• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆନ୍ଦୋଳନରୁ ଓହରିଲେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ । ବୋନସ୍ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି ଧାରଣା । ୩ ଦିନ ହେବ ରୋଗୀ ଓ ତାଙ୍କ ସମ୍ପର୍କୀୟ ଯେଉଁ ଯମ ଯନ୍ତ୍ରଣା ଭୋଗୁଥିଲେ ସେଥିରେ ବିରାମ ଲାଗିଛି । ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପରେ ହସ୍ପିଟାଲରୁ ହଟିଛି ଅଳିଆ ଆବର୍ଜନା ।

କିଏ ନାକରେ ହାତ ଦେଇ ଯାଉଛି ତ' ଆଉ କିଏ ମୁହଁରେ କପଡ଼ା ଘୋଡେଇ । ୩ ଦିନ ହେଲା କ୍ୟାପିଟାଲ ହସ୍ପିଟାଲରେ ସଫେଇ ବନ୍ଦ ଥିବାରୁ ମେଡ଼ିକାଲର ବର୍ଜ୍ୟ ଓ ଅଳିଆ ଯୋଗୁଁ ଉପୁଜିଛି ଦୁର୍ଗନ୍ଧମୟ ସ୍ଥିତି । ଡଷ୍ଟବିନ୍ ଉଛୁଳି ପଡ଼ୁଛି, ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି କୁଢ଼ କୁଢ଼ ଆବର୍ଜନା । କାଜୁଆଲଟି ୱାର୍ଡ ହେଉ କି ଜେନେରାଲ, ଏମିତିକି ରୋଗୀ ଶୋଇଥିବା ବେଡ୍ ତଳ, ଯୁଆଡ଼େ ଆଖି ବୁଲାଇଲେ, ଖାଲି ଅଳିଆ ଆଉ ଅଳିଆ ।

ହାତ ଧୁଆ ବେସିନ ଓ ଟଏଲେଟ୍ କଥା ନ କହିବା ଭଲ । ସେ ପାଖ ମାଡ଼ି ହେବନି । ଅବସ୍ଥା ଅସମ୍ଭାଳ ହେବାରୁ ନିଜେ ଅଳିଆ ସଫା କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଖାଲି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ନୁହନ୍ତି, ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ନର୍ସ ଓ ହସ୍ପିଟାଲ କର୍ମଚାରୀ। ଏଭଳି ସ୍ଥିତିରେ ରୋଗୀଙ୍କୁ ନେଇ ଅନ୍ୟତ୍ର ପଳାଇବାକୁ ପସନ୍ଦ କରୁଛନ୍ତି ପରିବାର ଲୋକେ । କ୍ୟାପିଟାଲ ହସ୍ପିଟାଲରେ ଏଭଳି ସ୍ଥିତିକୁ ନେଇ ରୋଗୀ, ସମ୍ପର୍କୀୟ ଓ କର୍ମଚାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅସନ୍ତୋଷ ।

ଏପଟେ ଦୀର୍ଘ ୩ ଦିନର ଆନ୍ଦୋଳନରେ ଲାଗିଛି ବିରାମ । ସଫେଇ କର୍ମଚାରୀ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି । ହସ୍ପିଟାଲରେ ପଡ଼ି ରହିଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି। ପୂଜା ବୋନସ୍‌ ସହ ମାସକୁ ୪ ଦିନ ଛୁଟି ବାବଦରେ ପାରିଶ୍ରମିକ ଦେବାକୁ ଠିକା ସଂସ୍ଥା କ୍ବେସର ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପୂଜା ପୂର୍ବରୁ ସେମାନଙ୍କ ଦାବି ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସଫେଇ କର୍ମଚାରୀ ।

ଗତ ୪ ବର୍ଷ ଭିତରେ କ୍ୟାପିଟାଲ ହସ୍ପିଟାଲରେ ୧୨ ଥର କାର୍ଯ୍ୟବନ୍ଦ ଆନ୍ଦୋଳନ କଲେଣି ସଫେଇ କର୍ମଚାରୀ । ଯାହାର ଯନ୍ତ୍ରଣା ଭୋଗୁଛନ୍ତି ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକଟି ବ୍ୟକ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now