• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟରେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ମୋହନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିଥିଲା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ବର୍ଗର ୮୦ରୁ ଅଧିକ ବିଶେଷଜ୍ଞ ସାମିଲ ହୋଇଥିଲେ । ୨୦୨୪-୨୫ ବଜେଟ୍ ରୂପରେଖ ପ୍ରସ୍ତୁତ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

BJP ନେତୃତ୍ବାଧୀନ ନୂଆ ସରକାର ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ ଲାଗି ବଜେଟରେ ବିଭିନ୍ନ ନୂଆ ଯୋଜନା ପାଇଁ ଏଥର ହୋଇପାରେ ବ୍ୟୟ ବରାଦ । ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ଅନ୍ତିମ କାମଚଳା ବଜେଟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ । କେବଳ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଚାରି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଗତ ହୋଇଥିଲା ।

ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବ ଗଣ, RB ର ଆଞ୍ଚଳିକ ନିର୍ଦ୍ଦେଶକ, ନାବାର୍ଡ ଜେନେରାଲ ମ୍ୟାନେଜର ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୬ ଜଣ ବିଶିଷ୍ଠ ବ୍ୟକ୍ତି ସେମାନଙ୍କ ମତାମତ ଦେଇଥିଲେ ।

ବୈଠକ ପରେ ଗଣମାଧ୍ୟମକୁ ନିଜର ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ପ୍ରଥମରୁ ହିଁ ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ବ ଦେଇ ଆସୁଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ । ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ । ଏଥିରେ ଆମେ ପ୍ରାୟ ୧୨ ହଜାରରୁ ଅଧିକ ମତାମତ ପାଇଛୁ । ପୂର୍ବ ବର୍ଷ ଅପେକ୍ଷା ଏହା ପ୍ରାୟ ଛଅ ଗୁଣ ଅଧିକ । ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ଲୋକଙ୍କ ଏପରି ବ୍ୟାପକ ଅଂଶ ଗ୍ରହଣ ଆମ ପାଇଁ ଖୁବ୍ ଉତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ଆହୁରି କହିଥିଲେ ଯେ, ଆମର ବଜେଟ୍ ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି । ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରୁଛୁ । ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ପରମ୍ପରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now