Advertisment

ନିଅଣ୍ଟିଆ ବର୍ଷା: ଆଷାଢରେ ମାଟି ଫାଟି କରିଛି ଆଁ, ଶୁଖିଲା ପଡିଛି ଜଳଭଣ୍ଡାର

ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର।

author-image
Sujit kumar Swain
undefined

Water Crisis in Odisha

ରାଜ୍ୟରେ ଲୁଚକାଳି ଖେଳୁଛି ମୌସୁମୀ। ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର। ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ଉପରେ। 

Advertisment

ଆଷାଢରେ ମାଟି ଫାଟି ଆଁ କରିଛି। ଶୁଖିଲା ପଡିଛି ଜଳଭଣ୍ଡାର। ଦୂର ଦୂର ଯାଏଁ ପାଣିର ଦେଖା ନାହିଁ। ସ୍ଥିତି ଏମିତି ହୋଇଛି ଯେ, ଜଳଭଣ୍ଡାର ଭିତରେ ଗୋରୁ ଚରିଲେଣି। ବର୍ଷା ଅଭାବରୁ ଏଭଳି ଉତ୍କଟ ସ୍ଥିତି କେନ୍ଦୁଝରର ବଡ ଘାଗରା ଡ୍ୟାମର। ଜଳଭଣ୍ଡାରରେ ପାଣି ନଥିବାରୁ ସିଧାସଳଖ ପ୍ରଭାବିତ ହୋଇଛି ଜଳ ଯୋଗାଣ। ବଡ ଘାଗରା ଡ୍ୟାମରୁ ସହରରକୁ ଦୈନିକ ୬୦ ଲକ୍ଷ ଲିଟର ପାଣି ଯୋଗାଯାଇଥାଏ । ତେବେ ଜଳଭଣ୍ଡାର ଶୁଖିଯିବାରୁ ଠପ୍ ହୋଇଯାଇଛି ଜଳ ଯୋଗାଣ । ଲୋକଙ୍କ ପାଖରେ ଟ୍ୟାଙ୍କରରେ ପିଇବା ପାଣି ପହଁଚା ଯାଉଥିଲେ ବି ତାହା ପର୍ଯ୍ୟାପ୍ତ ହେଉନି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ଡ୍ୟାମର ରକ୍ଷଣାବେକ୍ଷଣ ଦିଗରେ ଅବହେଳା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି। 

ଏସିଆର ଦ୍ବିତୀୟ ସର୍ବବୃହତ୍ ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ସଂରକ୍ଷିତ ଜଳ ଭଣ୍ଡାର। ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କଳାହାଣ୍ଡି ସୀମାକୁ ଛୁଇଁଥିବା ୧୧୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଇନ୍ଦ୍ରାବତୀରେ ବି ପଡିଛି ନିଅଣ୍ଟିଆ ବର୍ଷାର ପ୍ରଭାବ। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଏବେ ଜଳ ସ୍ତର ୬୨୭.୫୬ ମିଟର ରହିଛି। ଯାହାକି ଡେଡ୍ ଲେବେଲ ଠାରୁ ମାତ୍ର ୨.୫ ମିଟର ଅଧିକ। ସ୍ବଳ୍ପ ବୃଷ୍ଟିପାତ ସହ ଡ୍ୟାମରେ କମ୍ ଜଳସ୍ତର ଯୋଗୁଁ ମୁଖୀଗୁଡା ସ୍ଥିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଉତ୍ପାଦନ ପ୍ରଭାବିତ ହୋଇଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ବାବଦକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ଏଥର ବଡ ପ୍ରଭାବ ପଡିବା ଆଶଙ୍କା ଦେଖାଦେଇଛି। ଜଳଭଣ୍ଡାରରେ ଜଳସଙ୍କଟର ପ୍ରଭାବ ଜଳସେଚନ ଉପରେ ମଧ୍ୟ ପଡିଛି। 

Advertisment

ଏଥର ମୌସୁମୀ ରାଜ୍ୟକୁ ସଅଳ ଛୁଇଁଥିଲେ ବି ପାଗ ଅନୁକୂଳ ନଥିବାରୁ ଆଗକୁ ଆଗ୍ରସର ହୋଇପାରିନଥିଲା। ଫଳରେ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଆଗକୁ ବଡ ବର୍ଷା ନହେଲେ ଜଳ ସଙ୍କଟ ଉତ୍କଟ ହେବା ଆଶଙ୍କା ଉପୁଜିଛି। 

Water Crisis Water Scarcity
Advertisment
Advertisment