Advertisment

କେବେ ନିର୍ଯାତନା ତ କେବେ ଅକାଳ ମୃତ୍ୟୁ, ଦାନା ଯୋଗାଡ଼ରେ ଯାଇ ଶବ ପାଲଟୁଛନ୍ତି ଶ୍ରମିକ

ଘର ଅଗଣାରେ ବସି ପୁଅକୁ ଝୁରି ହେଉଛି ମା । ହେଲେ ପୁଅ କ’ଣ ଆଉ ଫେରିବ ? ପରିବାର ପେଟରେ ଦାନା ଦେବାକୁ ଆନ୍ଧ୍ରକୁ ଦାଦନ ଖଟି ଯାଇଥିଲା ଭେଣ୍ଡିଆ ପୁଅ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Migrant Labour

ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ୧୯୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ବିଦେଶରେ ଯାଇଛି ୩୧ ଜଣ ଓଡ଼ିଆ ଶ୍ରମିକଙ୍କ ଜୀବନ । ତା’ଭିତରୁ ମାତ୍ର ୮ ଜଣଙ୍କ ମରଶରୀର ଘରକୁ ଫେରିପାରିଛି । ବିଧାନସଭାରେ ଦାଦନ ଦୁଃଖର ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ଶ୍ରମ ମନ୍ତ୍ରୀ । ପେଟପାଟଣା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟି ଯାଆନ୍ତି। ହେଲେ ଗାଁକୁ ଶବ ହୋଇ ଫେରନ୍ତି ଅନେକ ଶ୍ରମିକ । ଆଉ କିଛି ଶବ ଟଙ୍କା ଅଭାବରୁ ପହଁଚି ପାରେନି ଭିଟାମାଟିକୁ ।

Advertisment

ଘର ଅଗଣାରେ ବସି ପୁଅକୁ ଝୁରି ହେଉଛି ମା । ହେଲେ ପୁଅ କ’ଣ ଆଉ ଫେରିବ ? ପରିବାର ପେଟରେ ଦାନା ଦେବାକୁ ଆନ୍ଧ୍ରକୁ ଦାଦନ ଖଟି ଯାଇଥିଲା ଭେଣ୍ଡିଆ ପୁଅ । ହେଲେ ଆଉ ଫେରିଲାନି । ଟଙ୍କା ଅଭାବରୁ ଗାଁକୁ ଶବ ମଧ୍ୟ ଆଣିପାରିଲେନି ପରିବାର । ଦାଦନ ଦୁଃଖର ଏ କାହାଣୀ ଦାଦନଗଡ଼ ବଲାଙ୍ଗୀରର । ବେଲପଡା ବ୍ଲକ୍ ଭିର୍କାପଡା ଗାଁର ୩୫ ବର୍ଷୀୟ କୈଳାସ ଧରୁଆ, ଆନ୍ଧ୍ରରେ କାମ କରିବା ବେଳେ ଏଇ ଚାରି ଦିନ ତଳେ ପ୍ରାଣ ହରାଇଥିଲେ। ପରେ ଆନ୍ଧ୍ର ଯାଇ ପୁଅର ଶବ ସତ୍କାର କରିଛନ୍ତି ପରିବାର । ସେହି ବେଲପଡା ବ୍ଲକ୍ ଆମପାଲି ଗାଁର ଗଜାନନ ଷଣ୍ଢଙ୍କ କାହାଣୀ ମଧ୍ୟ ସମାନ । କାମ କରିବା ବେଳେ ଆନ୍ଧ୍ରରେ ପ୍ରାଣ ହରାଇଲେ । ଧାର କରଜ କରି ପରିବାର ଗାଁକୁ ଶବ ଆଣିଲେ, ହେଲେ ଏଯାଏ କିଛି ସହାୟତା ମିଳିଲାନି ।

ପରିବାର ପ୍ରତିପୋଷଣ ପାଇଁ ବିଦେଶ ଯାଇଥିବା ପୁଅ ଶବ ହୋଇ ଫେରିଛି । ଘରେ ଦୁଇ ପୁଅ ଝିଅ, ପତ୍ନୀ ଆଉ ବୁଢା ବାପା-ମା । ଇଏ ଦାଦନ ପ୍ରବଣ ଜିଲ୍ଲାର ଟ୍ୟାଗ ଲାଗିଥିବା ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ମହେଶ୍ବରପୁରର କାହାଣୀ । ଇଥିଓପିଆରେ କାମ କରୁଥିବା ବେଳେ ପ୍ରାଣ ହରାଇଥିଲେ ବଳରାମ ପ୍ରଧାନ। ବହୁ କଷ୍ଟରେ ମରଶରୀର ଫେରିଲା, ହେଲେ ସହାୟତା ପାଇଁ ଅପେକ୍ଷା କରିଛନ୍ତି ପରିବାର । ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗୀର ଜିତେନ୍ଦ୍ର ପ୍ରଧାନଙ୍କ ପରିବାରରେ ତ ଚଡ଼କ ପଡିଛି । ସୁରଟରୁ ଘରକୁ ଫେରୁଥିବା ବେଳେ ଆନ୍ଧ୍ର ରାଜମହେନ୍ଦ୍ରି ନିକଟରେ ଟ୍ରେନ ଲାଇନରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା ।

Advertisment

ଇଏ କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ନୂଆପଦର ଗାଁର ଦୀକ୍ଷିତ ଦିଗାଲ । ବୟସ ମାତ୍ର ୨୨ ବର୍ଷ । ଆନ୍ଧ୍ର ରାଜମହେନ୍ଦ୍ରିର ଏକ ହୋଟେଲରେ କାମ କରିବା ବେଳେ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ । ୨ ଦିନ ପରେ ଘରକୁ ରୋଜଗାରିଆ ପୁଅର ମରଶରୀର ଆସିଲା । ଏବେ ଘରେ ରୋଗୀଣା ମା’ ଆଉ ବୃଦ୍ଧ ଅଜା । କ’ଣ କରିବେ, କେମିତି ବଂଚିବେ ସେହି ଚିନ୍ତା ଘାରିଛି ।

ରାଜ୍ୟରୁ କେତେ ଜଣ ଶ୍ରମିକ ବାହାର ରାଜ୍ୟ ତଥା ବିଦେଶକୁ କାମ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଏବଂ ସେମାନଙ୍କ ମରଶରୀର ଗାଁକୁ ଫେରିନି, ଗତକାଲି ବିଧାନସଭାରେ ତା’ର ଚିନ୍ତାଜନକ ତଥ୍ୟ ରଖିଥିଲେ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ୫ ବର୍ଷରେ ଓଡ଼ିଶାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇ ୧୯୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସେହିପରି ବିଦେଶରେ ୩୧ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ତା ମଧ୍ୟରୁ କେବଳ ୮ ଜଣଙ୍କ ମରଶରୀର ରାଜ୍ୟକୁ ଫେରିପାରିଛି । ବଲାଙ୍ଗୀରରୁ ସର୍ବାଧିକ ୨୧ ଜଣ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ସେହିପରି କନ୍ଧମାଳରୁ ୧୯, ରାୟଗଡାରୁ ୧୮, ବ୍ରହ୍ମପୁରରୁ ୧୫ ଏବଂ କଳାହାଣ୍ଡିରୁ ୧୦ ଜଣ ଶ୍ରମିକଙ୍କ ବାହାର ରାଜ୍ୟରେ ଜୀବନ ଯାଇଛି ।

Migrant Workers
Advertisment
Advertisment