ ଅଭିଯୋଗ କରିଛନ୍ତି । ପଡ଼ୋଶୀ ଘର ଲୋକଙ୍କ ସହ ମିଶି ସାନ ପୁଅ ମାଆଙ୍କ ପାଇଁ ଛାତ ଡେଇଁ ଖାଇବା ଆଣୁଛନ୍ତି । ତେବେ ଏହି ଘଟଣାକୁ ନେଇ ଶଶୀଙ୍କ କିମ୍ବା ତାଙ୍କ ବଡ଼ ପୁଅଙ୍କ ପରିବାରଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।

OTV is now on Whatsapp

Join and get latest news update delivered to you via whatsapp

Join Now