Advertisment

ଆଗକୁ ଶ୍ରୀମନ୍ଦିରରେ କେମିତି ହେବ ଭିଡ଼ ନିୟନ୍ତ୍ରଣ ? କିଭଳି ହେବ ରତ୍ନଭଣ୍ଡାରରେ ଅଳଙ୍କାର ଗଣତି-ମଣତି ?

ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମତ ରଖିଲେ ଗଜପତି ମହାରାଜ । କହିଲେ ମହାପ୍ରଭୁଙ୍କ ପାଇଁ ଯଥେଷ୍ଟ ନୁହେଁ ୫୦୦ କୋଟିର କର୍ପସ୍ ଫଣ୍ଡ୍ ।

author-image
Satyendu Shekher Mishra
undefined

Gajapati Maharaja

୮ ଶହ ବର୍ଷ ତଳର ମନ୍ଦିର। ଏବେ ବି ସେହି ସମାନ ସ୍ଥାନ, ସେହି ସମାନ ବ୍ୟବସ୍ଥା। ହେଲେ ଏପଟେ ଦିନକୁ ଦିନ ବଢ଼ୁଛି ଭକ୍ତଙ୍କ ସଂଖ୍ୟା। ଏପରିସ୍ଥଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି କରିବ ଅନାୟସରେ ଦର୍ଶନ ? ଏ ସମ୍ପର୍କରେ ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂର୍ବରୁ ସ୍ଥିରିକୃତ କୁଛି ନୂଆ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

Advertisment

ଗଜପତି କହିଛନ୍ତି, ଶ୍ରୀମନ୍ଦିରରେ ଆଗକୁ ଲାଗୁ ହୋଇପାରେ ସ୍ଲଟ୍ ଅନୁସାରେ ଦର୍ଶନ ବ୍ୟବସ୍ଥା। ମୋବାଇଲ ଆପ୍ଲିକେସନରେ ଭକ୍ତ ଆଗୁଆ ସ୍ଲଟ୍ ବୁକ୍ କରି ଦର୍ଶନ ଲାଗି ସମୟ ଧାର୍ଯ୍ୟ କରିବ। ଠିକ ସମୟରେ ଅଭ୍ୟର୍ଥନା ଗୃହରେ ହାଜର ହୋଇ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବ। ଏମିତି ହେଲେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନାବଶ୍ୟକ ଭିଡ଼କୁ ନିୟନ୍ତ୍ରଣ ଯାଇପାରିବ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଗଚ୍ଛିତ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାରକୁ ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ଭିତରେ ଗଜପତି କହିଛନ୍ତି, ଭିତର ଭଣ୍ଡାରରେ ରହିଥିବା ସମସ୍ତ ଅଳଙ୍କାର ଏବେ ବି ପୂର୍ବ ଭଳି ରହିଛି । ତେବେ ବର୍ତ୍ତମାନ ସମୟରେ ଏ ଅଳଙ୍କାରର ଗଣତି ଓ ମଣତି ବେଳେ ଆଧୁନିକ ପଦ୍ଧତିରେ ଉପଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି ଗଜପତି। କହିଛନ୍ତି ଜଷ୍ଟିସ ପଶାୟତ କମିଟିର ଅନୁମତି କ୍ରମେ ସମସ୍ତ ରତ୍ନ ଅଳଙ୍କାରର ପ୍ରକାର ଭେଦ, ଓଜନ, ମାନ ଓ ମୂଲ୍ୟ ନିରୂପଣ କରାଯାଇ ଗଣତି କରାଯାଇପାରିଲେ ରତ୍ନ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରକୁ ନେଇ ଭକ୍ତଙ୍କ ମନରୁ ଦ୍ୱନ୍ଦ୍ୱ ଦୂର ହୋଇପାରିବ।

Advertisment

ଶ୍ରୀମନ୍ଦିରକୁ ମିଳୁଥିବା ଦୈନିକ ଦାନ ଅର୍ଥରୁ ଦୈନନ୍ଦିନ ପରିଚାଳନା ସମ୍ଭବ ହେଉନି। ଆଉ ଏ ପରିପ୍ରେକ୍ଷୀରେ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ୫୦୦ କୋଟିର କର୍ପସ ଫଣ୍ଡ୍ ମଧ୍ୟ ଯଥେଷ୍ଟ ନୁହେଁ। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଯେଉଁ ଅଧିକ ଅର୍ଥର ଆବଶ୍ୟକତା ରହିଛି, ତାର ବିକଳ୍ପ ମଧ୍ୟ ବାଟ ସମ୍ପର୍କରେ ପ୍ରସ୍ତାବ ରଖିଛନ୍ତି ଗଜପତି। କହିଛନ୍ତି, ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରୁଭୁଙ୍କ ନାଁ ରେ ଅନେକ ଭୂସମ୍ପତ୍ତି ରହିଛି। ଏହି ଜମିକୁ ବିକ୍ରି କରି ଯଦି, ସେହି ଅର୍ଥକୁ କର୍ପସ ଫଣ୍ଡରେ ରଖାଯାଇ ପାରନ୍ତା, ତାହେଲେ ଶ୍ରୀଜିଉଙ୍କ ସେବା, ପୂଜା ଅର୍ଥ ଲାଗି ଆଉ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ ବୋଲି ମତ ରଖିଛନ୍ତି ଗଜପତି।

ପୂର୍ବ ସରକାରରେ ଆଲୋଚନା ହୋଇ ଚୂଡ଼ାନ୍ତ ହୋଇଥିବା ଏମିତି ଅନେକ ବିଷୟବସ୍ତୁ ଓ ପ୍ରସ୍ତାବକୁ ଆସନ୍ତା ନିଳାଦ୍ରୀ ବିଜେ ପରଠୁ କାର୍ଯ୍ୟକାରୀ କରିବାକୁ ଯୋଜନା ହେଉଛି। ଗଜପତି ମହାରାଜ ଏ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଭେଟିବା ନେଇ ସୂଚନା ମଧ୍ୟ ଦେଇଛନ୍ତି।

Lord Jagannath Puri Srimandir Puri Temple Ratnabhandar
Advertisment
Advertisment