• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ଆକାଶ ଛୁଆଁ ଆଳୁ ଦାମ୍ । କାରଣ ରାଜ୍ୟକୁ ଆସୁନି ଆଳୁ । ପଶ୍ଚିମବଙ୍ଗରୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକକୁ ଓଡ଼ିଶା ସୀମାରେ ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ । ଆଳୁ ମୂଲ୍ୟ ବୃଦ୍ଧି ପରେ ମମତା ସରକାର ସୀମାରୁ ଆଳୁ ବୋଝେଇ ଟ୍ରକକୁ ବି ଫେରାଇ ନେଇଛନ୍ତି ।

ଅନ୍ୟପଟେ ଆଳୁ ମୂଲ୍ୟ ବୃଦ୍ଧି ପରେ ଆକସନ ମୋଡରେ ଆସିଥିବା ରାଜ୍ୟ ସରକାର ଗୋଦାମରେ ଚଢଉ କରିବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ତାସହ ୟୁପିରୁ ଆଳୁ ଆଣିବାକୁ ଯୋଜନା ଥିବା କହିଛନ୍ତି ମନ୍ତ୍ରୀ । ରାସ୍ତାରେ ଠିଆ ହୋଇଛନ୍ତି ଶହ ଶହ ଟ୍ରକ । କଡା ଯାଞ୍ଚ କରୁଛି ପଶ୍ଚିମବଙ୍ଗ ପୋଲିସ ।

କୌଣସି ଟ୍ରକ ଯେମିତି ପଶ୍ଚିମବଙ୍ଗ ସୀମା ନ ଡିଏଁ ସେଥିଲାଗି ଏହି ବ୍ୟବସ୍ଥା । ଆଇନ ଶୃଙ୍ଖଳା ବା ଅନ୍ୟ କୌଣସି ସ୍ଥିତି ପାଇଁ ଏହା ନୁହଁ, ରୋଷେଇ ଘରେ ପ୍ରତିଦିନ ଲାଗୁଥିବା ଆଳୁ ଲାଗି ଟିକିନିକ ଭାବେ ଯାଞ୍ଚ ଚାଲିଛି । ଗତକାଲି ରାତିରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସୋନାକଣିଆରେ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଆଳୁ ବୋଝେଇ ଟ୍ରକ ।

ପଶ୍ଚିମବଙ୍ଗରୁ ଆଳୁ ନେଇ ଏହି ଟ୍ରକ ଗୁଡିକ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁକୁ ଯାଉଥିଲେ । ହେଲେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ ପରେ ଏଗୁଡିକୁ ଅଟକାଇ ରଖିଛି ସେଠାକାର ପୋଲିସ । ପଶ୍ଚିମବଙ୍ଗରେ ଆଳୁ ମୂଲ୍ୟ ବୃଦ୍ଧି ଯୋଗୁଁ ବାହାର ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେଠାକାର ସରକାର ।

ଫଳରେ ଗତକାଲିଠୁ ଲକ୍ଷ୍ମଣନାଥ ଓ ସୋନାକଣିଆ ଟୋଲ ଗେଟରେ ଠିଆ ହୋଇଥିବା ଶହ ଶହ ଆଳୁ ବୋଝେଇ ଗାଡିକୁ ମମତା ସରକାର ଫେରାଇ ନେଇଛନ୍ତି । ଏପଟେ ଆବଶ୍ୟକ ମାତ୍ରାରେ ଆଳୁ ନ ଆସିବା ଯୋଗୁଁ ଓଡିଶା ବଜାରରେ ଏହାର ପ୍ରଭାବ ବହୁଳ ଭାବରେ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଳୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କାକୁ ବଢି ଯାଇଛି ।

ଯଦିଓ ସରକାର କହୁଛନ୍ତି ୭ ଦିନ ପାଇଁ ଆଳୁ ଗଚ୍ଛିତ ଅଛି, ହେଲେ ସବୁଠି ସ୍ଥିତି ସଂଗୀନ । କାହିଁକି ନା ଯେଉଁଠି ଦିନକୁ ୬ ରୁ ୭ ଆଳୁ ବୋଝେଇ ଗାଡି ଲାଗୁଥିଲା ଆଜି ସେଠି ଜମା ଗାଡି ନାହିଁ । ତେଣୁ ବ୍ୟବସାୟୀ ବି କହୁଛନ୍ତି ସେମାନେ ୪୦ ରେ କିଣୁଛନ୍ତି. ଯେଉଁଥି ପାଇଁ ୪୫ ରୁ ଅଧିକ ଦାମରେ ବିକିବାକୁ ସେମାନେ ବାଧ୍ୟ ହେଉଛନ୍ତି ।

ଏପଟେ ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଫେରାଇବା ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର । ସେ ଆଜି ସକାଳେ ଭୁବନେଶ୍ୱର ଆଇଗଣିଆ ସ୍ଥିତ ଆଳୁ ଗୋଦାମ ଗୁଡିକୁ ବୁଲି ଦେଖିଥିଲେ । ମାର୍କେଟ ସ୍ଥିତି ଅନୁଧ୍ୟାନ କରି ମନ୍ତ୍ରୀ କହିଥିଲେ ଗୋଦାମରେ ଆଳୁ କେଜି ୨୭ ଟଙ୍କା ଅଛି ।

ଖୁଚୁରା ବ୍ୟବସାୟୀ ସର୍ବାଧିକ ୩୨ ଟଙ୍କାରେ ବିକ୍ରି କରିବେ । ଏହାଠାରୁ ଅଧିକ ଦରରେ ବିକ୍ରି କଲେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ । ପଶ୍ଚିମବଙ୍ଗ ସରକାର ଗାଡି ଫେରାଇବା ନିଷ୍ପତ୍ତିକୁ ଦୁର୍ଭାଗ୍ୟ ଜନକ କହିବା ସହ ଏନେଇ ମମତା ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ ବୋଲି ସେ କହିଛନ୍ତି । ସେପଟେ ଆଳୁ ଅଭାବକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ମମତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now