Advertisment

ଦୀର୍ଘ ବର୍ଷ ପରେ ପୁଣି ଓଡ଼ିଶା ଫେରୁଛି ‘ପୋସ୍କୋ’; ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ

ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୋସ୍କୋ ଓ ଜେଏସଡବ୍ଲୁ ମିଳିତ ଭାବେ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

POSCO Returns to Odisha

ଜେଏସଡବ୍ଲୁ ହାତ ଧରି ଓଡ଼ିଶା ଫେରୁଛି ପୋସ୍କୋ। ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୋସ୍କୋ ଓ ଜେଏସଡବ୍ଲୁ ମିଳିତ ଭାବେ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ତେବେ ପ୍ରସ୍ତାବିତ 5 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏଇ ମେଗା ପ୍ଲାଣ୍ଟ ପାଇଁ କେତେ ପୁଞ୍ଜିନିବେଶ ରହିବ, କେନ୍ଦୁଝରର କେଉଁଠି ପ୍ଲାଣ୍ଟ ବସିବ ତାକୁ ନେଇ ବଢିଛି ଉତ୍କଣ୍ଠା। 

Advertisment

ପୁଣି ଓଡ଼ିଶା ଫେରୁଛି ପୋସ୍କୋ । ଏଥର ପାରାଦୀପ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପାଣ୍ଟ୍ ହେଲେ ଏକା ନୁହେଁ JSW-ପୋସ୍କୋ ମିଳିତ ଭାବେ କରିବେ ଏ ପ୍ଲାଣ୍ଟ୍ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଗତ କିଛି ଦିନ ଧରି ପ୍ରକାଶ ପାଉଥିବା ଏ ଖବର ଉପରେ ମୋହର ମାରି ଆଜି ଏନେଇ ବଡ଼ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଗସ୍ତ ଅବସରରେ କହିଛନ୍ତି- ଦିଲ୍ଲୀ ଓ ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ରୋଡ୍ ସୋ’ ବେଳେ ଏନେଇ ଉଭୟ JSW ଓ ପୋସ୍କୋ ସହ ଆଲୋଚନା ହୋଇଥିଲା। ଏହା ଭିତରେ ସେମାନେ ମଧ୍ୟ ପରସ୍ପର ଭିତରେ ଏମଓୟୁ କରି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ କରିବେ ବୋଲି ମେନସନ୍ କରିଛନ୍ତି।ଏଥିସହ ନିଶ୍ଚିତ ଭାବେ ଏ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ଦୃଢ଼ୋକ୍ତି ବାଢିଛନ୍ତି ମୁଖ୍ୟମନ୍ତ୍ରୀ।

ହେଲେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ନିର୍ଦ୍ଦିଷ୍ଟ ଭାବେ କେଉଁଠି ହେବ ମେଗା ପ୍ଲାଣ୍ଟ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ଦୁଇଟି ଯାଗା ଚିହ୍ନଟ ହୋଇଛି। ଗୋଟିଏ ହେଲା ପୂର୍ବରୁ ଷ୍ଟିଲ ପ୍ଲାଣ୍ଟ ପାଇଁ ଆର୍ସେଲର ମିତ୍ତଲକୁ ପାଟଣା ବ୍ଲକରେ ଦିଆଯାଇଥିବା 1956 ଏକରର ଜମି। ଏବଂ ଅନ୍ୟଟି ବାଂଶପାଳ ବ୍ଲକର ତରମାକାନ୍ତ ସ୍ଥିତ ଓଡ଼ିଶା ଟି ପ୍ଲାଣ୍ଟେସନ୍ ଲିମିଟେଡ୍ -ଓଟିପିଏଲର ଉଜୁଡ଼ିଯାଇଥିବା  ଚା ବଗିଚାର 25 ଶହ ଏକର ଜାଗା। ଚା ବଗିଚା ବନ୍ଦ ହେବା ପରେ ଏବେ ଏହି ଜମି ସରକାରଙ୍କ ଅଧିନରେ ରହିଛି। ତେଣୁ ଏଭିତରୁ ଯେକୌଣସି ଗୋଟିକୁ ବାଛିବା ପାଇଁ ଖୁବ୍‌ଶୀଘ୍ର ଉଭୟ କମ୍ପାନିର ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସୁଛି। 

