/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722157880.jpg)
Potato Price
ଖସୁନି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସୁଥିଲେ ମଧ୍ୟ ବଜାରରେ ଆଳୁ ଦର ଖସିନାହିଁ । କଟକ ଛତ୍ର ବଜାରରେ ଆଜି ଆଳୁ କେଜି ୫୦ ଟଙ୍କା ରହିଛି । ସପ୍ତାହେ ପରେ ପଶ୍ଚିମବଙ୍ଗରୁ ଧିରେ ଧିରେ ସ୍ୱାଭାବିକ ହେଉଛି ଆଳୁ ଯୋଗାଣ । ଓଡ଼ିଶାରେ ପହଞ୍ଚୁଛି ଆଳୁ
ଗାଡ଼ି । ଗତକାଲି ଅପରାହ୍ନରୁ ଆଜି ସକାଳ ସୁଦ୍ଧା ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ୨୩ଟି ଗାଡ଼ି ପହଞ୍ଚିଛି ।
କଟକ ଛତ୍ରବଜାରକୁ ବି ଆସିଛି ଆଳୁ ଗାଡ଼ି । ସପ୍ତାହେ ପରେ ଯୋଗାଣ ସ୍ୱାଭାବିକ ହେଉଥିବା ବେଳେ ରାଜ୍ୟରେ ତଥାପି ଆଳୁ କିଲୋ କେଉଁଠି ୫୦ ଟଙ୍କା ତ ଆଉ କେଉଁଠି ୫୦ ଟଙ୍କା ଉପରେ ରହିଛି । ଆଜିଠାରୁ ରାଜ୍ୟରେ ଦାମ୍ ଖସିବ ବୋଲି ବ୍ୟବସାୟୀ ମହାସଂଘ କହିଛି । ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ କହିଛନ୍ତି, ସେମାନେ ପାଇକାରୀ ଦରରେ ୩୦ ଟଙ୍କାରେ ଆଳୁ ଯୋଗାଇବେ ।
କିନ୍ତୁ ଖୁଚୁରା ବ୍ୟବସାୟୀଙ୍କ ମନମାନୀ ରୋକିବାକୁ ସରକାର ନିର୍ଦ୍ଧିଷ୍ଟ ନୀତି ବା ଗାଇଡଲାଇନ ଆଣିବାର ଆବଶ୍ୟକ । ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ନାହିଁ । ଯେଉଁ କିଛି ଗାଡ଼ି ଆସିଛି ବିଭିନ୍ନ ଗଳା ବାଟରେ ଚାନ୍ଦା ଦେଇ ଆସିଛନ୍ତି । ଯାହାର ଭରଣା ପାଇଁ ଖାଉଟିଙ୍କୁ ଅଧିକ ଦରରେ ଆଳୁ ବିକିବେ ବ୍ୟବସାୟୀ ।
ତେଣୁ ସମସ୍ୟାର ସମାଧାନ ପାଇଁ ସରକାର ଯଥୋଚିତ ଉଦ୍ୟମ କରିବା ଆବଶ୍ୟକ ବୋଲି ବ୍ୟବସାୟୀ ମହାସଂଘ କହିଛି । ସେପଟେ ରାଜ୍ୟରେ ଆଉ ଆଳୁ ସଂକଟ ନାହିଁ । ପଶ୍ଚିମବଙ୍ଗରୁ ଅଧିକରୁ ଅଧିକ ଗାଡ଼ି ଆସି ପହଞ୍ଚିଲାଣି । ଓଟିଭିକୁ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସବୁଠି ଆବଶ୍ୟକ ଆଳୁ ମହଜୁଦ ହେଲାଣି । କିଣା ଦାମରୁ ଢେର ଅଧିକ ଦାମରେ ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଫାଇନ ଆଦାୟ ହେବ ବୋଲି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)