• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ । ପ୍ରାଥମିକ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗୁରୁ ଦିବସ ଅବସରରେ ଓଟିଭିକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଡେଲ୍ ସ୍କୁଲ୍ ଗୁଡ଼ିକର ନାଁ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫୦୦ ସ୍କୁଲ ବିକଶିତ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ଏମିତି ସ୍କୁଲ ହେବ । ସ୍କୁଲରେ ଏମିତି ବ୍ୟବସ୍ଥା କରିବା ଯେମିତି ସମସ୍ତେ ଆସିବାକୁ ଇଛା କରିବେ । ପ୍ରାଇଭେଟ ସ୍କୁଲକୁ ନଯାଇ ଅଭିଭାବକ ସରକାରୀ ସ୍କୁଲ ଆସିବେ। ଆମ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟ ନକରିବା ଯାଏଁ ଚୁପ୍‌ ବସିବିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶିକ୍ଷକତାରୁ ରାଜନୀତିକୁ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଶିକ୍ଷକତା କରିବା ସମୟରେ ୩୦୦ ଟଙ୍କା ଦକ୍ଷିଣା ପାଉଥିଲେ । ସମାଜ ନିର୍ମାଣ, ସଂସ୍କାରରେ ଗୁରୁମାନଙ୍କ ଗୁରୁଭୂମିକା ରହିଛି । ବାପା, ମାଙ୍କ ପରେ ଗୁରୁ ହେଉଛନ୍ତି ଆମର ଆରାଧ୍ୟ । ଗୁରୁମାନଙ୍କୁ ସର୍ବଦା ଭକ୍ତିର ସହ ସ୍ମରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୁଜ ସଦୃଶ । ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ଏହି ତ୍ରିଭୁଜର ତିନି ବାହୁ। ତିନି ବାହୁ ଏକାଠି ହେଲେ ଜଣେ ଛାତ୍ର ଜୀବନ ସୁସଂଗଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ଓଡ଼ିଶା ବିକଶିତ ହେବ। ଆଗାମୀ ଦିନରେ ଭାରତ ରେଳଗାଡ଼ିରେ ଓଡ଼ିଶା ପ୍ରଥମ ଡବା ହେବ ବୋଲି ସେ କହିଛନ୍ତି ।

ଏଥିସହିତ କିପରି ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ମୋହନ ଚରଣ ମାଝୀ, ସେ କଥା ଓଟିଭି ସହ ବାଣ୍ଟିଥିଲେ । ତା ସହ କହିଛନ୍ତି, ସ୍ବାମୀ ବିବେକାନନ୍ଦ ହେଉଛନ୍ତି ମୋର ଆଦର୍ଶ । ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ଶିକ୍ଷାର ବିକାଶ କେମିତି ହେବ, ଓଡ଼ିଶାରେ ଓଡ଼ିଆ ଅସ୍ମିତା କେମିତି ପ୍ରଚାର ପ୍ରସାର ହେବ ସେ ସବୁ ବି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now