• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚାଳ ଗଲା...ଚୁଲି ଗଲା....ନା ପେଟକୁ ଭୋକ ଅଛି...ନା ଆଖିକୁ ନିଦ...ଆଜିକୁ ୨ ଦିନ ହେଲା ବାତ୍ୟା ଆଣିଥିବା ବର୍ଷା ପାଣିରେ ବତୁରି ଗଲାଣି ଝାଟିମାଟିର ଘର । କେତେବେଳେ ବି ଭୁଶୁଡ଼ି ଯାଇପାରେ...ମାଟିରେ ମିଶିଯାଇପାରେ ଏହି ଗରିବ ଖଟିଖିଆଙ୍କ ଝାଟିମାଟିର ଘର । ବାତ୍ୟା ସିନା ଟଳିଗଲା, କିନ୍ତୁ ତା’ପରବର୍ତ୍ତି ଲଗାଣ ବର୍ଷା ଭିତରେ ଜଳବନ୍ଦୀ ଜୀବନ ଜିଉଁଛନ୍ତି ଭଦ୍ରକ ସହର ନିକଟ ଗେଲପୁରର ଏହି ପରିବାର ।

ଭଦ୍ରକ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ବର୍ଷାର ଏ ତ ଥିଲା ଏକ ନମୁନା ମାତ୍ର । ଧାମନଗର ବ୍ଲକରେ ଯୁଆଡ଼େ ଚାହିଁବେ କେବଳ ପାଣି ଆଉ ପାଣି । ଦୃଶ୍ୟ ଦେଖିଲେ ଲାଗୁଛି ନିରବ ଘାତକ ସାଜି ବାତ୍ୟା ଦାନା ଫେରିଯାଇଛି ଏହି ଅଞ୍ଚଳରୁ । କେଉଁଠି ରାଜରାସ୍ତାରେ ପାଣି ତ ଆଉ କେଉଁଠି ସହର ବଜାର ହୋଇଯାଇଛି ଜଳବନ୍ଦୀ । ଭଦ୍ରକ ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥ ଅସୁରାଳୀରେ ୩ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ଯଦିଓ ବୈତରଣୀର ଉପର ମୁଣ୍ଡରେ ସେତେଟା ବର୍ଷା ନାହିଁ, ତଥାପି ରେବ ଓ କପାଳୀ ନଦୀରେ ଉପୁଜିଛି ବନ୍ୟା ଆଶଙ୍କା ।

ସେପଟେ ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ମୟୁରଭଞ୍ଜର କାଳ ଓ ସୁନେଇ ଡ୍ୟାମରୁ ଛଡ଼ାଯାଇଛି ବନ୍ୟା ଜଳ । ଫଳରେ ବୁଢାବଳଙ୍ଗ ଓ ସୋନ୍ ନଦୀର ଜଳସ୍ତର ବଢ଼ିଥିବାରୁ ବାଲେଶ୍ବର ସଦର ଏବଂ ରେମୁଣା ବ୍ଲକ ସାଂଘାତିକ ପ୍ରଭାବିତ ହୋଇଛି । ହଜାର ହଜାର ଗାଁ ଜଳବନ୍ଦୀ, ବିପନ୍ନ ହୋଇଛନ୍ତି ଲକ୍ଷାଧିକ ଲୋକ । ବନ୍ୟାପାଣି ପ୍ରବେଶ ଯୋଗୁ ସଦର ବ୍ଲକକୁ ତ ଏକପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବାଲିଘାଟ ବଇଁଚା ରାସ୍ତାରେ ଛୁଟୁଛି ୩ଫୁଟ ଉଚ୍ଚର ପାଣି । ସହରର ତଳି ଅଞ୍ଚଳର ଲୋକେ ରାସ୍ତା ଉପରେ ପଲିଥିନି ଟାଙ୍ଗି ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଛନ୍ତି । ସେହିପରି ନୀଳଗିରିର ବିଭିନ୍ନ ଓ୍ୱାର୍ଡରେ ମଧ୍ୟ ପାଣି ପଶିଛି ।

ଏଭଳି ଜଳବନ୍ଦୀ ସମସ୍ୟା ଭିତରେ ଦେବଦୂତ ସାଜି ମରଣମୁହଁରୁ ଅନେକ ବିପନ୍ନଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ବାଲେଶ୍ବର ରେମୁଣା କାଠ ସଙ୍ଗଡ଼ା  ଅଞ୍ଚଳରେ ୧୦ଟି ପରିବାରକୁ ବୋଟ୍ ସହାୟତାରେ ଏଭଳି ଉଦ୍ଧାର କରିଛି ଫାୟାର୍ ବ୍ରିଗେଡ୍ । ସେହିପରି ଭଦ୍ରକ ଧାମନଗର ବ୍ଲକ ଜୟନଗରରେ ପ୍ରବଳ ବର୍ଷା ଯୋଗୁ ଘରେ ପାଣି ପଶିଯିବାରୁ ଫସିରହିଥିଲେ ୩ ଜଣ । ବିଳମ୍ବିତ ରାତିରେ ଏହି ୩ ଜଣଙ୍କୁ ଫାୟାର ଟିମ୍ ଉଦ୍ଧାର କରିଛି ।

ଏସବୁ ଭିତରେ ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ରବି ନାରାୟଣ ନାଏକ ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିଛନ୍ତି । ସେପଟେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ କହିଛନ୍ତି, ବୁଢାବଳଙ୍ଗ ଏବେ ବିପଦ ସଙ୍କେତ ତଳେ ରହିଛି । ଯଦି ବନ୍ୟା ଆସେ ତେବେ ରେମୁଣା ଏବଂ ସଦର ବ୍ଲକ ପ୍ରଭାବିତ ହୋଇପାରେ । କିନ୍ତୁ ବୈତରଣୀରେ ବନ୍ୟା ଆଶଙ୍କା ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now