• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାରର ଉଦବେଗଜନକ ଘଟଣା । ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି । ୨ ଦିନ ତଳେ ଶ୍ବଶୁର ଓ ବୋହୂଙ୍କୁ ଘରେ ପଶି ଲହୁଲୁହାଣ କରିବା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ, ସାମ୍ନାକୁ ଆସୁଛି ସୁଧ କାରବାର ଓ ଆର୍ଥିକ ଶୋଷଣର ଗୋଟିକ ପରେ ଗୋଟିଏ କରୁଣ ଘଟଣା ।

ଆପଣ ହୁଏତ ଟିଭି ପରଦାରେ ଦେଖିଥିବେ, ଫକୀର ମୋହନ ସେନାପତିଙ୍କ କାଳଜୟୀ ଉପନ୍ୟାସ ଛ'ମାଣ ଆଠ ଗୁଣ୍ଠର ମର୍ମସ୍ପର୍ଶୀ ନାଟ୍ୟ ରୂପାନ୍ତର । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆଜିବି ବଞ୍ଚିଛି ସାହୁକାରର ଜୁଲୁମ୍, ଏବେବି ରକ୍ତର ଲୁହ କାନ୍ଦୁଛି ଗରିବ। ପିଢ଼ି ପରେ ପିଢ଼ି ବିତିଲେ ବି, ମୁକୁଳି ପାରୁନି ଚକ୍ରବୃଦ୍ଧି ସୁଧର 

ଚକ୍ରବ୍ୟୁହରୁ । 

ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଥିବା ପଦ୍ମକେଶରୀପୁର ଗାଁ । ଜରିପାଲ ଘରେ ରୁହନ୍ତି ପ୍ରଦୀପ ଦାସଙ୍କ ପରିବାର । ମୂଲ ଲାଗି ଯେତିକି ରୋଜଗାର କରନ୍ତି, ସବୁ ନେଇଯାଏ ସାହୁକାର । ଓଳିଏ ଖାଇଲେ ଓଳିଏ ଉପାସ । ସୁଧ ଟଙ୍କା ଶୁଝି ଶୁଝି ଏମାନେ ଘର ଖଣ୍ଡିଏ କରିପାରନଥିବା ବେଳେ, ଏବେ ସାହୁକାରର ଆଖି ଘର ଡିହ ଉପରେ । ଅଭିଯୋଗ ଅନୁସାରେ, ପ୍ରଦୀପଙ୍କ ବାପା ସାହୁକାର ଠାରୁ ୧୦ ହଜାର ଟଙ୍କା କରଜ ଆଣିଥିଲେ । ଏବେ ବାପା ଆରପାରିରେ, ପୁଅ ଓ ନାତି ମୁଣ୍ଡ ଉପରେ କରଜର ବୋଝ । ୩ ପୁରୁଷ ଧରି ଟଙ୍କା ସୁଝିବା ପରେ ବି, ଆହୁରି ଦେଢ଼ଲକ୍ଷ ଟଙ୍କା ମାଗୁଛି କରଜଦାତା । କେତେବେଳେ ଘର ଆଗରେ ଜୋରଜବରଦସ୍ତି କରୁଛି, କେତେବେଳେ ରାସ୍ତାରେ ହାଣିଦେବ ଧମକ ଦେଉଛି । ଏମିତିକି, ସାହୁକାର ତାଙ୍କ ଦିବ୍ୟାଙ୍ଗ ପୁଅର ଭତ୍ତା ବାଟରୁ ଛଡ଼ାଇ ନେଉଥିବା ଏବଂ ଘରେ ଥିବା ବଢ଼ିଲା ଝିଅକୁ ଧମକଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।  

ସୂଚନା ଅନୁସାରେ, ପଦ୍ମକେଶରୀପୁରରେ ଚାଲେ ଶହେକେ ମାସିକ ୨୦ ଟଙ୍କା ସୁଧ । ଚକ୍ରବୃଦ୍ଧିର ଅବୁଝା ଗଣିତ ପଢ଼ାଇ ଅପାଠୁଆ ଗରିବଗୁରୁବାଙ୍କୁ ବର୍ଷ ବର୍ଷ ଧରି ଶୋଷଣ କରିଆସୁଛନ୍ତି ସାହୁକାର । ଏଥିପାଇଁ ଅନେକ ଥର ଦେଖାଦେଇଛି ହିଂସା ଓ ଉତ୍ତେଜନା ସ୍ଥିତି । ୬ ମାସ ତଳେ ସୁଧ କାରବାର ପାଇଁ ପଦ୍ମକେଶରୀପୁର ଗାଁରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଟେକାପଥର ସହ ବୋମା ମାଡ଼ ପରେ ଗିରଫ ହୋଇଥିଲେ ଶତାଧିକ ଅଭିଯୁକ୍ତ ।

 

 ସେହପରି, ଗତ ୧୦ ତାରିଖ ରାତିରେ କରଜ ଟଙ୍କାକୁ ନେଇ ବିବାଦରୁ ବୋହୂ ନିରୁପମା ଦାସ ଓ ଶ୍ବଶୁର ସନାତନଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲା ସାହୁକାର ବାବୁଲା ଦାସ ଓ ସହଯୋଗୀ। ଶାଶୁଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା କରଜ ନେଇଥିବା ନିରୁପମା, ଏଭିତରେ ୨ ଲକ୍ଷ ଟଙ୍କା ସୁଝି ସାରିଥିଲେ ବି, 
ବାବୁଲା ଆହୁରି ଅଢେଇ ଲକ୍ଷ ଟଙ୍କା ଦାବି କରିବାରୁ ଉପୁଜିଥିଲା ତୁମୁଳକାଣ୍ଡ। ମଞ୍ଚେଶ୍ବର ଥାନାରେ ମାମଲା ରୁଜୁ ପରେ, ବାବୁଲା ଦାସ ଓ ତାପସ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଘଟଣା ପଛରେ ସୁଧ ଟଙ୍କା କାରାବାର କଥାକୁ ଅଭିଯୁକ୍ତ ମଧ୍ୟ ସ୍ବୀକାର କରିଛି ।

  • Reported by:
  • CHANDAN PAIKRAY