/odishatv-khabar/media/post_attachments/uploadimage/library/16_9/16_9_0/Storm_1724777058.jpg)
Storm
ଷ୍ଟର୍ମ । ନାଁ ଯେମିତି, ତୁଫାନୀ ଅନ୍ଦାଜରେ କାମ ବି ସେମିତି। ଯେଉଁଠି ମଣିଷ ପାରିଲାନି, ଯେଉଁଠି ଅତ୍ୟାଧୁନିକ ଯନ୍ତ୍ରାଂଶ ବି ଫେଲ୍ ମାରିଲା ସେଇଠି ସଫଳତାର ଅପରେସନ୍ ସାରି ଫେରି ଆସିଛି ଷ୍ଟର୍ମ। ଓଡ଼ିଶା ପୋଲିସର ଏକମାତ୍ର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ବା ସାର୍। ବିପର୍ଯ୍ୟୟ ବେଳର ହିରୋ। ମନେ ପକାନ୍ତୁ କିଛି ଦିନ ତଳର କେରଳର ୱାୟନାଡରେ ମହାବିନାସୀ ଭୂସ୍ଖଳନର ସେ ପ୍ରଳୟଙ୍କରୀ ବିଭୀଷିକାକୁ । ପ୍ରଳୟ ପରର ଢେର ଦିନ ଯାଏ ପଥର-ମାଟି ତଳୁ ଜୀବନ ଖୋଜାର ସେ ବିକଳପଣକୁ। ଆଉ ମନେ ପକାନ୍ତୁ ବିପର୍ଯ୍ୟୟ ପରେ ଓଡ଼ିଶାର ଏକମାତ୍ର ଚ୍ୟାନେଲ୍ ଭାବେ ଘଟଣାସ୍ଥଳରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟିଂ ବେଳେ ଜର୍ମାନ ସେଫଡ୍ ବ୍ରିଡ ପ୍ରଜାତିର କୁକୁରର ସାହସୀ ଅଭିଯାନକୁ।
ହଁ ଇଏ ସେଇ ଷ୍ଟର୍ମ, ଯିଏ ସଫଳତାର ସହ ଅପରେସନ୍ ସାରି ସଗର୍ବେ ଓଡ଼ିଶା ଫେରିଛି। ଫେରିଛି ବ୍ରହ୍ମପୁର ପୋଲିସ ପାଖକୁ। ଆଉ ଫେରିବା ପରେ କେମିତି ସେ ଅପରେସନ୍ କରିଥିଲା ତା ଡେମୋ ବି ଦେଖାଇଛି।
ଜୁଲାଇ ୩୦ ରାତିରେ ୱାୟନାଡରେ ଭୟଙ୍କର ଭୂସ୍ଖଳନ ପରେ ମାଟିତଳୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ୱାୟନାଡ୍ ଯାଇ ଅଗଷ୍ଟ ୬ ତାରିଖରେ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା ଷ୍ଟର୍ମ। ସାଙ୍ଗରେ ଥିଲେ ବ୍ରହ୍ମପୁର ପୋଲିସ ଜିଲ୍ଲାର ୫ ଜଣ ପୋଲିସ କର୍ମଚାରୀ। ଆଉ ଭୂସ୍ଖଳନ ସ୍ଥଳରେ ପହଞ୍ଚୁ ପହଞ୍ଚୁ ଷ୍ଟର୍ମ ଆରମ୍ଭ କରି ଦେଇଥିଲା ଅଭିଯାନ। ଯେଉଁଠି ଯେଉଁଠି ମୃତଦେହର ସନ୍ଧାନ ପାଉଥିଲା, ତା ଟ୍ରେନରକୁ ସଂକେତ ଦେବା ପରେ ସେଇଠୁ ଜେସିବି ସହାୟତାରେ ଖୋଳାଯାଇ ବାହାରୁଥିଲା ମୃତଦେହ। ପୂରା ଅପରେସନରେ ପାଖାପାଖି ୧୦ରୁ ୧୨ଟି ମୃତଦେହକୁ ଠାବ କରିଛି ଷ୍ଟର୍ମ। ଯେଉଁଥିପାଇଁ ଷ୍ଟର୍ମ ସହ ପୁରା ଟିମ୍ କେରଳ ପୋଲିସଠୁ ଢେର ପ୍ରଶଂସା ସାଉଁଟିଥିବା କହିଛନ୍ତି ଷ୍ଟର୍ମ ସହ ଯାଇଥିବା ପୋଲିସ କର୍ମଚାରୀ।
ଅପରେସନ୍ ସାରି ଫେରିବା ପରେ ଷ୍ଟର୍ମର କାର୍ଯ୍ୟ ଦକ୍ଷତାରେ ବ୍ରହ୍ମପୁର ଏସପି ବି ଶତମୁଖ। ଷ୍ଟର୍ମ ପାଇଁ ଓଡ଼ିଶା ପୋଲିସର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ବେଶ୍ ସଶକ୍ତ ହୋଇଛି କହି ଆଗକୁ ରାଜ୍ୟ ପୋଲିସରେ ଏଭଳି ସନ୍ଧାନୀ କୁକୁରଙ୍କ ସଂଖ୍ୟା ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)