Advertisment

ଉଭୟ କମ୍ପାନି ମଧ୍ୟରେ ବୁଝାମଣା ମୁତାବକ ପ୍ରାରମ୍ଭିକ ଭାବେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା 5 ନିୟୁତ ଟନ୍ ରହିବ। ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଯାଇପାରେ। ତେବେ ଏନେଇ କେତେ ପୁଞ୍ଜିନିବେଶ ହେବ ତାହା 2025 ଜାନୁଆରୀରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଘୋଷଣା ହେବ ବୋଲି କୁହାଯାଉଛି। ହେଲେ ଜିଲ୍ଲାର ଯେଉଁଠି ବି ହେଉ, ମେଗା ଷ୍ଟିଲ୍ ପ୍ଲାଣ୍ଟ ବସିବା ଖବରରେ ବେଶ୍ ଉତ୍ସାହିତ ଜିଲ୍ଲାବାସୀ।

ଓଡ଼ିଶାରେ ମେଗା ଷ୍ଟିଲ ପ୍ଲାଣ୍ଟର ସ୍ବପ୍ନ ଦେଖାଇ 2005 ରେ ଦକ୍ଷିଣ କୋରିଆ କମ୍ପାନି ପୋସ୍କୋ ସହ ଏମ୍ଓୟୁ କରିଥିଲେ ତତ୍କାଳୀନ ବିଜେଡି ସରକାର। ସେ ସମୟରେ ଦେଶର ସର୍ବବୃହତ ବିଦେଶୀ ପୁଞ୍ଜିନିବେଶ ଭାବେ 52 ହଜାର କୋଟି ଟଙ୍କା ନିବେଶରେ 12 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏହି ଷ୍ଟିଲ ପ୍ଲାଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିପାଇଁ ପୋସ୍କୋକୁ ପାରାଦୀପ ଅଞ୍ଚଳରେ 29 ଶହ 58 ଏକର ଜମି ବି ହସ୍ତାନ୍ତର ସରିଥିଲା। ହେଲେ ଜମି ଅଧିଗ୍ରହଣକୁ ନେଇ 12 ବର୍ଷ ଧରି ବାରମ୍ବାର ବିରୋଧ , ସଂଘର୍ଷ, ରକ୍ତପାତ ସହ ପ୍ଲାଣ୍ଟ ପାଇଁ ଆବଶ୍ୟକ କଞ୍ଚାମାଲ୍ ଲୁହାପଥର ଖଣି ନମିଳିବା ଭଳି କାରଣରୁ 2017 ମାର୍ଚ୍ଚରେ ଓଡ଼ିଶାକୁ ବାଏ ବାଏ କରି ଦେଇଥିଲା ପୋସ୍କୋ। ଚୁରି ହୋଇଯାଇଥିଲା ସରକାରଙ୍କ ବୃହତ ଶିଳ୍ପ ସ୍ବପ୍ନ। ହେଲେ କ୍ଷମତାକୁ ଆସିବାର ମାତ୍ର 4 ମାସ ପରେ ପୁଣି ପୋସ୍କୋକୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛି ବିଜେପି ସରକାର। 

ଏପଟେ ଶିଳ୍ପ ସଂଘ କହିଛି- ପୋସ୍କୋ ଓଡ଼ିଶା ଛାଡ଼ିବା ପରେ ସାରା ବିଶ୍ବରେ ଓଡ଼ିଶାରେ ପୁଞ୍ଜିନିବେଶର ଅନକୂଳ ପରିବେଶ ନଥିବା ନେଇ ଯେଉଁ ବଦନାମ୍ ରହିଥିଲା, ଜେଏସଡବଲୁ ହାତ ଧରି ପୋସ୍କୋ ପୁଣି ଫେରୁଥିବା ସୂଚନା, ସେଇ ଧାରଣାକୁ ବଦଳାଇବ। ଆଗକୁ ମାଇନିଂ ଓ ମେଟାଲ କ୍ଷେତ୍ରରେ ଓଡ଼ିଶାକୁ ବିଦେଶୀ ପୁଞ୍ଜିନିବେଶର ବାଟ ଫିଟିବ। ମେଗା ଷ୍ଟିଲ ପ୍ଲାଣ୍ଟ ସହ ପୋସ୍କୋ ଫେରୁଥିବା ଖବର ଉତ୍ସାହ ସୃଷ୍ଟି କରିଥିଲା ବେଳେ ନୂଆ ସରକାର ଏହାକୁ କିଭଳି ବାସ୍ତବତାର ରୂପ ଦେଉଛନ୍ତି ଏବେ ତା ଉପରେ ନଜର।

Steel Plant JSW Posco
Advertisment
Advertisment