• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍ କଟ୍ କୁ ନେଇ ଖବର ପ୍ରସାରଣ ପରେ ତତ୍ପର ରାଜ୍ୟ ସରକାର । ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସୋସିଆଲ୍ ମିଡ଼ିଆ X ଜରିଆରେ TPCODL ସିଇଓ ଏବଂ ଶକ୍ତି ବିଭାଗ ସଚିବଙ୍କୁ ଟ୍ୟାଗ୍ କରି SRC ଜଣାଇଛନ୍ତି ।

ବିଶେଷ କରି ଭୁବନେଶ୍ୱର ସହର ଭିତରେ ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁ ଗ୍ରୀଷ୍ମ ସହ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଟାଟା ପାୱାରର ଅଘୋଷିତ ପାୱାର କଟ୍ ଏବଂ ଲୋକଙ୍କ ସମସ୍ୟା ସଂପର୍କରେ ଖବର ପ୍ରସାରଣ କରିଥିଲା ଓଟିଭି । ଅନେକ ସ୍ଥାନରେ ମେଣ୍ଟେନାନ୍ସ ଆଳରେ କେମିତି ବାରମ୍ବାର ପାୱାର କଟ୍ ହେଉଛି, ସେନେଇ ଜନ ଅସନ୍ତୋଷ ଦେଖାଦେଇଥିଲା । ଏହି ଖବର ପରେ ରାଜ୍ୟ ସରକାର ତତ୍ପର ହେବା ସହ ବିଦ୍ୟୁତ ବିତରଣ କମ୍ପାନୀକୁ ଏ ଦିଗରେ ଦୃଷ୍ଟି ଦେବାକୁ SRC କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।

୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମୟୂରଭଞ୍ଜରୁ ୭, ଅନୁଗୁଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍‌ ରିଲେଟେଡ୍‌ ଇଲନେସ୍‌ ପାଇଁ ଆଡମିଶନ୍‌ ହୋଇଥିଲେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବହାରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏପ୍ରିଲରେ ଏଯାବତ୍‌ ୬ ଦିନ ହିଟୱେଭ୍ ଅନୁଭୂତ ହେଲାଣି । ଚଳିତ ମାସ ଆହୁରି ୩ ଦିନ ହିଟୱେଭ୍ ଅନୁଭୂତ ହେବ। କାଲି ପାଇଁ ହିଟୱେଭ୍ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲରେ ସାଧାରଣତଃ ୧ରୁ ୩ ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୁଏ। ଗତବର୍ଷ ଏପ୍ରିଲରେ ୫ ଦିନ ହିଟୱେଭ ଅନୁଭୂତ ହୋଇଥିଲା ।