/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728574714.jpg)
Road Problem
ପାଦେ ପାଦେ ବିପଦ । ଟିକେ ଅସାବଧାନ ହେଲେ କେତେବେଳେ ବି ଜୀବନ ଚାଲିଯିବାର ଭୟ। ରାସ୍ତା ତମାମ ଖାଲଖମାରେ ଭର୍ତ୍ତି । କେଉଁଠି ରାସ୍ତା ମଝିରେ ଆଣ୍ଠୁଏ ଗଭୀରର ଖାଲ, ତ ଆଉ କେଉଁଠି ପାଣି ଜମି ରହିଛି । ଆମେ କହୁଛୁ କେଉଁ ଗ୍ରାମାଞ୍ଚଳ ରାସ୍ତା ନୁହେଁ, ବରଂ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର କଥା । ରାସ୍ତାର ଗୋଟିଏ ପଟେ ଇଣ୍ଡଷ୍ଟ୍ରିଆଲ କରିଡର କଳିଙ୍ଗନଗର ଥିବା ବେଳେ ଅନ୍ୟପାର୍ଶ୍ୱରେ ରହିଛି ପାରାଦ୍ୱୀପ ବନ୍ଦର । ପ୍ରତିଦିନ ଶହ ଶହ ଭାରିଯାନ ଏହି ରାସ୍ତା ଦେଇଯାଉଛି । ଅର୍ଥନୈତିକ ଦୃଷ୍ଟି କୋଣରୁ ଏ ରାସ୍ତାର ଯଥେଷ୍ଟ ଗୁରୁତ୍ୱ ରହିଛି । ଦୀର୍ଘ ୩୯ କିଲୋମିଟର ବ୍ୟାପୀ ଚଣ୍ଡିଖୋଲ-ଡୁବୁରୀ ରାସ୍ତା ଏବେ ମରଣଯନ୍ତା ପାଲଟିଛି ।
କେନ୍ଦ୍ର ସଡକ ପରିବହନ ବିଭାଗ ଏହି ରାସ୍ତାକୁ ଗୁରୁତ୍ୱ ଦେଇ ସମ୍ପ୍ରସାରଣ ପାଇଁ ୬ଶହ କୋଟି ଟଙ୍କା ମଂଜୁର କରିଥିଲେ । ଚାରିଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ହେଲେ ରାସ୍ତା କାମ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ଉଠିଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ରାସ୍ତାରେ ଯାଉଥିବା ଗାଡି ଚାଳକଙ୍କଠାରୁ ଆରମ୍ଭ କରି ପଥଚାରୀ ଧୂଳିଧୂଆଁରେ ବି ଅତିଷ୍ଠ । ବିଭାଗୀୟ କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ଯୋଗୁଁ ଠିକାସଂସ୍ଥା ନିଜର ମନମାନି ଚଳାଇଛି ବୋଲି ଲୋକେ ଅଭିଯୋଗ ଉଠାଇଛନ୍ତି। ତେବେ ଜମି ଅଧିଗ୍ରହଣ ସମସ୍ୟା ଥିବାରୁ ରାସ୍ତା କାମ ବିଳମ୍ବ ହେଉଛି । ଆଗାମୀ ଚାରି ମାସ ଭିତରେ ସମ୍ପୂର୍ଣ ହେବ ବୋଲି କହିଛନ୍ତି ସୁକିନ୍ଦା ବିଧାୟକ ତଥା ରାଜ୍ୟ ସମବାୟ ମନ୍ତ୍ରୀ । ଏପେଟ ସ୍ଥାନୀୟ ସାଂସଦ ବି କହିଛନ୍ତି, ଏନେଇ ଆଲୋଚନା ମାଧ୍ୟମରେ ଖୁବଶୀଘ୍ର କାମ ଶେଷ ହେବ ।
ତେବେ ଏନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଚଣ୍ଡିଖୋଲ-ଡୁବୁରୀ ରାସ୍ତା କାର୍ଯ୍ୟ ଯୁଦ୍ଧକାଳିନୀ ଭିତିରେ ଶେଷ ପାଇଁ ଦାବି ଉଠିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)